ନୂଆଦିଲ୍ଲୀ: ବିଜେଡିରେ ଅଛୁ, ରହିବୁ । ଦିଲ୍ଲୀରେ ଗର୍ଜିଲେ ବିଜେଡି ସାଂସଦ । ଦଳକୁ ନେଇ ଚାଲିଥିବା ଅପପ୍ରଚାର ବିରୋଧରେ କ୍ଷୋଭ ଝାଡିଲେ। ଦିଲ୍ଲୀରେ ବିଜେଡିର ୭ରାଜ୍ୟସଭା ସାଂସଦ ଏକାଠି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି । ୭ଜଣ ସାଂସଦ ଏକାଠି ରହିଛନ୍ତି ଓ ବିଜେଡି ସହ ସବୁବେଳେ ରହିବେ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ ସବୁବେଳେ ଦୃଢ ଭାବେ ଠିଆ ହୋଇଥିବା କହିଛନ୍ତି । କିଛି ଦିନ ତଳେ ବିଜେଡି ସାଂସଦ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କୁ ସାକ୍ଷାତ କରିଥିଲେ । ସାକ୍ଷାତକାର ଫଟୋକୁ ନେଇ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମ ବିଜେଡି ସାଂସଦ ବିଜେପିରେ ଯୋଗଦେବା ନେଇ ଖବର ପ୍ରସାରଣ କରିଥିଲା। ଏଭଳି ଅପପ୍ରଚାର ବିରୋଧରେ ବର୍ଷିଛନ୍ତି ବିଜେଡି ସାଂସଦ ।
ନବୀନଙ୍କ ସହ ଅଛୁ, ରହିବୁ
ରାଜ୍ୟସଭା ଅଧ୍ୟକ୍ଷ ଭାବେ ଉପରାଷ୍ଟ୍ରପତିଙ୍କୁ ସବୁ ଦଳର ସାଂସଦ ସାକ୍ଷାତ କରନ୍ତି । ତେବେ ତାକୁ ନେଇ ବିଭ୍ରାନ୍ତିକର ଖବର ପ୍ରସାରଣ କରାଯିବା ନିନ୍ଦନୀୟ। ସାକ୍ଷାତକାରକୁ ନେଇ ଭୁଲ ଖବର ପ୍ରସାରଣ କରିବା ଠିକ୍ ନୁହେଁ ବୋଲି ସାଂସଦ ମାନସ ମଙ୍ଗରାଜ କହିଛନ୍ତି । ସେପଟେ ସୁଲତା ଦେଓ କହିଛନ୍ତି, ନବୀନ ଆମ ଧ୍ରୁବତାରା, ଆମେ ତାଙ୍କ ସପ୍ତର୍ଷି ମଣ୍ଡଳ। ଦଳର ସବୁ ସାଂସଦ ତାଙ୍କ ସହ ଅଛନ୍ତି ଓ ରହିବେ । ତୃଣମୂଳସ୍ତରରୁ ରାଜନୀତି କରିଆସିଛନ୍ତି ଓ ବିଜେଡି ଛାଡି କଦାପି ଯିବେ ନାହିଁ ବୋଲି ଦେବାଶିଷ ସାମନ୍ତରାୟ କହିଛନ୍ତି। କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଚାହୁଁନାହାନ୍ତି ଦିଲ୍ଲୀରେ ରାଜ୍ୟର ସ୍ବର ଉଠୁ। ଅନେକ ପ୍ରସଙ୍ଗ ରାଜ୍ୟସଭାରେ ଉଠାଯାଉଛି, ଯାହା ରାଜ୍ୟ ବିଜେପିକୁ ବାଧୁଛି । ସାହାସ ଥିଲେ ତଥ୍ୟ ପ୍ରମାଣ ଆଣିବାକୁ କହିଛନ୍ତି ସସ୍ମିତ ପାତ୍ର ।
ଭ୍ରମାତ୍ମକ ଖବରଠୁ ଦୂରେଇ ରୁହ
ଭ୍ରମାତ୍ମକ ଖବରକୁ ନେଇ ବର୍ଷିଛନ୍ତି ବିଜେଡି ସାଂସଦ। ଏଭଳି ଖବର ପ୍ରସାରଣ କରିଥିବା ଗଣମାଧ୍ୟମ ବିରୋଧରେ ହଜାରେ କୋଟି ଟଙ୍କାର ମାନହାନୀ ମକଦ୍ଦମା କରିବେ ବୋଲି ସାଂସଦ ନିରଞ୍ଜନ ବିଶି କହିଛନ୍ତି । ବିଜେଡିକୁ ବଦନାମ କରାଯାଉଛି । ସାମ୍ବାଦିକଙ୍କ ପାଇଁ ଲକ୍ଷ୍ମଣରେଖା ରହିଛି । ବ୍ୟକ୍ତିଗତ ଅପମାନ କରିବାର ଅଧିକାର ସାମ୍ବାଦିକଙ୍କର ନାହିଁ । ଭ୍ରମାତ୍ମକ ଖବରଠାରୁ ଦୂରେଇ ରହିବାକୁ ବିଜେଡିର ୭ସାଂସଦ ପରାମର୍ଶ ଦେଇଛନ୍ତି । କୌଣସି ବିଜେଡି ସାଂସଦ ଦଳ ଛାଡିବାର ନାହିଁ ବୋଲି ସେମାନେ ପ୍ରେସମିଟରେ ସ୍ପଷ୍ଟ କରିଛନ୍ତି ।
