Latest Odisha News

ବିଶ୍ୱରେ ତେଲ ପାଇଁ ସଂଘର୍ଷ ୧୯୭୩ ସଙ୍କଟର ହେବ କି ପୁନରାବୃତ୍ତି ?

ନୂଆଦିଲ୍ଲୀ: ବିଶ୍ୱ ଏବେ ଏକ ବଡ଼ ଧରଣର ଶକ୍ତି ସଙ୍କଟ ଆଡ଼କୁ ଗତି କରୁଛି। ଗୋଟିଏ ପଟେ ଆମେରିକାର ‘ଅପରେସନ୍ ଏପିକ୍ ଫ୍ୟୁରି’ ଏବଂ ଅନ୍ୟପଟେ ଇରାନର ହୋର୍ମୁଜ୍ ଷ୍ଟ୍ରେଟ୍ ଉପରେ କଟକଣା, ଏହି ସ୍ଥିତି ୧୯୭୩ ମସିହାର ସେହି ଭୟଙ୍କର ତୈଳ ସଙ୍କଟର ସ୍ମୃତିକୁ ତାଜା କରିଦେଇଛି। ଯେଉଁ ସମୟରେ ଆରବ-ଇସ୍ରାଏଲ ଯୁଦ୍ଧ ସାରା ବିଶ୍ୱର ଅର୍ଥନୀତିକୁ ଦୋହଲାଇ ଦେଇଥିଲା। ଆଜିର ‘ବିଶେଷ ରିପୋର୍ଟ’ରେ ଦେଖନ୍ତୁ, କେମିତି ଇତିହାସ ନିଜକୁ ଦୋହରାଉଛି।

ସାମ୍ପ୍ରତିକ ସ୍ଥିତି ଅତ୍ୟନ୍ତ ଗମ୍ଭୀର। ଆମେରିକା ଏବେ ଇରାନ ବିରୋଧରେ ସ୍ଥଳଭାଗରେ ଅପରେସନ୍ ପାଇଁ ପ୍ରସ୍ତୁତି ଚଳାଇଛି। ଲକ୍ଷ୍ୟ ହେଉଛି—ଇରାନର ମୁଖ୍ୟ ତୈଳ ରପ୍ତାନି କେନ୍ଦ୍ର ‘ଖାର୍ଗ ଆଇଲ୍ୟାଣ୍ଡ’କୁ କବଜା କରିବା। ଏହାସହ ହୋର୍ମୁଜ୍ ଷ୍ଟ୍ରେଟ୍‌ରେ ଥିବା ମିସାଇଲ୍ ସାଇଟ୍‌ଗୁଡ଼ିକୁ ନଷ୍ଟ କରିବା ପାଇଁ ଆମେରିକା ରଣନୀତି ପ୍ରସ୍ତୁତ କରିଛି।

ଅନ୍ୟପଟେ ଇରାନ, ହୋର୍ମୁଜ୍ ଷ୍ଟ୍ରେଟ୍‌ରେ ଜାହାଜ ଚଳାଚଳକୁ ପ୍ରାୟତଃ ବନ୍ଦ କରିଦେଇଛି। ଦୈନିକ ୨ କୋଟି ବ୍ୟାରେଲ୍ ତେଲର ପରିବହନ ବାଧାପ୍ରାପ୍ତ ହେଉଛି, ଯାହା ବିଶ୍ୱର ମୋଟ ବ୍ୟବହାରର ୨୦ ପ୍ରତିଶତ। ଫଳସ୍ୱରୂପ, ଅଶୋଧିତ ତୈଳର ଦର ବ୍ୟାରେଲ ପିଛା ୬୬ ଡଲାରରୁ ବଢ଼ି ୧୦୦ ଡଲାର ପାର୍ କରିଛି।

