Latest Odisha News

BREAKING NEWS

ବାଇକ ଆରୋହୀଙ୍କୁ ଧକ୍କା ଦେଲା କାର୍: ଜଣେ ମୃତ, ଦୁଇ ଗୁରୁତର

ଭୁବନେଶ୍ୱର: ପୁରୀ ଜିଲ୍ଲାର ଗୋପ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗୁରୁବାର ସକାଳେ ଫୁଲ ତୋଳୁଥିବା ବେଳେ ଏକ କାର ମାଡିଯାଇଥିଲା। ଏହାପରେ ଏକ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା କାର୍ । ଫଳରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ସ୍ଥାନୀୟ ବଡମଠ ଗ୍ରାମର ରେଣୁବାଳା ବେହେରା । ଗୁରୁତରଙ୍କୁ ପ୍ରଥମେ ଗୋପ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ପରେ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି । ସେପଟେ ଦୁର୍ଘଟଣା ଘଟାଇ କାର୍ ଡ୍ରାଇଭର ଗାଡି ଛାଡି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି ।

ପ୍ରାଥମିକ ସୂଚନା ଅନୁଯାୟୀ, ଗୋପ ଅଞ୍ଚଳ ଅନ୍ତର୍ଗତ ଗୋପ-ନିମାପଡ଼ା-କୋଣାର୍କ ରାସ୍ତାର ବାୟାକୁଦା ନିକଟରେ ଏହି ସଡକ ଦୁର୍ଘଟଣା ଘଟିଛି । ଗୋପ ବାୟାକୁଦା ବଡମଠ ଗ୍ରାମର ରେଣୁବାଳା ବେହେରା ଓ ରଞ୍ଜିତା ପ୍ରଧାନ ଆଜି ଭୋରରୁ ରାସ୍ତାକଡରେ ଫୁଲ ତୋଳୁଥିଲେ । ଏହି ସମୟରେ ଗୋପ ପଟୁ ଆସୁଥିବା ଏକ ଦ୍ରୁତଗାମୀ କାର୍ ଭାରସାମ୍ୟ ହରାଇ ସେମାନଙ୍କ ଉପରେ ମାଡି ଯାଇଥିଲା । ଏହାପରେ କୋଣାର୍କ ପଟୁ ଆସୁଥବା ଆଉ ଏକ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା କାର୍ ।

ଏଥିରେ ଘଟଣାସ୍ଥଳରେ ରେଣୁବାଳା ପ୍ରାଣ ହରାଇଥିବା ବେଳେ ରଞ୍ଜିତା ପ୍ରଧାନ ଓ ବାଇକ ଆରୋହୀ ନିରଞ୍ଜନ ପ୍ରଧାନ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉକ୍ତ ସ୍ଥାନକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲେ।

Leave A Reply

Your email address will not be published.