‘ମାଲ୍’ ପ୍ରସଙ୍ଗରେ ଗର୍ଜିଥିଲେ ସୁଲତା
ସାଂସଦ କିଣାବିକା ପ୍ରସଙ୍ଗ ଉଠାଇ ରାଜ୍ୟସଭାରେ ଗର୍ଜିଥିଲେ ସୁଲତା ଦେଓ । ରାଜ୍ୟସଭାରେ ସମ୍ବିଧାନ ବିତର୍କରେ ଭାଗନେଇ ସାଂସଦମାନେ ମାଲ୍ କି ବୋଲି ପ୍ରଶ୍ନ କରିଥିଲେ । ନିକଟରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ଦୁଇ ସାଂସଦ ମମତା ମହନ୍ତ ଓ ସୁଜିତ କୁମାରଙ୍କୁ ଟାର୍ଗେଟ୍ କରିଥିଲେ ସୁଲତା। ପ୍ରଧାନମନ୍ତ୍ରୀଙ୍କୁ ଇଙ୍ଗିତ କରି, ଅଟଳ ବିହାରୀ ବାଜପେୟୀ ମାଲ୍ ନେଉନଥିଲେ, ହେଲେ ଆପଣ ମାଲ୍ ଗୋଟାଇବାରେ ଧୁରନ୍ଧର ବୋଲି ସୁଲତା କହିଥିଲେ । ବିଜେଡିରୁ ଦୁଇଟି ମାଲ କିଣି ନେଇଛନ୍ତି । ଏହା ସମ୍ବିଧାନ ବିରୋଧୀ ନୁହେଁ କି ବୋଲି ସୁଲତା ପ୍ରଶ୍ନ କରିଥିଲେ । ଏହା ଉପରେ ପଏଣ୍ଟ ଅଫ୍ ଅର୍ଡର ଉଠାଇ ବିରୋଧ କରିଥିଲେ ବିଜେପି ସାଂସଦ ସୁଜିତ କୁମାର ।
ରାଷ୍ଟ୍ରପତିଙ୍କୁ ନେଇ ମୁହାଁମୁହିଁ
ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ନିରବତାକୁ ନେଇ ପ୍ରଶ୍ନ କରିଥିଲେ ସୁଲତା ଦେଓ । ରାଷ୍ଟ୍ରପତି କୋଲକାତା ଆରଜି କର ହସପିଟାଲ ଘଟଣାରେ କ୍ଷୋଭ ପ୍ରକାଶ କରିଥିଲେ । ତେବେ ମଣିପୁର ହିଂସାକୁ ନେଇ କେବେ କିଛି କହିନାହାନ୍ତି । ରାଷ୍ଟ୍ରପତିଙ୍କ ନିଜ ରାଜ୍ୟ ଓଡିଶାରେ ନୂଆ ସରକାରରେ ଦୁଷ୍କର୍ମ ଘଟଣା ଘଟୁଛି । ତାକୁ ନେଇ ସେ କାହିଁକି ନିରବ ବୋଲି ସୁଲତା ପ୍ରଶ୍ନ କରିଥିଲେ । ତେବେ ଏହାକୁ ନେଇ ବର୍ଷିଛି ବିଜେପି । ବିଜେଡିର ଜଣେ ରାଜ୍ୟସଭା ସାଂସଦ ରାଷ୍ଟ୍ରପତିଙ୍କୁ ହୀନ ରାଜନୀତି ଭିତରକୁ ଟାଣିଲେ, ଏହା ଓଡିଶାବାସୀଙ୍କ ମନରେ ଦୁଃଖ ଦେଇଛି ବୋଲି ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ କହିଛନ୍ତି । ଏହା ସାଂସଦଙ୍କର ନିଜସ୍ବ ମତ ନା ନବୀନ ବାବୁ ଏଥିରେ ସହମତ? ଯଦି ସହମତି ନାହିଁ ନବୀନବାବୁ କାହିଁକି ଚୁପ୍ ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେଡି ନିର୍ବାଚନ ହାରିବା ପରେ ମମତା ମହନ୍ତ ଓ ସୁଜିତ କୁମାର ଦଳ ଛାଡି ବିଜେପିରେ ସାମିଲ ହୋଇ ପୁଣି ରାଜ୍ୟସଭାକୁ ଯାଇଛନ୍ତି । ଏହାପରଠୁ ଆହୁରି ବିଜେଡି ସାଂସଦ ବିଜେପିକୁ ଆସିବେ ବୋଲି ବିଜେପି ନେତା କହୁଥିବା ବେଳେ ଅନେକ ନାଁକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି । ତେବେ ବିଜେଡିର ୭ସାଂସଦ ନବୀନଙ୍କ ସହ ରହିବେ ବୋଲି କହିଛନ୍ତି ।
Comments are closed.