ନୂଆଦିଲ୍ଲୀ: ଦେଶରେ ଔଷଧ ମୂଲ୍ୟ ବୃଦ୍ଧି ସମ୍ପର୍କରେ ସରକାରୀ ସୂତ୍ରରୁ ଖବର ମିଳିଛି। କ୍ୟାନସର, ଡାଇବେଟିସ୍, ହୃଦ୍ରୋଗ ଏବଂ ଆଣ୍ଟିବାୟୋଟିକ୍ ଭଳି ସରକାରୀ ନିୟନ୍ତ୍ରଣାଧୀନ ଔଷଧଗୁଡ଼ିକର ଦର ଶୀଘ୍ର ବଢ଼ିବାକୁ ଯାଉଛି। ଏହି ଔଷଧଗୁଡ଼ିକର ମୂଲ୍ୟ ୧.୭ ପ୍ରତିଶତ ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି। ଏବେ ଦେଶରେ ଏହିସବୁ ରୋଗୀଙ୍କ ସଂଖ୍ୟା ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ବ୍ୟାପିଲାଣି । ଏପରି ସ୍ଥିତିରେ ଯଦି ଏହି ରୋଗର ଔଷଧ ବଢ଼ିବ ତାହେଲେ ରୋଗୀଙ୍କ ପକେଟ ଉପରେ ଏହା ଆଉ ଏକ ବୋଝ ପାଲଟିବାକୁ ଯାଉଛି।
ଏହି ମୂଲ୍ୟ ବୃଦ୍ଧି ସମ୍ପର୍କରେ ଅଲ୍ ଇଣ୍ଡିଆ ଅର୍ଗାନାଇଜେସନ୍ ଅଫ୍ କେମିଷ୍ଟସ୍ ଆଣ୍ଡ୍ ଡ୍ରଗିଷ୍ଟସ୍ (ଏଆଇଓସିଡି)ର ସାଧାରଣ ସମ୍ପାଦକ ରାଜୀବ ସିଂଘଲ କହିଛନ୍ତି ଯେ, ଏହା ଔଷଧ ଶିଳ୍ପକୁ କିଛି ଆଶ୍ୱାସନା ଦେବ। କାରଣ କଞ୍ଚାମାଲ ଏବଂ ଅନ୍ୟାନ୍ୟ ଖର୍ଚ୍ଚର ମୂଲ୍ୟ ବଢ଼ିବାରେ ଲାଗିଛି। ସେ ଆହୁରି କହିଛନ୍ତି, ବଜାରରେ ନୂଆ ମୂଲ୍ୟ ପ୍ରଭାବୀ ହେବାକୁ ଆଉ ଦୁଇରୁ ତିନି ମାସ ଲାଗିପାରେ। କାରଣ ବର୍ତ୍ତମାନ ବଜାରରେ ପ୍ରାୟ ୯୦ ଦିନର ବିକ୍ରି ଯୋଗ୍ୟ ଔଷଧ ଷ୍ଟକ ରହିଛି।
ଅନ୍ୟପଟେ, ସଂସଦୀୟ ସ୍ଥାୟୀ ସମିତିର ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଔଷଧ କମ୍ପାନୀମାନେ ବାରମ୍ବାର ମୂଲ୍ୟ ନିୟମାବଳୀ ଉଲ୍ଲଂଘନ କରୁଛନ୍ତି। ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି (ଏନପିପିଏ) ଦ୍ୱାରା ଏପର୍ଯ୍ୟନ୍ତ ୩୦୭ଟି ଉଲ୍ଲଂଘନର ଘଟଣା ଚିହ୍ନଟ ହୋଇଛି। ଏନପିପିଏ ହେଉଛି ଭାରତର ଏକ ନିୟାମକ ସଂସ୍ଥା, ଯିଏ ଡ୍ରଗ୍ (ପ୍ରାଇସେସ୍ କଣ୍ଟ୍ରୋଲ) ଅର୍ଡର, ୨୦୧୩ ଅନୁସାରେ ଔଷଧର ସର୍ବାଧିକ ମୂଲ୍ୟ ନିର୍ଦ୍ଧାରଣ କରିଥାଏ। ସମସ୍ତ ଉତ୍ପାଦକ ଏବଂ ବିକ୍ରେତାଙ୍କୁ ଏହି ସର୍ବାଧିକ ମୂଲ୍ୟରେ କିମ୍ବା ତା’ଠାରୁ କମ୍ରେ (ଜିଏସ୍ଟି ସହିତ) ଔଷଧ ବିକ୍ରି କରିବାକୁ ପଡ଼ିଥାଏ।
ଚଳିତ ମାସ ଆରମ୍ଭରେ ରସାୟନ ଓ ସାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ, ନ୍ୟାସନାଲ ଲିଷ୍ଟ ଅଫ୍ ଏସେନ୍ସିଆଲ ମେଡିସିନ୍ସ, ୨୦୨୨ ଅନ୍ତର୍ଗତ ଔଷଧଗୁଡ଼ିକର ମୂଲ୍ୟ ସୀମା ନିର୍ଦ୍ଧାରଣ ଯୋଗୁଁ ଔଷଧର ହ୍ରାସ ହୋଇଥିବା ମୂଲ୍ୟ ଦେଶର ରୋଗୀମାନଙ୍କୁ ବାର୍ଷିକ ପ୍ରାୟ ୩,୭୮୮ କୋଟି ଟଙ୍କାର ସଞ୍ଚୟ କରିଦେଇଛି।
Comments are closed.