Latest Odisha News

BREAKING NEWS

HSRP ଲଗାଇବା କ୍ଷେତ୍ରରେ ଓଡ଼ିଶା ମଡେଲ୍, ୬ ମାସରେ ୩୩ ଲକ୍ଷ ବୁକିଂ

କଟକ: ସୁପ୍ରିମକୋର୍ଟ୍‌ଙ୍କ ନିର୍ଦ୍ଦେଶ ଅନୁସାରେ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଗାଡ଼ିଗୁଡ଼ିକରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବା କ୍ଷେତ୍ରରେ ଓଡ଼ିଶା ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ମାତ୍ର ୬ ମାସ ଭିତରେ ୩୩ ଲକ୍ଷରୁ ଊର୍ଦ୍ଧ୍ୱ ଗାଡ଼ିରେ ଏହି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବା ପାଇଁ ଆବେଦନ ହୋଇଛି । ସେଥିମଧ୍ୟରୁ ୨୦ ଲକ୍ଷ ଗାଡ଼ିରେ ଏହି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲାଗି ସାରିଛି । ରାଜ୍ୟ ଯୁଗ୍ମ ପରିବହନ କମିଶନର୍ଦି ପ୍ତୀରଞ୍ଜନ ପାତ୍ର ଏହି ସୂଚନା ଦେଇଛନ୍ତି ।

ନଭେମ୍ବର ୩୦ ତାରିଖ ସୁଦ୍ଧା ରାଜ୍ୟରେ ଥିବା ଆନୁମାନିକ ୫୦ ଲକ୍ଷ ଯାନବାହନ ମଧ୍ୟରୁ ୩୨.୬୫ ଲକ୍ଷ ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରସନ୍ ପ୍ଲେଟ୍ ଲଗାଇବା ପାଇଁଁ ଆବେଦନ ହୋଇଛି । ସବୁ ଯାନବାହନରେ ଏହି ହାଇ ସିକ୍ୟୁରିଟି ରେଜିଷ୍ଟ୍ରସନ୍ ପ୍ଲେଟ୍ ଲଗାଇବା ଲାଗି ଓଡ଼ିଶା ସରକାର ଫେବ୍ରୁଆରୀ ୨୮, ୨୦୨୩କୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏତେ ତ୍ୱରିତ ଗତିରେ ଭାରତର ଅନ୍ୟ କୌଣସି ରାଜ୍ୟରେ ଏହି ନମ୍ବର ପ୍ଲେଟ୍ ଲଗାଯାଇନାହିଁ ।

ଏହି କାର୍ଯ୍ୟକ୍ରମ ହାତକୁ ନେବାରେ ଓଡ଼ିଶା ହେଉଛି ଭାରତର ୨୬ତମ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ । ଓଡ଼ିଶା ରାଜ୍ୟ ପରିବହନ ପ୍ରାଧିକରଣର ଅଭିନବ ପ୍ରୟାସ ଦ୍ୱାରା ଏହି ସଫଳତା ସମ୍ଭବପର ହୋଇ ପାରିଛି । ଦିନକୁ ହାରାହାରି ୨୨ ହଜାରରୁ ୨୪ ହଜାର ଗାଡ଼ିରେ ଏହି ନମ୍ବର ପ୍ଲେଟ୍ ଲଗାଯାଇପାରୁଛି । ଜଣେ ଆବେଦନ କରିବାର ହାରାହାରି ୮ ଦିନ ଭିତରେ ନମ୍ବର ପ୍ଲେଟ୍ ଲଗା ଯାଉଛି ।

ଓଡ଼ିଶାରେ ୫ ହଜାରରୁ ଊର୍ଦ୍ଧ୍ୱ ସେଣ୍ଟରରେ ବର୍ତ୍ତମାନ ଫିଟ୍‌ମେଣ୍ଟ୍ କାମ ଜାରି ରହିଛି । ରବିବାରକୁ ବାଦ୍ ଦେଲେ ଅନ୍ୟ ସବୁଦିନ ନମ୍ବର ପ୍ଲେଟ୍ ଲଗାଯାଉଛି । “ଉତ୍ତର ପ୍ରଦେଶ, ଦିଲ୍ଲୀ ଓ ପଶ୍ଚିମବଙ୍ଗରେ ଘଟିଥିବା ସମସ୍ୟାକୁ ଅନୁଧ୍ୟାନ କରିବା ପରେ ଆମେ ବିସ୍ତୃତ ଯୋଜନା କରି ତାକୁ ସୂଚାରୁ ରୂପେ ପରିଚାଳନା କରିଆସୁଛୁ,” ବୋଲି ଯୁଗ୍ମ ପରିବହନ କମିଶନର୍ ଶ୍ରୀ ପାତ୍ର କହିଛନ୍ତି ।

ସେହିପରି ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବିଲ୍ ମାନୁଫାକଚରର୍ସ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପି.କେ ବାନାର୍ଜୀ ଓଡ଼ିଶା ସରକାରଙ୍କର ଏହି ଉପଲବ୍ଧିକୁ ପ୍ରଶଂସା କରି କହିଛନ୍ତି ଯେ, “୬ ମାସରେ ଯାହା ଓଡ଼ିଶା କରିପାରିଛି, ତାହା ଅନ୍ୟ ରାଜ୍ୟମାନେ ବର୍ଷ ବର୍ଷ ଧରି କରିପାରିନାହାନ୍ତି । ଓଡ଼ିଶାର ତ୍ୱରିତ ଏବଂ ସଠିକ୍ ପ୍ରକ୍ରିୟା ଯୋଗୁଁ ଏହା ସମ୍ଭବପର ହୋଇପାରିଛି । ଓଡ଼ିଶାର ରାଜନୀତିକ ନେତୃତ୍ୱର କ୍ରିୟାଶୀଳତା ଓ ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟଦକ୍ଷତାକୁ ମୁଁ ଏଥିପାଇଁ ସାଧୁବାଦ ଜଣାଉଛି । ଏ ଦିଗରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଆଜି ଅନୁକରଣୀୟ ।”

ଗାଡ଼ି ମାଲିକମାନେ ନିଜ ଘରେ ବସି ଅନ୍‌ଲାଇନ୍‌ରେ ହାଇ ସିକ୍ୱିରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବା ପାଇଁ ଆବେଦନ କରିପାରୁଛନ୍ତି କିମ୍ବା ନିକଟତମ ଯାନବାହାନ ଡିଲରସିପ୍ କେନ୍ଦ୍ରମାନଙ୍କରେ ଏହା ହୋଇପାରୁଛି । ରାଜ୍ୟର ସମସ୍ତ ‘ମୋ ସେବା’ କେନ୍ଦ୍ର ଏବଂ ୩୮ ଆର୍‌ଟିଓ ଅଫିସ୍‌ରେ ମଧ୍ୟ ଲୋକଙ୍କ ସୁବିଧା ପାଇଁ ନମ୍ବର୍ ପ୍ଲେଟ୍ ଆବେଦନ ଓ ଫିଟ୍‌ମେଣ୍ଟ୍‌ର ବ୍ୟବସ୍ଥା କରାଯାଇଛି । ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ପୁରୁଣା ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଯିବା ସୂଚନା ସାମାଜିକ ଗଣମାଧ୍ୟମଗୁଡ଼ିକରେ ମଧ୍ୟ ଦିଆଯାଉଛି ।

Leave A Reply

Your email address will not be published.