Latest Odisha News

BREAKING NEWS

ଓଡ଼ିଶାର ୧୯ ଜିଲ୍ଲାରୁ ଫେରିଲା ମୌସୁମୀ ବାୟୁ, ପଡ଼ିଲାଣି ଘନ କୁହୁଡ଼ି

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଅନ୍ୟପଟେ ରାଜ୍ୟରୁ ପ୍ରତ୍ୟାବର୍ତ୍ତନ କରୁଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ । ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜି ସୁଦ୍ଧା ରାଜ୍ୟର ୧୯ ଜିଲ୍ଲାରୁ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଭାବେ ଅପସାରଣ ହୋଇଥିବା ବେଳେ ୬ ଜିଲ୍ଲାର କିଛି ଅଞ୍ଚଳରୁ ଆଂଶିକ ଭାବେ ପ୍ରତ୍ୟାହୃତ ହୋଇଛି ।

ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ସୋନପୁର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ନୟାଗଡ଼ ଜିଲ୍ଲାରୁ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହୃତ ହୋଇଛି । ଖୋର୍ଦ୍ଧା, ପୁରୀ, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର କିଛି ଅଂଞ୍ଚଳରୁ ଫେରିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ।

ଆଗାମୀ ୨ ଦିନରେ ରାଜ୍ୟର ଅନ୍ୟ ସ୍ଥାନରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପାଇଁ ପାଗ ଅନୁକୂଳ ରହିଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ଅନ୍ୟପଟେ ଆଜି ସକାଳେ ରାଜ୍ୟର କିଛି ଜିଲ୍ଲାରେ କୁହୁଡ଼ି ଦେଖା ଯାଇଛି । ବଲାଙ୍ଗିରରେ ଘନ କୁହୁଡ଼ି ପାଇଁ ଦୃଶ୍ୟମାନ ଦୂରତା ୧୦୦ ମିଟର ରେକର୍ଡ କରାଯାଇଛି ।

ସେହିଭଳି କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇଛି । ଭବାନୀପାଟଣାରେ ଦୃଶ୍ୟମାନ ଦୂରତା ୨୦୦ ମିଟର ଓ ଫୁଲବାଣୀରେ ଦୃଶ୍ୟମାନ ଦୂରତା ୨୫୦ ମିଟର ରେକର୍ଡ କରାଯାଇଛି ।

Leave A Reply

Your email address will not be published.