ତେବେ ଏହି ସଙ୍କଟ ଆଜି ନୂଆ ନୁହେଁ। ଠିକ୍ ୫୦ ବର୍ଷ ପୂର୍ବେ, ୬ ଅକ୍ଟୋବର ୧୯୭୩ରେ ଆରମ୍ଭ ହୋଇଥିବା ‘ଯୋମ୍ କିପୁର’ ଯୁଦ୍ଧ ସମାନ ସ୍ଥିତି ସୃଷ୍ଟି କରିଥିଲା। ମିଶର ଏବଂ ସିରିଆ ନିଜର ହରାଇଥିବା ଭୂଖଣ୍ଡ ଫେରିପାଇବା ପାଇଁ ଇସ୍ରାଏଲ ଉପରେ ହଠାତ୍ ଆକ୍ରମଣ କରିଥିଲେ। ଫଳରେ ଆମେରିକାର ସମର୍ଥନ ପାଇ ଇସ୍ରାଏଲ୍ ପାଲଟା ଆକ୍ରମଣ କରିଥିଲା। ଏହି ରକ୍ତାକ୍ତ ସଂଘର୍ଷରେ ଆରବ ଦେଶଗୁଡ଼ିକର ୪୪୦ରୁ ଅଧିକ ବିମାନ ନଷ୍ଟ ହୋଇଥିଲା। ଶେଷରେ ହାର ମାନିବା ପରିବର୍ତ୍ତେ ଆରବ ଦେଶଗୁଡ଼ିକ ‘ତୈଳ’କୁ ଅସ୍ତ୍ର ଭାବେ ବ୍ୟବହାର କରିଥିଲେ।

୧୭ ଅକ୍ଟୋବର ୧୯୭୩ରେ ଆରବ ଦେଶଗୁଡ଼ିକ ଆମେରିକା ଏବଂ ସହଯୋଗୀ ଦେଶମାନଙ୍କୁ ତେଲ ରପ୍ତାନି ବନ୍ଦ କରିଦେଲେ। ମାତ୍ର କିଛି ମାସ ମଧ୍ୟରେ ତେଲ ଦର ୨.୮୦ ଡଲାରରୁ ବୃଦ୍ଧି ପାଇ ୧୧.୬୫ ଡଲାରରେ ପହଞ୍ଚିଲା। ଅର୍ଥାତ୍ ଦର ପ୍ରାୟ ୪ ଗୁଣ ବଢ଼ିଗଲା। ଏହାର ପ୍ରଭାବରେ ସାରା ବିଶ୍ୱରେ ଇନ୍ଧନ ପାଇଁ ହାହାକାର ପଡ଼ିଲା। ଆମେରିକା ଓ ୟୁରୋପରେ ବେକାରୀ ସମସ୍ୟା ଓ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଲା। ପ୍ରଥମ କରି ବିଶ୍ୱ ସମ୍ମୁଖରେ ‘ଓପେକ୍’ (OPEC) ଏକ ଶକ୍ତିଶାଳୀ ସଂଗଠନ ଭାବେ ଉଭା ହେଲା।
୧୯୭୩ର ସେହି ସଙ୍କଟ ବିଶ୍ୱକୁ ଶିଖାଇଥିଲା ଯେ ଶକ୍ତି ସୁରକ୍ଷା କେତେ ଗୁରୁତ୍ୱପୂର୍ଣ୍ଣ। ଆଜି ପୁଣି ଥରେ ମଧ୍ୟପ୍ରାଚ୍ୟରେ ସେଭଳି ସ୍ଥିତି ଉପୁଜିଛି। ଯଦି ସମୟ ଥାଉଥାଉ କୂଟନୈତିକ ସ୍ତରରେ ଏହାର ସମାଧାନ ନହୁଏ, ତେବେ ବିଶ୍ୱ ଅର୍ଥନୀତି ପୁଣି ଥରେ ଧରାଶାୟୀ ହେବାର ଆଶଙ୍କା ରହିଛି।

Leave A Reply

Your email address will not be published.