Latest Odisha News

BREAKING NEWS

ଲୋମହର୍ଷକ ଘଟଣା:ନିଜ ଜନ୍ମ କଲା ୨ ଶିଶୁ କନ୍ୟାଙ୍କୁ କୂଅରେ ପକାଇ ହତ୍ୟା କଲା ମା’

ସମ୍ବଲପୁର: ଜନ୍ମକଲା ମା’ ୨ ଶିଶୁକନ୍ୟାଙ୍କୁ କୂଅରେ ପକାଇ ମାରିଦେଇଛି । ଏଭଳି ଏକ ଅଭାବନୀୟ ଘଟଣା ସମ୍ବଲପୁରଜିଲ୍ଲା ବାମରା ବ୍ଲକ୍‌ ଜରାବଗା ପଞ୍ଚାୟତ ଅନ୍ତର୍ଗତ ସର୍ଗିଡିହି ଗାଁରେ ଘଟିଛି । ସର୍ଗିଡିହି ଗ୍ରାମର ଜେମେସ ମାଡ଼କିଙ୍କ ସ୍ତ୍ରୀ ସଞ୍ଜୁ ମାଡ଼କି ନିଜର ୨ କନ୍ୟା ସନ୍ତାନଙ୍କ ହତ୍ୟା କରିଛନ୍ତି ।

ସୂଚନା ଅନୁସାରେ, ଜେମେସଙ୍କ ପତ୍ନୀ ସଞ୍ଜୁ ମାଡ଼କି ଶୁକ୍ରବାର ଦୁଇ ଶିଶୁ କନ୍ୟାଙ୍କୁ ନେଇ କେଉଁ ଆଡ଼କୁ ଚାଲି ଯାଇଥିଲେ। ଆଉ କିଛି ସମୟ ପରେ ସେ ଘରକୁ ଏକୁଟିଆ ଫେରିଥିଲେ। ହେଲେ ପିଲା କୁଆଡ଼େ ଗଲେ ବୋଲି ପଚାରିଥିଲେ ଜେମେସ। ଶିଶୁମାନଙ୍କୁ ଘର ପାଖ ଚାଷ ଜମିରେ ଥିବା କୂଅରେ ପକାଇ ଦେଇଛି ବୋଲି କହି ସଞ୍ଜୁ ସେଠାରୁ ଫେରାର ମାରିଥିଲେ। ଏହା ଜାଣି ଜେମେସ୍‌ ଗ୍ରାମବାସୀଙ୍କ ସହାୟତାରେ ଉଭୟ ଶିଶୁଙ୍କୁ କୂଅ ଭିତରୁ ଉଦ୍ଧାର କରିଥିଲେ।

ଶିଶୁ ଦ୍ବୟଙ୍କୁ ଗୋବିନ୍ଦପୁର ଡାକ୍ତରଖାନା ନେଇଥିବାବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ୬ ବର୍ଷର ବଡ଼ଝିଅର ନାଁ ସୁହାନା ମାଡ଼କି ହୋଇଥିବାବେଳେ ମାତ୍ର ୪ ମାସର ସାନଝିଅଟିର ନାମକରଣ ମଧ୍ୟ ହୋଇ ନଥିଲା।

ଘଟଣା ପରଠାରୁ ଅଭିଯୁକ୍ତ ମାଆ ଫେରାର ଥିବାବେଳେ ସେ ସାମାନ୍ୟ ମାନସିକ ବିକୃତ ଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି।

ତେବେ ଘଟଣା ସମ୍ପର୍କରେ ସୂଚନା ପାଇ ଗୋବିନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।

Comments are closed.