‘Black Magic’ in Karnataka court: ବିଚାରପତିଙ୍କ ଚୌକିରେ କରିଥିଲେ କଳାଯାଦୁ, ସିସିଟିଭିରେ ଧରାପଡିଲା ସତ, ବନ୍ଧା ହେଲେ ୬୫ ବର୍ଷୀୟା ମହିଳା
ବେଙ୍ଗାଲୁରୁ: କର୍ଣ୍ଣାଟକର ଚିକ୍କାବଲ୍ଲାପୁରରୁ ଏକ ଚର୍ଚ୍ଚିତ ଘଟଣା ସାମ୍ନାକୁ ଆସିଛି। ଜଣେ ୬୫ ବର୍ଷୀୟା ମହିଳାଙ୍କୁ ବିଚାରପତିଙ୍କ ଚେୟାରରେ କଥିତ ଭାବେ କଳାଯାଦୁ କରିବା ଅଭିଯୋଗରେ ପୋଲିସ ଗିରଫ କରିଛି। ଅଭିଯୁକ୍ତ ମହିଳାଙ୍କୁ କୋର୍ଟ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।
ପୋଲିସ ସୂଚନା ଅନୁସାରେ, ଗିରଫ ମହିଳାଙ୍କ ନାମ ମଞ୍ଜୁଳା। ତାଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ, ସେ ଚିକ୍କାବଲ୍ଲାପୁରର ଫର୍ଷ୍ଟ ଆଡିସନାଲ୍ ସିନିୟର ସିଭିଲ୍ ଜଜ୍ ଏବଂ ଜେଏମଏଫସି (JMFC) କୋର୍ଟର ଜଜଙ୍କ ଚେୟାରରେ କଥିତ ଭାବେ କଳାଯାଦୁ କରିଥିଲେ। ଘଟଣାର ଦୁଇ ଦିନ ପୂର୍ବରୁ ସାମ୍ନାକୁ ଆସିଥିବା ଏକ ସିସିଟିଭି ଫୁଟେଜରେ ମହିଳା ଜଜଙ୍କ ଚେୟାର ନିକଟରେ କିଛି ମନ୍ତ୍ର ପାଠ କରୁଥିବା ସହ ଧଳା ସୋରିଷ ଦାନା ଛିଞ୍ଚୁଥିବା ଦେଖିବାକୁ ମିଳିଥିବା ଅଭିଯୋଗ ହୋଇଛି। ଏହାପରେ କୋର୍ଟର ମୁଖ୍ୟ ପ୍ରଶାସନିକ ଅଧିକାରୀ ସିସିଟିଭି ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ମହିଳାଙ୍କୁ ଗିରଫ କରାଯାଇଛି।
ଅଭିଯୁକ୍ତଙ୍କ ବିରୋଧରେ ‘କର୍ଣ୍ଣାଟକ ଅମାନବୀୟ କୁପ୍ରଥା ଏବଂ କଳାଯାଦୁ ନିବାରଣ ଓ ଉଚ୍ଛେଦ ଆଇନ, ୨୦୧୭’ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କୋର୍ଟ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।
ତେବେ କହିରଖୁଛୁ, ସାଧାରଣ ଭାଷାରେ ‘କଳାଯାଦୁ’ ବୋଲି କାହାର କ୍ଷତି କରିବା ଉଦ୍ଦେଶ୍ୟରେ କରାଯାଉଥିବା କଥିତ ତନ୍ତ୍ର-ମନ୍ତ୍ର କିମ୍ବା ଅଲୌକିକ ଶକ୍ତିର ବ୍ୟବହାରକୁ ବୁଝାଯାଏ। ଏଥିରେ ମନ୍ତ୍ର-ତନ୍ତ୍ର, ତାବିଜ, ବଶୀକରଣ, ମାରଣ, ଉଚ୍ଚାଟନ ଭଳି ପ୍ରଥାର ଉଲ୍ଲେଖ ମିଳେ। ଭାରତର ବିଭିନ୍ନ ଅଞ୍ଚଳରେ ଏହାକୁ କଳାଯାଦୁ, ଜାଦୁ-ଟୋନା, ଟୋନା-ଟୋଟକା କିମ୍ବା ତନ୍ତ୍ର-ମନ୍ତ୍ର ଭଳି ନାମରେ ଜଣାଯାଏ।
ବିଜ୍ଞାନ ଏବଂ ତର୍କବାଦୀଙ୍କ ମତରେ କଳାଯାଦୁର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ। ସେମାନେ ଏହାକୁ ଅନ୍ଧବିଶ୍ୱାସ ବୋଲି ମନେ କରନ୍ତି। ମନୋବିଜ୍ଞାନୀଙ୍କ କହିବା ଅନୁସାରେ, କଳାଯାଦୁକୁ ନେଇ ଥିବା ଭୟ କିମ୍ବା ମାନସିକ ଚାପ ଅନେକ ସମୟରେ ଲୋକଙ୍କ ଉପରେ ପ୍ରଭାବ ପକାଇଥାଏ। ଏଭଳି ଅନ୍ଧବିଶ୍ୱାସକୁ ରୋକିବା ପାଇଁ ଭାରତର କେତେକ ରାଜ୍ୟରେ ସ୍ୱତନ୍ତ୍ର ଆଇନ ମଧ୍ୟ ରହିଛି।
Comments are closed.