Parliament Winter Session: ଡିସେମ୍ବର ୧୫ ପୂର୍ବରୁ ସଂସଦରେ ଶୀତ ଅଧିବେଶନ? ମନ୍ତ୍ରୀଙ୍କୁ ମୋଦୀଙ୍କ କଡ଼ା ନିର୍ଦ୍ଦେଶ, ବିଦେଶ ଗସ୍ତ ଉପରେ ଲାଗିପାରେ ରୋକ୍!
ନୂଆଦିଲ୍ଲୀ: ସଂସଦରେ ଆରମ୍ଭ ହେବ ରାଜନୈତିକ ମହାଲଢ଼େଇ! ଡିସେମ୍ବର ୧୫ ପୂର୍ବରୁ ଶୀତ ଅଧିବେଶନ ଡାକିବାକୁ ସରକାରୀ ସ୍ତରରେ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ନିଜ ମନ୍ତ୍ରୀମଣ୍ଡଳର ସଦସ୍ୟଙ୍କୁ ଆଗୁଆ ସତର୍କ କରାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅଧିବେଶନ ପୂର୍ବରୁ ସମସ୍ତ ମନ୍ତ୍ରଣାଳୟ ନିଜ ନିଜର ପ୍ରସ୍ତୁତି ଶେଷ କରିବା ସହ ବିଦେଶ ଗସ୍ତ ନକରିବାକୁ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିବା ଜଣାପଡ଼ିଛି। ତେବେ ଏଥର ସଂସଦରେ କେବଳ ଶୀତ ଅଧିବେଶନ ନୁହେଁ, ମହିଳା ସଂରକ୍ଷଣ ଓ ନିର୍ବାଚନମଣ୍ଡଳୀ ପୁନଃସୀମା ନିର୍ଦ୍ଧାରଣକୁ ନେଇ ବଡ଼ ରାଜନୈତିକ ଲଢ଼େଇ ଦେଖିବାକୁ ମିଳିପାରେ।
ବୁଧବାର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ପ୍ରସଙ୍ଗ ଉଠିଥିଲା। ସୂଚନା ଅନୁସାରେ, ଡିସେମ୍ବର ୧୫ ପୂର୍ବରୁ ଅଧିବେଶନ ଡାକିବା ଉପରେ ମୋଦୀ ଗୁରୁତ୍ୱ ଦେଇଛନ୍ତି। ତେବେ ଅଧିବେଶନ କେବେଠାରୁ ଆରମ୍ଭ ହେବ ଏବଂ କେତେ ଦିନ ଚାଲିବ, ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି ସଂସଦୀୟ ବ୍ୟାପାର କ୍ୟାବିନେଟ୍ କମିଟି ନେବ।
ଅଗଷ୍ଟ ୧୩ରେ ଉଭୟ ଲୋକସଭା ଓ ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଥିଲା। ହେଲେ ନଭେମ୍ବର ୨୫ ସୁଦ୍ଧା ମୌସୁମୀ ଅଧିବେଶନକୁ ଔପଚାରିକ ଭାବେ ସମାପ୍ତ ବା ପ୍ରୋରୋଗ୍ କରାଯାଇନଥିବା କଥାକୁ ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଇଛନ୍ତି। ଏହାକୁ ନେଇ ସ୍ୱତନ୍ତ୍ର ଅଧିବେଶନ ଡକାଯିବା ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା।
