Latest Odisha News

BREAKING NEWS

ନୀତିଶଙ୍କ ଦିଲ୍ଲୀ ଚଲୋ ରାସ୍ତା ସହଜ ହେବ କି?

ଓଡ଼ିଶା ସମ୍ବାଦ ବ୍ୟୁରୋ: ନୀତିଶ କୁମାରଙ୍କ ଦିଲ୍ଲୀ ଚଲୋ ଅଭିଯାନକୁ ନେଇ ଏବେ ଚାରିଆଡେ ଚର୍ଚା  । ଗତ ତିନି ଦିନ ଭିତରେ ଅନେକ ବିରୋଧୀ ନେତାଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ନୀତିଶଙ୍କ ଦଳ ଜେଡିୟୁ ନୀତିଶଙ୍କୁ ପ୍ରଧାନମନ୍ତ୍ରୀ ପାଇଁ ଯୋଗ୍ୟ ପ୍ରାର୍ଥୀ କହୁଥିବା ବେଳେ ନୀତିଶ କିନ୍ତୁ  ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ନେଇ ମନା କରୁଛନ୍ତି । ସେ କେବଳ ବିରୋଧୀଙ୍କୁ ଏକତାସୂତ୍ରରେ ବାନ୍ଧିବାକୁ ଦିଲ୍ଲୀରେ ନେତାଙ୍କ ସହ ଆଲୋଚନା କରିଥିବା କହିଛନ୍ତି ।

ତେବେ ଏକଥା ସତ ଯେ ନୀତିଶଙ୍କୁ ଜେଡିୟୁ ଏବଂ ଆରଜେଡି ଦଳ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ 2024ରେ ଓହ୍ଲାଇବାକୁ ନିଷ୍ପତ୍ତି ନେଇସାରିଛନ୍ତି । ତେବେ ବିରୋଧୀ ମେଳିରେ ଏପରି ଅନେକ ନେତା ଅଛନ୍ତି ଯେଉଁମାନେ ପ୍ରଧାନମନ୍ତ୍ରୀ ପଦ ପାଇଁ ନିଜକୁ ଦାବିଦାର ମନେ କରନ୍ତି । ତେଣୁ 2024 ରେ ପ୍ରଧାନମନ୍ତ୍ରୀ ପଦପାଇଁ ନୀତିଶଙ୍କୁ ଅନେକ ବିରୋଧୀ ନେତାଙ୍କ ସହ କଡା ମୁକାବିଲା କରିବାକୁ ପଡ଼ିପାରେ ।
ବିହାରରେ ସରକାର ବଦଳିବା ପରେ ଦିଲ୍ଲୀରେ ମିଳିତ ମଞ୍ଚ ଗଠନ ପାଇଁ ବିରୋଧୀ ଦଳମାନଙ୍କ ମୁଖିଆ ସହ ଭେଟିଛନ୍ତି ନୀତିଶ । ଅବଶ୍ୟ ସାକ୍ଷାତ ଆଲୋଚନାର ଏଜେଣ୍ଡା ଏବେ ଗଣମାଧ୍ୟମ ଆଗରେ କେହି କହୁନଥିବା ବେଳେ ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ବିଜେପିକୁ 2024 ନିର୍ବାଚନରେ ରୋକିବା ।

ବିଜେପି ବିରୋଧୀଙ୍କୁ ଏକଜୁଟ କରିବା ଏବଂ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ପ୍ରାର୍ଥୀ ହେବା ଦୁଇଟି ସମାନ କଥା ନୁହେଁ । ଏବେ ନୀତିଶ ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ଲାଗିଥିବାବେଳେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବିରୋଧୀଙ୍କ ମଧ୍ୟରୁ କିଏ ହେବ ସେ ନେଇ କେହି ମୁହଁ ଖୋଲୁନାହାଁନ୍ତି ।
ନୀତିଶ କୁମାର ଗତ ତିନି ଦିନରେ କଂଗ୍ରେସର ରାହୁଲ ଗାନ୍ଧୀଙ୍କଠାରୁ ଆରମ୍ଭ କରି ଆମ୍ ଆଦମୀ ପାର୍ଟି ନେତା ଅରବିନ୍ଦ କେଜ୍ରିୱାଲଙ୍କ ସହ ବିଭିନ୍ନ ବିଜେପି ବିରୋଧୀ ଦଳର ନେତାଙ୍କୁ ଭେଟିଛନ୍ତି । ଆଗାମୀ ଦିନରେ ସେ ନବୀନ ପଟ୍ଟନାୟକ, ମମତା ବାନାର୍ଜୀଙ୍କ ସହ ମଧ୍ୟ ଏନେଇ ଆଲୋଚନା କରିପାରନ୍ତି ।

