Latest Odisha News

କେସିଆରଙ୍କ ‘ଆମ୍ବାସଡାର’ରେ ଦୁଇ ପ୍ରତିଦ୍ୱନ୍ଦୀ ଗମାଙ୍ଗ-ପାଙ୍ଗୀ ରହିପାରିବେ ତ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଉଭୟ ପରସ୍ପରର ରାଜନୈତିକ ପ୍ରତିଦ୍ବନ୍ଦୀ। କଂଗ୍ରେସ-ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ। କିନ୍ତୁ ନିଜ ଭିତରେ ଥିବା ମତଭେଦ ପାଇଁ ଅସୁରକ୍ଷିତ ମନେ କରିଥିଲେ। ଏବେ କିନ୍ତୁ ଉଭୟ ପଦ୍ମ ପ୍ଲାଟଫର୍ମ ଛାଡି ଧଳା ରଙ୍ଗର ‘ଆମ୍ବାସଡାର’ (ବିଆରଏସ ଲୋଗୋ)ରେ ବସିବାକୁ ସ୍ଥିର କରିଛନ୍ତି। ଦକ୍ଷିଣ ଓଡିଶା ରାଜନୀତିର ଦୁଇ ପ୍ରମୁଖ ଚେହେରା ଗିରିଧର ଗମାଙ୍ଗ ଏବଂ ଜୟରାମ ପାଙ୍ଗୀ ଭାରତ ରାଷ୍ଟ୍ର ସମିତିରେ ସାମିଲ ହେବା ପରେ ଏପରି କିଛି ଚର୍ଚ୍ଚା ବଢିଛି।

ଶୁକ୍ରବାର ବିଆରଏସରେ ସାମିଲ ହୋଇଛନ୍ତି ଏହି ଦୁଇ ପ୍ରମୁଖ ନେତା। କୋରାପୁଟ ରାଜନୀତିରେ ଉଭୟ ବେଶ ସକ୍ରିୟ। ଗିରିଧର ଗମାଙ୍ଗ (୫) ଏବଂ ତାଙ୍କ ପତ୍ନୀ ହେମା ଗମାଙ୍ଗ (୧) ଜୟରାମ ପାଙ୍ଗୀକୁ ମୋଟ୍ ୬ ଥର ନିର୍ବାଚନରେ ପରାସ୍ତ କରିଛନ୍ତି। ସେହିପରି ଜୟରାମ ପାଙ୍ଗୀ ଗିରଧରଙ୍କୁ ୨୦୦୯ରେ ହରାଇଥିଲେ।

ସନ୍ଦୀପଙ୍କ ସହ ଜବାବ ସୁଆଲରେ ଯୋଗ ଦେଇ ଗିରିଧର ଗମାଙ୍ଗଙ୍କ ପୁଅ ଶିଶିର ଗମାଙ୍ଗ କହିଥିଲେ, ସେ ଓ ତାଙ୍କ ବାପା ବିଜେପିରେ ଯୋଗ ଦେବା ବେଳେ ତତ୍କାଳୀନ ବିଜେପି ସଭାପତି ଅମିତ ଶାହ, ସାଂସଦ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ସେତେବେଳେ ଗିରିଧର କୋରାପୁଟ ସାଂସଦ ଆସନ ପାଇଁ ସର୍ତ୍ତ ରଖିଥିଲେ। ଆଉ ସମସ୍ତେ ହଁ ମାରିଥିଲେ ବୋଲି ଶିଶିର ଗମାଙ୍ଗ କହିଛନ୍ତି।

ହେଲେ ଏହାପରେ ଜୟରାମ ପାଙ୍ଗୀ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ। ଯାହାକୁ ନେଇ ଉଭୟ ବାପ-ପୁଅ ଅସୁରକ୍ଷିତ ମନେ କରିଥିଲେ। କାରଣ ପାଙ୍ଗୀ ଏବଂ ଗମାଙ୍ଗଙ୍କ ମଧ୍ୟରେ ରାଜନୈତିକ ଶତ୍ରୁତା ବା ପ୍ରତିଦ୍ୱନ୍ଦିତା ରହିଛି। ତେଣୁ ଏପରି ସ୍ଥିତିରେ ଉଭୟ ଅସନ୍ତୁଷ୍ଟ ହୋଇଥିଲେ। ଏହାପରେ ସଙ୍ଗେସଙ୍ଗେ ୨୦୧୯ରେ ଗୁଣୁପୁର ଆସନ ପାଇଁ ଟିକେଟ୍ ମିଳିଥିଲା ବୋଲି ଶିଶିର ଗମାଙ୍ଗ କହିଛନ୍ତି। ଯାହାକୁ ନେଇ ସେ ପ୍ରସ୍ତୁତ ନଥିଲେ ବି ନିର୍ବାଚନ ଲଢିଥିଲେ ବୋଲି ଶିଶିର କହିଛନ୍ତି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉଭୟ ଗମାଙ୍ଗ ଏବଂ ପାଙ୍ଗୀ ପରିବାର ମଧ୍ୟରେ ରାଜନୈତିକ ଶତ୍ରୁତା ରହିଛି। ଉଭୟ ଗୋଟିଏ ଅଞ୍ଚଳର ନେତା। ଉଭୟଙ୍କ ରାଜନୈତିକ ସ୍ଥିତି ସେଭଳି କିଛି ପୂର୍ବଭଳି ନାହିଁ। ଏବେ ଦଳ ନୂଆ ହୋଇଥିବାରୁ ସେମାନଙ୍କୁ ପୁଣି ଗ୍ରାଉଣ୍ଡ ଜିରୋକୁ ଯାଇ ଲଢିବାକୁ ହେବ। ଏପରି ସ୍ଥିତିରେ ଉଭୟ ଧଳା ଆମ୍ବାସଡାର (ବିଆରଏସର ଲୋଗୋ)ରେ ଏକାଠି ବସିପାରିବେ ତ?

 

 

 

Comments are closed.