ଖୋର୍ଦ୍ଧା: ଦୀପାବଳିର ବାଣ,ଆଲୁଅ ସାରା ଦେଶକୁ ଆଲୋକିତ କରୁଥିଲା । ହେଲେ ଏଠି ଲିଭି ଯାଇଥିଲା ଦୁଇ ଦୁଇଟି ଜୀବନ ଦୀପ । ହାତ ଧରାଧରି ହୋଇ ଚାଲି ଯାଇଥିଲେ ସ୍ୱାମୀ-ସ୍ତ୍ରୀ । ଏକାଠି ଜିଇଁବା..ଏକାଠି ମରିବାର ପ୍ରତିଶ୍ରୁତି ରଖି ସାଥୀ ହୋଇ ଚାଲିଗଲେ । ହେଲେ ଅନାଥ ହୋଇଗଲେ ଦୁଇ ଝିଅ । ଏ କୌଣସି ଫିଲ୍ମର କାହାଣୀ ଭଳି ଲାଗୁ ଥାଇପାରେ । ହେଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ସୁନାଖଳା ଅଞ୍ଚଳରେ ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି ।
ଦୀପାବଳି ଦିନ ଦୁର୍ଘଟଣାରେ ଚାଲିଗଲା ସ୍ୱାମୀଙ୍କର ଜୀବନ । ସ୍ୱାମୀଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିଥିଲେ ପତ୍ନୀ। ଏମିତି ଦୁଃଖ ସହିପାରି ନ ଥିଲେ । ଏପଟେ ସ୍ୱାମୀଙ୍କ ଜୁଇ ଜଳୁଥିଲା । ସେପଟେ ଝୁଲି ପଡିଥିଲେ ପତ୍ନୀ ।
ସୁନାଖଳାରେ ବ୍ୟବସାୟ କରନ୍ତି ଗୋକୁଳ ଚନ୍ଦ୍ର ସାହୁ । ପତ୍ନୀ ଓ ଦୁଇ ଝିଅଙ୍କୁ ନେଇ ତାଙ୍କର ପରିବାର । ହେଲେ ଏଥର ଦୀପାବଳି ଯେମିତି ତାଙ୍କ ପରିବାରକୁ ଅନ୍ଧକାର ମଧ୍ୟକୁ ଠେଲି ଦେଇଥିଲା । ସେଦିନ ସନ୍ଧ୍ୟାରେ ଗୋକୁଳ ବାଇକରେ ଘରକୁ ଫେରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ଏକ ବାଇକ ସହ ତାଙ୍କର ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସୋମବାର ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା ।
ରାତିରେ ଶବ ସତ୍କାର ହୋଇଥିଲା । ଏତେ ବଡ ଦୁଃଖରେ ଭାଙ୍ଗି ପଡିଥିଲେ ପୂରା ପରିବାର । ପତ୍ନୀଙ୍କ ସାମ୍ନାରେ ଯେମିତି ଅନ୍ଧକାର ଛାଇ ଯାଇଥିଲା । କେମିତି ନିଜକୁ ସମ୍ଭାଳିବେ ବୁଝି ପାରି ନ ଥିଲେ । ସେପଟେ ସ୍ୱାମୀଙ୍କ ଜୁଇ ଜଳୁଥିବାବେଳେ ଏପଟେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ ପତ୍ନୀ ।
ଛୋଟ ଛୋଟ ନାବାଳିକା ଝିଅ ଦୁଇଟି ବାପା-ମା’ଙ୍କୁ ହରାଇ ସ୍ତବ୍ଧ ହୋଇ ଯାଇଛନ୍ତି । କୁଆଡେ ଯିବେ..କ’ଣ କରିବେ ବୁଝି ପାରୁନାହାନ୍ତି । ଏହି ଖବର ସାରା ଗାଁରେ ଶୋକର ଲହରି ଖେଳାଇ ଦେଇଛି ।
Comments are closed.