ନୂଆଦିଲ୍ଲୀ: ରବିବାର ଦୁବାଇରେ ହେବାକୁ ଥିବା ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ମ୍ୟାଚ୍କୁ ନେଇ ଏବେ ସେରା ଦେଶରେ ବିରୋଧର ସ୍ବର ଦେଖିବାକୁ ମିଳୁଛି । ବିଭିନ୍ନ ସ୍ଥନରେ ଏହି ମ୍ୟାଚକୁ ବୟକଟ କରାଯାଇଥିବା ବେଳେ ମହାରାଷ୍ଟ୍ରରେ ହଙ୍ଗାମା ଦେଖିବାକୁ ମିଳିଛି । ବିଭିନ୍ନ କ୍ରିକେଟ ସମର୍ଥକ ଏହାକୁ ନେଇ ଅସନ୍ତୋଷ ଜାହିର କରିଥିବା ବେଳେ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ନେତା ଶରଦ କୋଲି ରାଜ୍ୟର ସମସ୍ତ ହୋଟେଲ ମାଲିକଙ୍କୁ ସିଧା ଧମକ ଦେଇଛନ୍ତି । କହିଛନ୍ତି ଯେ ଯଦି ସେମାନେ ମ୍ୟାଚ୍ର ଲାଇଭ୍ ଷ୍ଟ୍ରିମିଂ କରନ୍ତି, ତେବେ ସେମାନଙ୍କର ହୋଟେଲଗୁଡ଼ିକୁ ଭାଙ୍ଗି ଦିଆଯିବ। ଏହି ଧମକ ଏକ ଭିଡିଓ ମାଧ୍ୟମରେ ଦିଆଯାଇଛି, ଯେଉଁଥିରେ କୋହଲି ମଧ୍ୟ ଏକ କ୍ରିକେଟ୍ ବ୍ୟାଟ୍ ଧରିଛନ୍ତି।
ଶରଦ କୋହଲି ସୋଲାପୁରର ଶିବସେନା (UBT) ନେତା। ତାଙ୍କର ଧମକପୂର୍ଣ୍ଣ ଭିଡିଓ ଏବେ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେଉଛି। ଭିଡିଓରେ ସେ କହୁଛନ୍ତି, “ଭାରତ ଏବଂ ପାକିସ୍ତାନ ମ୍ୟାଚ୍ ଦୁବାଇରେ ହେବାକୁ ଯାଉଛି। ମ୍ୟାଚ୍ ସେହି ପାପୀ ପାକିସ୍ତାନ ସହିତ ହେବାକୁ ଯାଉଛି, ଯିଏ ଆମ ଦେଶ ଏବଂ ମହାରାଷ୍ଟ୍ରର ଭଉଣୀମାନଙ୍କର ସିନ୍ଦୁର ପୋଛି ଦେଇଛି।” ସେ ଆହୁରି କହିଛନ୍ତି, “ମୁଁ ମହାରାଷ୍ଟ୍ରର ସମସ୍ତ ହୋଟେଲ ମାଲିକଙ୍କୁ ହାତ ଯୋଡି ଅନୁରୋଧ କରୁଛି ଯେ ପାକିସ୍ତାନର ମ୍ୟାଚ୍ ମହାରାଷ୍ଟ୍ରର କୌଣସି ହୋଟେଲରେ ଦେଖାଯାଉ ନାହିଁ। ଯଦି ଆପଣ ଦେଶକୁ ଭଲ ପାଆନ୍ତି, ତେବେ ଆପଣ ଏହି ମ୍ୟାଚ୍ର ଲାଇଭ୍ ଷ୍ଟ୍ରିମିଂ ଆପଣଙ୍କ ହୋଟେଲରେ କରିବେ ନାହିଁ।”
ଏହା ପରେ, କୋହଲି ହାତରେ ଧରିଥିବା ବ୍ୟାଟ୍ ଦେଖାଇ ଧମକପୂର୍ଣ୍ଣ ସ୍ୱରରେ ଚେତାବନୀ ଦେଇ କହିଥିଲେ, “ଯଦି କୌଣସି ହୋଟେଲ ମାଲିକ କିମ୍ବା ଅପରେଟର ଭାରତ-ପାକିସ୍ତାନ ମ୍ୟାଚ୍ ଦେଖାନ୍ତି, ତେବେ ମନେରଖନ୍ତୁ, ତାଙ୍କ ହୋଟେଲ ଏହି ବ୍ୟାଟ୍ ସହିତ ଭାଙ୍ଗି ଦିଆଯିବ। ଏବଂ ଏଥିପାଇଁ ହୋଟେଲ ମାଲିକ ଏବଂ ନିର୍ଦ୍ଦେଶକ ନିଜେ ଦାୟୀ ରହିବେ।”
