Latest Odisha News

BREAKING NEWS

ଅତି ଲୋଭ ପାଇଁ ଦେଢ଼ ଲକ୍ଷ ଗଲା, ସ୍ୱାମୀ ଦେଲା ତିନି ତଲାକ୍

କେନ୍ଦ୍ରାପଡ଼ା: ସାଇବର ଠକେଇର ଶିକାର ହେବାରୁ ତିନି ତଲାକ୍ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ସଦର ଥାନା ଡେରାବିଶ ବ୍ଲକ ବାବୁରାମ ପାଟଣା ଗାଁରେ । ସାଇବର ଠକେଇର ଶିକାର ହୋଇ ଦେଢ଼ ଲକ୍ଷ ଟଙ୍କା ହରାଇବା ପରେ ଜମରୁନ୍ ବିବିଙ୍କୁ ସ୍ୱାମୀ ଶେଖ ରାଜିଦ ଫୋନରେ ତିନି ତଲାକ୍ ଦେଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନସୁାରେ, ବାବୁରାମ ପାଟଣାର ଶେଖ୍ ରାଜିଦଙ୍କୁ ୧୮ ବର୍ଷ ତଳେ ବାହା ହୋଇଥିଲେ ଜମରୁନ୍ । ଉଭୟଙ୍କ ଏକ ପୁଅ ମଧ୍ୟ ରହିଛି । କିଛିଦିନ ତଳେ ଜମରୁନ୍ ଫେସବୁକରେ ରବି ଶର୍ମା ନାମକ ଜଣେ ଅଜଣା ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିଲେ । ପରେ ଉଭୟ ଉଭୟଙ୍କୁ ଭାଇ, ଭଉଣୀ ସମ୍ବୋଧନ କରିଥିଲେ ।

ଜମରୁନଙ୍କୁ ପ୍ରାୟ ୨୫ ଲକ୍ଷ ଟଙ୍କାର ବିଭିନ୍ନ ସାମଗ୍ରୀ ଗିଫ୍ଟ ଦେବ ବୋଲି କହିଥିଲା ରବି ଶର୍ମା । ଏଥିପାଇଁ ରବି ଶର୍ମା, ଜମରୁନଙ୍କୁ କୋରିଅର ଚାର୍ଜ ପାଇଁ ଦେଢ଼ ଲକ୍ଷ ଟଙ୍କା ମାଗିଥିଲା । ଆଉ ୨୫ ଲକ୍ଷ ଟଙ୍କାର ବିଭିନ୍ନ ଦାମୀ ସାମଗ୍ରୀ ପାଇବା ଲୋଭରେ ଜମରୁନ୍ ଫୋନ୍ ପେ ଓ ଆକାଉଣ୍ଟକୁ ଦେଢ଼ ଲକ୍ଷ ଟଙ୍କା ଦେଇଥିଲେ । କିନ୍ତୁ ଟଙ୍କା ଦେବା ପରେ କୋରିଅର୍ ନ ଆସିବାରୁ ସେ ଠକେଇର ଶିକାର ହୋଇଥିବା ଜାଣି ପାରି ପୋଲିସରେ ଅଭିଯୋଗ କରିଛନ୍ତି ।

ଯାହାକୁ ନେଇ ଜମରୁନଙ୍କ ପାରିବାରିକ ଜୀବନରେ ଝଡ଼ ସୃଷ୍ଟି ହେବା ସହ ଗୁଜରାଟରେ କାର୍ଯ୍ୟରତ ସ୍ୱାମୀ ଶେଖ୍ ରାଜିଦ ରାଗି ଯାଇ ଫୋନରେ ତିନି ତଲାକ୍ ଦେଇଛନ୍ତି । ପ୍ରଥମେ ଠକେଇର ଶିକାର ହୋଇ ଭାଙ୍ଗି ପଡ଼ିଥିବା ଜମରୁନ୍ ତଲାକ୍ ପରେ ପୋଲିସର ଦ୍ୱାରସ୍ଥ ହୋଇ ସ୍ୱାମୀଙ୍କ ନାଁରେ ଏତଲା ଦେବା ସହ ଭରଣ ପୋଷଣ ଦାବି କରିଛନ୍ତି ।

Leave A Reply

Your email address will not be published.