Latest Odisha News

BREAKING NEWS

ତେଜସ୍ବୀ ସିଏମ୍ ଫେସ୍… କାହିଁକି ସହମତ ହେଉନି କଂଗ୍ରେସ?

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୬ମାସ ବାକି । ଏବେଠୁ ସବୁ ରାଜନୈତିକ ଦଳ ଗ୍ରାଉଣ୍ଡରେ ସକ୍ରିୟ ରହିଛନ୍ତି । ଏନଡିଏ ବିହାରର ସବୁ ଜିଲ୍ଲାରେ ମିଳିତ କର୍ମକର୍ତ୍ତା ସମ୍ମିଳନୀ କରୁଛି ତ ସମ୍ବାଦ କାର୍ଯ୍ୟକ୍ରମ କରୁଛନ୍ତ ତେଜସ୍ବୀ ଯାଦବ । ସେପଟେ ରାଜ୍ୟରେ ନେତୃତ୍ବ ପରିବର୍ତ୍ତନ ପରେ କଂଗ୍ରେସ ନିଜ ପୁରୁଣା ଭୋଟବ୍ୟାଙ୍କ ଫେରାଇ ଆଣିବାକୁ ଉଦ୍ୟମ କରୁଛି । ମହାଗଠବନ୍ଧନରେ ସାମିଲ ହେବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି । ହେଲେ ତେଜସ୍ବୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଏପର୍ଯ୍ୟନ୍ତ ସହମତି ଦେଇନି କଂଗ୍ରେସ । ଏପରିକି ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ଚେହେରା ନେଇ ନିଷ୍ପତ୍ତି ନିଆଯିବ ବୋଲି ବିହାର କଂଗ୍ରସ ପ୍ରଭାରୀ କ୍ରିଷ୍ଣା ଆଲ୍ଲାବରୁ କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି, କାହିଁକି ତେଜସ୍ବୀଙ୍କୁ ନେଇ ସହମତ ନୁହେଁ କଂଗ୍ରେସ?

କାହିଁକି ସହମତ ନୁହେଁ କଂଗ୍ରେସ?

ବିହାରରେ ଯେତେବେଳେ କଂଗ୍ରେସ ମଜବୁତ ସ୍ଥିତିରେ ଥିଲା, ସେତେବେଳେ ଦଳ ପାଇଁ ସବର୍ଣ୍ଣ ଓ ଦଳିତ ସମୀକରଣ ସବୁଠୁ ବଡ଼ ଫ୍ୟାକ୍ଟର ହୋଇଥିଲା । ଏବେ ପୁଣି ରାଜ୍ୟରେ ନିଜ ପୁରୁଣା ଭୋଟରଙ୍କୁ ଖାତାକୁ ଆଣିବାକୁ ଚାହୁଁଛି କଂଗ୍ରେସ । ତେବେ ତେଜସ୍ବୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ସହମତି ଦେଖାଇଲେ କଂଗ୍ରେସର ସବର୍ଣ୍ଣ ଓ ଦଳିତ ଭୋଟବ୍ୟାଙ୍କ ଉପରେ ଏହା ପ୍ରଭାବ ପକାଇପାରେ । ସବୁ ବର୍ଗର ଲୋକଙ୍କୁ ନେଇ ରାଜନୀତି କରିବାକୁ ତେଜସ୍ବୀ କହୁଥିଲେ ମଧ୍ୟ ଲାଲୁପ୍ରସାଦ ଯାଦବଙ୍କ ମୁସଲିମ ଓ ଯାଦବ ଭୋଟବ୍ୟାଙ୍କ ଆରଜେଡିର ସବୁଠୁ ବଡ଼ ବଳ । ଅନେକ ଉଦ୍ୟମ ପରେ ମଧ୍ୟ ସବର୍ଣ୍ଣ ଭୋଟରଙ୍କର ତେଜସ୍ବୀଙ୍କ ପ୍ରତି ସେଭଳି ସମର୍ଥନ ଦେଖିବାକୁ ମିଳୁନି । ଗ୍ରାଉଣ୍ଡରେ ଦଳିତ ଓ ଯାଦବ ଭୋଟରଙ୍କ ମଧ୍ୟରେ ରହିଆସିଥିବା ସଂପର୍କ ଯୋଗୁଁ ଦଳିତ ଭୋଟର ବି ଆରଜେଡି ସମର୍ଥନରେ ପୂର୍ଣ୍ଣ ରୂପେ ଠିଆ ହେଉନାହାନ୍ତି । ତେଣୁ ତେଜସ୍ବୀଙ୍କ ନାଁରେ କଂଗ୍ରେସ ମୋହର ମାରିଲେ ସବର୍ଣ୍ଣ ଓ ଦଳିତ ଭୋଟର ଅସନ୍ତୁଷ୍ଟ ହୋଇପାରନ୍ତି । ଯାହା କଂଗ୍ରେସ ଚାହୁଁନଥିବା ରାଜନୈତିକ ବିଶେଷଜ୍ଞ କହୁଛନ୍ତି ।