ଏଥର ସରକାରଙ୍କ ପାଇଁ ସବୁଠାରୁ ବଡ଼ ପରୀକ୍ଷା ହୋଇପାରେ ସମ୍ବିଧାନ ସଂଶୋଧନ ବିଲ୍। ମହିଳା ସଂରକ୍ଷଣ ସହ ଲୋକସଭା ଓ ବିଧାନସଭା ଆସନର ପୁନଃସୀମା ନିର୍ଦ୍ଧାରଣକୁ ଯୋଡ଼ି ଆଣିବାକୁ ପ୍ରସ୍ତାବ ରହିଛି। ଏହି ବିଲ୍ ପାରିତ କରିବା ପାଇଁ ଲୋକସଭାରେ ଦୁଇ-ତୃତୀୟାଂଶ ସମର୍ଥନ ଆବଶ୍ୟକ। ୫୪୩ ଆସନ ବିଶିଷ୍ଟ ଲୋକସଭାରେ ଏଥିପାଇଁ ୩୬୧ ଭୋଟ୍ ଦରକାର। ତେବେ ବର୍ତ୍ତମାନ ତିନୋଟି ଆସନ ଖାଲି ଥିବାରୁ ସଦସ୍ୟ ସଂଖ୍ୟା ୫୪୦ ରହିଛି। ଏନଡିଏ ପାଖରେ ୩୨୦ ଜଣ ସାଂସଦ ଥିବା କୁହାଯାଉଛି। ଅର୍ଥାତ୍ ବିଲ୍ ପାରିତ କରିବାକୁ ଆହୁରି ସମର୍ଥନ ଆବଶ୍ୟକ। ଏପ୍ରିଲ ୧୭ରେ ସଂସଦର ସ୍ୱତନ୍ତ୍ର ବୈଠକରେ ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍ ଆବଶ୍ୟକ ସମର୍ଥନ ନପାଇ ପରାଜିତ ହୋଇଥିଲା। ଏହାପରେ ବିରୋଧୀ ଶିବିରରୁ ୨୬ ଜଣ ସାଂସଦଙ୍କ ଦଳୀୟ ସ୍ଥିତି ବଦଳିଥିବା ରିପୋର୍ଟରେ ଦାବି କରାଯାଇଛି। ଏଥିରେ ୨୦ ଜଣ ଟିଏମସି ବିଦ୍ରୋହୀ ସାଂସଦ ଏବଂ ଶିବସେନା (ୟୁବିଟି)ର ୬ ଜଣ ସାଂସଦ ଥିବା କୁହାଯାଇଛି। ତଥାପି ସରକାରଙ୍କୁ ଅଧିକ ସମର୍ଥନ ଯୋଗାଡ଼ କରିବାକୁ ପଡ଼ିବ। ଏହି ଅଙ୍କରେ ଡିଏମକେର ୨୨ ଓ ଏନସିପି (ଶରଦଚନ୍ଦ୍ର ପାୱାର)ର ୮ ସାଂସଦଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇପାରେ।
ଅନ୍ୟପଟେ ଭୋଟର ତାଲିକାର ସ୍ୱତନ୍ତ୍ର ଯାଞ୍ଚ ପ୍ରକ୍ରିୟା (SIR)କୁ ନେଇ ବିରୋଧୀ ଦଳଗୁଡ଼ିକ ଆକ୍ରମଣାତ୍ମକ ହୋଇଛନ୍ତି। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ସହ ଏହି ପ୍ରସଙ୍ଗକୁ ସଂସଦରେ ଉଠାଇବାକୁ ବିରୋଧୀ ପ୍ରସ୍ତୁତ ହେଉଛନ୍ତି। ତେଣୁ ଅଧିବେଶନରେ ହଟ୍ଟଗୋଳ ହେବାର ଆଶଙ୍କା ରହିଛି।
ଏହି ବିବାଦ ମଧ୍ୟରେ ସରକାର ସମସ୍ତ ରାଜ୍ୟରେ ଲୋକସଭା ଆସନ ସଂଖ୍ୟା ୫୦ ପ୍ରତିଶତ ବୃଦ୍ଧି କରିବାର ଏକ ଫର୍ମୁଲା ଉପରେ ବିଚାର କରୁଥିବା ଜଣାପଡ଼ିଛି। ୧୯୭୧ ଜନଗଣନା ଆଧାରରେ ରାଜ୍ୟଗୁଡ଼ିକ ମଧ୍ୟରେ ଆସନର ବର୍ତ୍ତମାନ ଅନୁପାତ ବଜାୟ ରଖିବା ଏହାର ଉଦ୍ଦେଶ୍ୟ ବୋଲି କୁହାଯାଉଛି। ବିଶେଷକରି ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ପ୍ରତିନିଧିତ୍ୱ କମିଯିବା ଆଶଙ୍କାକୁ ଦୂର କରିବା ଉପରେ ଧ୍ୟାନ ରହିଛି। ତେବେ ଏହି ଫର୍ମୁଲା ଉପରେ ଏଯାଏଁ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ।
ଏବେ ସମସ୍ତଙ୍କ ନଜର ଶୀତ ଅଧିବେଶନ ଉପରେ। ସରକାର ବିଲ୍ ପାରିତ କରାଇବାରେ ସଫଳ ହେବେ ନା ବିରୋଧୀଙ୍କ ରଣନୀତିରେ ପୁଣି ଅଟକିବ ବିଲ୍?