ଅନ୍ୟପକ୍ଷରେ ପୂର୍ବରୁ ଉଦ୍ଧବ ଠାକରେ ଶନିବାର ଦିନ କହିଛନ୍ତି ଯେ ପାକିସ୍ତାନ ସହିତ କ୍ରିକେଟ୍ ମ୍ୟାଚ୍ ଖେଳିବା ଜାତୀୟ ଭାବନାର ଅପମାନ, କାରଣ ଭାରତୀୟ ସୈନିକମାନେ ସୀମାରେ ନିଜ ଜୀବନ ବଳିଦାନ ଦେଉଛନ୍ତି। ଯାହାକୁ ନେଇ ଏକନାଥ ସିନ୍ଦେଙ୍କ ଶିବସେନା ଶନିବାର ଦିନ ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍କୁ ବିରୋଧ କରିବା ପାଇଁ ଶିବସେନା (UBT) ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରି ଦାବି କରିଛି ଯେ ଯେତେବେଳେ କଂଗ୍ରେସ କ୍ଷମତାରେ ଥିଲା, ସେତେବେଳେ ଦୁଇ ଦେଶ ଉତ୍ତେଜନାପୂର୍ଣ୍ଣ ସମ୍ପର୍କରେ କ୍ରିକେଟ୍ ମ୍ୟାଚ୍ ଖେଳିଥିଲେ। ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ମୁଖପାତ୍ର ଏବଂ ସାଂସଦ ନରେଶ ମହସ୍କେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, “ମ୍ୟାଚ୍କୁ ବିରୋଧ କରିବାର ଶିବସେନା-UBTର କୌଣସି ନୈତିକ ଅଧିକାର ନାହିଁ। କଂଗ୍ରେସ ଯୁଗରେ ମଧ୍ୟ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଖେଳାଯାଉଥିଲା, ଯଦିଓ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ଥିଲା।” ସେ କହିଛନ୍ତି ଯେ ଠାକରେ କ୍ଷମତା ପାଇଁ ହିନ୍ଦୁତ୍ୱ ପରିତ୍ୟାଗ କରିଛନ୍ତି ଏବଂ ପାକିସ୍ତାନକୁ ପ୍ରଶଂସା କରିଛନ୍ତି, ତେଣୁ ସେ ହଠାତ୍ ଏପରି ମ୍ୟାଚ୍କୁ ବିରୋଧ କରିପାରିବେ ନାହିଁ। ଶିବସେନା ସାଂସଦ କହିଛନ୍ତି, “ଯେପର୍ଯ୍ୟନ୍ତ ଆତଙ୍କବାଦ ବନ୍ଦ ନହୁଏ, ସେପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ସ୍ଥାପନ ହୋଇପାରିବ ନାହିଁ। ଏସିଆ କପ୍ ମ୍ୟାଚ୍ ଖେଳିବା ଅର୍ଥ ନୀତିରେ ପରିବର୍ତ୍ତନ ନୁହେଁ। ପାକିସ୍ତାନୀ ଖେଳାଳିଙ୍କ ପାଇଁ IPLର ଦ୍ୱାର ଏବେ ବି ବନ୍ଦ ଅଛି। ବିଶ୍ୱକପ୍ ସମେତ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଏପରି ମ୍ୟାଚ୍ ସବୁବେଳେ ଖେଳାଯାଇଛି।”
ତେବେ ଅପରେସନ ସିନ୍ଦୂର ପରେ ଦୁଇ ଦେଶ ମଧ୍ୟରେ ବଢିଥିବା ଉତ୍ତେଜନା ଭିତରେ ଖେଳାଯାଉଥିବା ଏହି ମ୍ୟାଚକୁ ନେଇ ଅସନ୍ତୋଷ ଦେଖାଇଛନ୍ତି ଅନେକ ଭାରତୀୟ । ହେଲେ ସୁପ୍ରିମକୋର୍ଟ ମଧ୍ୟ, ଏହି ଖେଳ ହେବା ଉଚିତ୍ ବୋଲି କହିଛନ୍ତି । ଯାହାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି । ଅପରେସନ ସିନ୍ଦୁର ପରେ ପାକିସ୍ତାନ ସହ ସିନ୍ଧୁ ନଦୀ ଚୁକ୍ତିକୁ ମାନିବ ନାହିଁ ବୋଲି କହିଛି ଭାରତ । ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ରକ୍ତ ଏବଂ ପାଣି ଏକାଠି ବହିପାରିବ ନାହିଁ” । ଯାହାକୁ ନେଇ ବିରୋଧୀ ପ୍ରଶ୍ନ କରିଛନ୍ତି ଯେ, “କିପରି ରକ୍ତ ଏବଂ କ୍ରିକେଟ ଏକାଠି ପ୍ରବାହିତ ହୋଇପାରିବ?” ।
Comments are closed.