କଂଗ୍ରେସର ବିହାର ପ୍ଲାନ୍

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ନେତୃତ୍ବ ପରିବର୍ତ୍ତନ କରିଛି କଂଗ୍ରେସ। ଦଳିତ ନେତା ରାଜେଶ ରାମଙ୍କୁ ଦଳ ରାଜ୍ୟ ମୁଖ୍ୟ ପଦରେ ବସାଇଛି । ସେପଟେ କହ୍ନେୟା କୁମାରଙ୍କ ପରି ଯୁବ ଚେହେରା ପଳାୟନ ରୋକ ରୋଜଗାର ଦିଅ ଯାତ୍ରାର ନେତୃତ୍ବ ନେଉଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି କଂଗ୍ରେସ ଏଥର ପୁରୁଣା ଭୋଟରଙ୍କୁ ନିଜ ଆଡକୁ ଆଣିବାକୁ ରଣନୀତି କରୁଛି । ଭୂମିହାର ଜାତିର କହ୍ନେୟା କୁମାରଙ୍କ ଦ୍ବାରା ସବର୍ଣ୍ଣ ଭୋଟବ୍ୟାଙ୍କ ତ ରାଜେଶ ରାମଙ୍କ ଦ୍ବାରା ଦଳିତ ଭୋଟ ନିଜ ଖାତାକୁ ଆଣିବାକୁ ଚାହୁଁଛି କଂଗ୍ରେସ । ସମ୍ବିଧାନ ସୁରକ୍ଷା ସମ୍ମେଳନ ହେଉ କି ଦଳିତ ନେତା ଜଗଦଲ ଚୌଧୁରୀଙ୍କ ଜନ୍ମ ବାର୍ଷିକୀରେ ରାହୁଲ ଗାନ୍ଧୀ ଯୋଗ ଦେବା, ଦଳିତ ଭୋଟବ୍ୟାଙ୍କ ପାଇଁ ଅନେକ ପୂର୍ବରୁ ରଣନୀତି କରୁଛି କଂଗ୍ରେସ ।

ସିଟ୍ ପାଇଁ ପ୍ରେସର ପଲିଟିକ୍ସ !

ତେଜସ୍ବୀଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଉପରେ କଂଗ୍ରେସ ସହମତ ନହେବା ପଛରେ ଆଉ ଏକ କାରଣ ହୋଇପାରେ ସିଟ୍ ପାଇଁ ପ୍ରେସର ପଲିଟିକ୍ସ। ୨୦୨୦ ବିଧାନସଭା ନିର୍ବାଚନରେ ୭୦ଟି ସିଟରେ ଲଢି ୧୯ଟିରେ ବିଜୟୀ ହୋଇଥିଲା କଂଗ୍ରେସ । ସେତେବେଳେ ମହାଗଠବନ୍ଧନ ସରକାର କ୍ଷମତାକୁ ନଆସିବା ନେଇ କଂଗ୍ରେସକୁ ଦାୟୀ କରିଥିଲା ଆରଜେଡି । ତେଣୁ ଏଥର ତେଜସ୍ବୀ ପୁରୁଣା ଭୁଲ ଦୋହରାଇବାକୁ ଚାହିଁବେନି । କଂଗ୍ରେସକୁ ୭୦ଟି ସିଟ୍ ଦେବାକୁ ରାଜି ହୋଇନପାରେ ଆରଜେଡି । ଯେବେକି କଂଗ୍ରେସ କମ୍ ସିଟରେ ରାଜି ହେବା ମୁଡରେ ନାହିଁ । ତେଣୁ ତେଜସ୍ବୀଙ୍କ ନାଁରେ ମୋହର ନମାରି ଆରଜେଡି ଉପରେ ଚାପ ପକାଇବାକୁ କଂଗ୍ରେସ ଉଦ୍ୟମ କରୁଥିବା କୁହାଯାଉଛି ।

ବିହାରରେ ଆଗାମୀ ନିର୍ବାଚନକୁ ନେଇ ତେଜସ୍ବୀ ସରକାର ନାରା ଲଗାଉଛି ଆରଜେଡି । କାରଣ ରାଜ୍ୟରେ ନୀତିଶଙ୍କ ବିକଳ୍ପ ଭାବେ ତେଜସ୍ବୀଙ୍କୁ ହିଁ ଦେଖାଯାଉଛି । ୨୦୨୦ରେ ତେଜସ୍ବୀ ଅଳ୍ପକେ କ୍ଷମତା ହାତଛଡା କରିଥିବା ବେଳେ ଏଥର ତାଙ୍କ ନେତୃତ୍ବରେ ସରକାର ଗଠନ ନେଇ ଦମ୍ଭ ଦେଖାଉଛି ଆରଜେଡି । ତେବେ ମହାଗଠବନ୍ଧନର ନେତୃତ୍ବକୁ ନେଇ କଂଗ୍ରେସର ଭିନ୍ନ ସ୍ବର ମେଣ୍ଟକୁ ଅଡୁଆରେ ପକାଇପାରେ ।

Comments are closed.