 

ନୀତୀଶଙ୍କ ମିଶନ 2024 ଲୋକସଭା ନିର୍ବାଚନ ମିଶନର ଦୁଇଟି ବଡ ଲକ୍ଷ୍ୟ ରହିଛି । ଗୋଟିଏ ହେଉଛି ବିରୋଧୀ ଏକତା ଏବଂ ଦ୍ବିତୀୟରେ ବିଜେପିକୁ ସରକାରରୁ ହଟାଇବା । ଜେଡିୟୁର ପାଟନା କାର୍ଯ୍ୟାଳୟରେ ନୀତିଶ କୁମାରଙ୍କ ଯେଉଁ ବ୍ୟାନର, ପୋଷ୍ଟର ରଖାଯାଇଛି ତାହାକୁ ଦେଖିଲେ ଏହା କୁହାଯିବ ଯେ ନୀତିଶଙ୍କ ପାଇଁ ରୋଡ ମ୍ୟାପ ସରିଛି । ଏସବୁ ପୋଷ୍ଟର ସାରା ଦେଶ ପାଇଁ ପସ୍ତୁତ ହୋଇଥିବା କୁହାଯାଉଛି ।
ସେପଟେ ନୀତିଶଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାରେ ବଡ଼ ପ୍ରତିବନ୍ଧକ ହେଉଛି କଂଗ୍ରେସ । କାରଣ କଂଗ୍ରେସ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛି । କେଜ୍ରିୱାଲଙ୍କ ପାର୍ଟି ଆପ ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ବାତାବରଣ ସୃଷ୍ଟି କରିବା ଆରମ୍ଭ କରିଛି। ରାହୁଲ ଏବଂ କେଜ୍ରିୱାଲଙ୍କ ବ୍ୟତୀତ ପଶ୍ଚିମବଂଗର ମମତା ବାନାର୍ଜୀ, ମହାରାଷ୍ଟ୍ରର ଶରଦ ପାୱାର, ଉତ୍ତରପ୍ରଦେଶର ଅଖିଳେଶ ଯାଦବ ମିଳିତ ମଞ୍ଚର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ଅପେକ୍ଷାରେ ଅଛନ୍ତି ।
ଯଦିଓ ନୀତୀଶ ଏବେ ବିରୋଧୀ ମଂଚ ଗଠନ କରିବାରେ ସଫଳ ହୁଅନ୍ତି, ତେବେ ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ପାଇଁ ରାହୁଲ, କେଜ୍ରିୱାଲ, ମମତା, ଅଖିଳେଶ ଏବଂ ପାୱାରଙ୍କୁ ମନେଇବାକୁ ପଡିବ । ଯାହାକି ସେମାନଙ୍କ ଦଳ ଗ୍ରହଣ କରିବା ଅସମ୍ଭବ ମନେହୁଏ । ତେଣୁ ନୀତୀଶଙ୍କ ଦିଲ୍ଲୀ ଦରବାର ରାସ୍ତାରେ ଅନେକ ବଡ ପଥର ରହିଛି ଯାହାକୁ ହଟାଇବା ନୀତିଶଙ୍କ ପାଇଁ କାଠିକର ପାଠ ହେବ ବୋଲି କୁହାଯାଇପାରେ ।

Leave A Reply

Your email address will not be published.