Latest Odisha News

BREAKING NEWS

ନବୀନଙ୍କୁ ପରୋକ୍ଷରେ ‘ଧୃତରାଷ୍ଟ୍ର’ କହିଲେ ପ୍ରଭାତ, ଦେଲେ ‘କୁରୁବଂଶ’ ଭଳି ଧ୍ୱଂସ ହେବାର ଚେତାବନୀ

କଟକ: ନିକଟରେ ବିଜେଡି ଛାଡ଼ିଥିବା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଏବଂ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଏବେ ତୀବ୍ର ରୂପ ନେଇଛି। ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର ରାଜନୀତିକୁ ନେଇ ଆରମ୍ଭ ହୋଇଥିବା ଏହି ବିବାଦ ଏବେ ମହାଭାରତ ଯୁଦ୍ଧର ରୂପ ନେଲାଣି। ନବୀନ ନିବାସରେ ଚୌଦ୍ୱାର ଟିମ୍ ସହ ବୈଠକ ବେଳେ ନବୀନ ପଟ୍ଟନାୟକ ପ୍ରଭାତଙ୍କୁ ‘ବିଶ୍ୱାସଘାତକ’ ଆଖ୍ୟା ଦେବା ପରେ, ଏବେ ଏହାର କଡ଼ା ଜବାବ ରଖିଛନ୍ତି ପ୍ରଭାତ ବିଶ୍ୱାଳ।

 

ନିଜର ପ୍ରତିକ୍ରିୟାରେ ପ୍ରଭାତ ବିଶ୍ୱାଳ ମହାଭାରତର ଉଦାହରଣ ଦେଇ ପରୋକ୍ଷରେ ନବୀନ ପଟ୍ଟନାୟକଙ୍କୁ ‘ଧୃତରାଷ୍ଟ୍ର’ ସହ ତୁଳନା କରିଛନ୍ତି। ସେ କହିଛନ୍ତି ଯେ, “ଭଗବାନ ଶ୍ରୀକୃଷ୍ଣ ବୁଝାଇଥିଲେ ମଧ୍ୟ ଧୃତରାଷ୍ଟ୍ର ଶୁଣି ନଥିଲେ, ଯାହାର ପରିଣାମ ସ୍ୱରୂପ କୁରୁବଂଶ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା।” ଏହି ଉକ୍ତି ମାଧ୍ୟମରେ ସେ ଇଙ୍ଗିତ କରିଛନ୍ତି ଯେ ବିଜେଡି ମଧ୍ୟ କୁରୁବଂଶ ଭଳି ଧ୍ୱଂସ ଆଡ଼କୁ ଗତି କରୁଛି।

 

ପ୍ରଭାତ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁମାନେ ସତ୍ୟ ଏବଂ ନ୍ୟାୟ ପାଇଁ ଲଢ଼ୁଛନ୍ତି, ସେମାନଙ୍କୁ ବିଶ୍ୱାସଘାତକ କୁହାଯାଉଛି। “ପାଣ୍ଡବ ବଂଶକୁ ବିଶ୍ୱାସଘାତକ କୁହାଯାଉଛି,” ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ଦଳ ଭିତରେ ଥିବା ପ୍ରକୃତ ଅବସ୍ଥାକୁ ଲୁଚାଇବା ପାଇଁ ତାଙ୍କୁ ବଦନାମ କରିବାର ପ୍ରୟାସ କରାଯାଉଛି।

 

ସୂଚନାଯୋଗ୍ୟ ଯେ, ଗତକାଲି ନବୀନ ନିବାସରେ କଟକ ଜିଲ୍ଲା ବିଜେଡି ସଭାପତି ପ୍ରଫୁଲ୍ଲ ସିଂଙ୍କ ନେତୃତ୍ୱରେ ଚୌଦ୍ୱାରର ଏକ ପ୍ରତିନିଧି ଦଳ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ଏହି ବୈଠକରେ ନବୀନ, ପ୍ରଭାତଙ୍କ ଦଳ ଛାଡ଼ିବା ନିଷ୍ପତ୍ତିକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ତାଙ୍କୁ ‘ବିଶ୍ୱାସଘାତକ’ ବୋଲି କହିଥିଲେ ବୋଲି ଚର୍ଚ୍ଚା ହେଉଥିଲା।

 

ଏବେ ପ୍ରଭାତଙ୍କ ଏହି ବୟାନ ପରେ ବିଜେଡି ଶିବିରରେ କମ୍ପନ ସୃଷ୍ଟି ହୋଇଛି। ଆଗାମୀ ଦିନରେ ଏହି ରାଜନୈତିକ ବୟାନବାଜି କେଉଁ ମୋଡ଼ ନେଉଛି, ତାହା ଦେଖିବା ବାକି ରହିଲା।

Leave A Reply

Your email address will not be published.