ୱାଶିଂଟନ: ଆମେରିକାରେ ଏବଂ ମାତ୍ରାଧିକ ଥଣ୍ଡା ପଡୁଛି। ଭୟଙ୍କର ବରଫ ଝଡ ହେବା ନେଇ ଆଶଙ୍କା ରହିଛି। ଏଥି ମଧ୍ୟରେ ଦେଶର ପାଣିପାଗ ବିଭାଗ ଏକ ବଡ଼ ଆଲର୍ଟ ଜାରି କରିଛି। ପାଣିପାଗ ବିଭାଗ ଏକ ଶକ୍ତିଶାଳୀ ଶୀତକାଳୀନ ଝଡ଼ ନେଇ ସତର୍କ କରିଛି। ରବିବାର ଦିନ ଆମେରିକାରେ ଆସିଥିବା ବିପଜ୍ଜନକ ତୁଷାରପାତ ଯୋଗୁଁ ଅନେକ ରାଜ୍ୟରେ ହାଇ ଆଲର୍ଟ ଘୋଷଣା କରାଯାଇଛି। ଗତ ୧୦ବର୍ଷ ମଧ୍ୟରେ ଏହା ଆମେରିକାର ସବୁଠାରୁ ବିପଜ୍ଜନକ ତୁଷାର ଝଡ଼ ହୋଇପାରେ ବୋଲି ଆଶଙ୍କା କରାଯାଉଛି।
ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେରିକାର ୭ ଟି ରାଜ୍ୟ ଯଥା କେଣ୍ଟୁକି, ଭର୍ଜିନିଆ, ପଶ୍ଚିମ ଭର୍ଜିନିଆ, କନସାସ୍, ଅର୍କାନସସ୍ ଏବଂ ମିସୌରୀରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି। ଜାତୀୟ ପାଣିପାଗ ସେବା ଦ୍ୱାରା ଜାରି ସୂଚନା ଅନୁସାରେ ଏହି ଝଡ଼ ୨୦୨୫ ମସିହାର ପ୍ରଥମ ଶୀତକାଳୀନ ଝଡ଼ ହେବ। ଏହାର ପ୍ରଭାବ ଆମେରିକାର ୧,୩୦୦ ମାଇଲ ଅଞ୍ଚଳ ଉପରେ ପଡିବ, ଯେଉଁଠି ଭୀଷଣ ହୀମପାତ, ବର୍ଷା ସହ ବରଫ ଝଡ ବହିବାର ଆକଳନ କରାଯାଇଛି।
ସୂଚନାନୁସାରେ, ଆମେରିକାର ପାଣିପାଗ ସେବା (NWS) କହିଛି ଯେ ଏହି ଝଡ ଆମେରିକାର ୬କୋଟିରୁ ଅଧିକ ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ତୁଷାର, ପବନ ଏବଂ ହ୍ରାସ ପାଉଥିବା ତାପମାତ୍ରା ରବିବାର ଦିନ ଆମେରିକାର ମଧ୍ୟ ଭାଗର ଅନେକ ଅଞ୍ଚଳକୁ ବିପଜ୍ଜନକ କରିଦେଇଥିଲା। କାରଣ ଏକ ଦଶନ୍ଧି ମଧ୍ୟରେ ବରଫ ଝଡ଼ କେତେକ ଅଞ୍ଚଳକୁ ସବୁଠାରୁ ଅଧିକ ତୁଷାରପାତ କରିଥିଲା। କାନସାସ୍ ଏବଂ ଇଣ୍ଡିଆନାର କିଛି ଅଂଶରେ ପ୍ରମୁଖ ରାସ୍ତା ବରଫରେ ଆଚ୍ଛାଦିତ ହୋଇଥିଲା।
ଆର୍କଟିକ୍ ପବନ ବହିବା ଯୋଗୁ ସୋମବାର ଠାରୁ ପୂର୍ବ ଆମେରିକାରେ ତାପମାତ୍ରା ହ୍ରାସ ପାଇବା ଆରମ୍ଭ ହେବ। ତେବେ ଆସିବାକୁ ଥିବା ହୀମ ଝଡର ପ୍ରଭାବ ଦେଶର ୬୦ ନିୟୁତ ଅର୍ଥାତ୍ ୬ କୋଟି ଲୋକଙ୍କୁ ପ୍ରଭାବିତ କରିବ ବୋଲି ଆକଳନ କରାଯାଇଛି। ହେବାକୁ ଥିବା ଶ୍ୱେତ ଝଡକୁ ନେଇ ପାଣିପାଗ ବିଭାଗ ଅଗ୍ରୀମ ସତର୍କତା ଜାରି କରିଛନ୍ତି। ଦେଶର ଉତ୍ତର-ପଶ୍ଚିମରେ ରକି ମାଉଣ୍ଟେନ ସ୍ଥିତ ମୋଣ୍ଟାନା, ଡେଲାୱେୟର, ମେରି ଲ୍ୟାଣ୍ଡ ତଥା ଭର୍ଜିନିୟାର ଉପକୂଳ ରାଜ୍ୟମାନଙ୍କରେ ଏହି ଝଡ଼କୁ ନେଇ ସତର୍କତା ଜାରି କରାଯାଇଛି।
ପାଣିପାଗ ସେବା କହିଛି ଯେ ଅଧିକ ତୁଷାରପାତ ଥିବା ଅଞ୍ଚଳର ଲୋକଙ୍କୁ ଗାଡି ନ ଚଳାଇବାକୁ ଚେତାବନୀ ଦିଆଯାଇଛି। ଝଡ ସହ ବର୍ଷା ତାଣ୍ଡବ ରଚିବାର ସମ୍ଭାବନା ରହିଛି। ମିସୌରୀ ଏବଂ ଅର୍କାନସସ୍ ରାଜ୍ୟପାଳମାନେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଦେଶର ମଧ୍ୟଭାଗରୁ ଆରମ୍ଭ ହୋଇଥିବା ଏହି ତୁଷାର ଝଡ଼ ଆସନ୍ତା କିଛି ଦିନ ମଧ୍ୟରେ ପୂର୍ବ ଦିଗକୁ ଗତି କରିବ। ଏଭଳି ପରିସ୍ଥିତିରେ ଦେଶର ୩୦ଟି ରାଜ୍ୟରେ ଏହି ତୁଷାରପାତ ହେବାର ଆଶଙ୍କା ରହିଛି ଏବଂ ଏଥିପାଇଁ ଏକ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି।