Latest Odisha News

BREAKING NEWS

ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ପାଖ ଫୁଟପାଥରେ ପ୍ରସବ କଲେ ମହିଳା

ଭୁବନେଶ୍ବର: ରାଜ୍ୟରେ ସ୍ୱାସ୍ଥ୍ୟବସ୍ଥାର ତଦାରଖ କରିବା ପାଇଁ ଖୋଦ ସଚିବ ମାନେ ଜିଲ୍ଲାକୁ ଜିଲ୍ଲା ପରିଦର୍ଶନ କରୁଥିବା ବେଳେ ଶୁକ୍ରବାର ଦିନ ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ପାଖ ଫୁଟପାଥରେ ଜଣେ ମହିଳାଙ୍କୁ ପ୍ରସବ କରାଇବା ପାଇଁ ବାଧ୍ୟ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱର ସଲିଆ ସାହି ବସ୍ତିର ପାନ ମୁର୍ମୁ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ଶୁକ୍ରବାର ସନ୍ଧ୍ୟା ପାଖାପାଖି ୮ଟା ସମୟରେ ତାଙ୍କ ପରିବାର ବର୍ଗ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ । ପ୍ରଥମେ ତାଙ୍କୁ ପ୍ରସୂତି ଓ ସ୍ତ୍ରୀ ବିଭାଗ ଡାକ୍ତର ଦେଖାଇବା ପରେ ଲେବର ରୁମକୁ ନିଆଯାଇଥିଲା ।

କିନ୍ତୁ ସେଠାରେ ଦାୟିତ୍ୱରେ ଥିବା ଡାକ୍ତର ପାନଙ୍କ ଅବସ୍ଥା ଗୁରୁତର ଅଛି ଏବଂ ତାଙ୍କୁ କଟକ ‘ଏସସିବି’କୁ ନେଇ ଯିବାକୁ କହି ଫେରାଇ ଦେଇଥିଲେ । ପରିବାର ଲୋକଙ୍କ କାକୁତି ମିନତି ପରେ ମଧ୍ୟ ଡାକ୍ତର ତାଙ୍କ କଥା ଶୁଣିନଥିଲେ ।

ମହିଳାଙ୍କୁ କଟକ ନେଇଯିବା ପାଇଁ ତାଙ୍କ ପରିବାର ଲୋକଙ୍କ ପାଖରେ ଆବଶ୍ୟକୀୟ ଟଙ୍କା ନଥିଲା। କିନ୍ତୁ ଡାକ୍ତରଙ୍କ ବାରମ୍ବାର ତାଗିଦ ଯୋଗୁଁ ତାଙ୍କୁ ପ୍ରସବ ଗୃହରୁ ବାହାରକୁ ଆଣି ଆସିଲେ ପରିବାର ଲୋକେ । କିଛି ସମୟପରେ ମହିଳା ଜଣକ ପ୍ରସବ ଯନ୍ତ୍ରଣା ସମ୍ଭାଳି ନପାରି ଡାକ୍ତରଖାନା ପରିସରସ୍ଥିତ ବ୍ଲଡ ବ୍ୟାଙ୍କ ପାଖ ଫୁଟପାଥରେ ପ୍ରସବ କରିଥିଲେ।

ଏହି ଘଟଣା ପରେ ଏବେ ଡାକ୍ତରଖାନାରେ ଛାଇଯାଇଛି ଚିନ୍ତାର ମାହୋଲ ।

କ୍ୟାପିଟାଲ ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ନାରାୟଣ ସେଟ୍ଟୀ ଶନିବାର ଦିନ ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି ଯେ, ଏହି ମହିଳା ଜଣଙ୍କ ଶୁକ୍ରବାର ଦିନ ଡାକ୍ତରଖାନା ଆସିଥିଲେ । ତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇନଥିବା କାରଣରୁ ଡାକ୍ତର ତାଙ୍କୁ ଘରକୁ ଚାଲିଯିବାକୁ ପରାମର୍ଶ ଦେଇଥିଲେ । ପରେ ତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାଯୋଗୁଁ କାଲି ରାତିରେ ସେ ହସ୍ପିଟାଲ ଆସି ଏହାର ପରିସର ମଧ୍ୟରେ ପ୍ରସବ କରିଛନ୍ତି ।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ଲେବର ରୁମରେ କୌଣସି ଡାକ୍ତର ମହିଳାଙ୍କୁ ଚିକିତ୍ସା ପାଇଁ ମନା କରିଦେଇଥିବା କଥା ତାଙ୍କୁ ଜଣା ନାହିଁ । ଏନେଇ କୌଣସି ଅଭିଯୋଗ ଆସି ନାହିଁ। ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.