Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତକୁ ବିଜେପିର କଟାକ୍ଷ, ସତ୍ୟବ୍ରତ କହିଲେ; ଛୁଟି କଟାଇବାକୁ ଯାଇଛନ୍ତି ନବୀନ ଓ ତାଙ୍କ ଟିମ୍

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜାପାନ ଗସ୍ତକୁ ନେଇ ଶୁକ୍ରବାର ପ୍ରଶ୍ନ ଉଠାଇଛି ବିଜେପି । ସାମ୍ବାଦିକ ସମ୍ମିଳନୀ କରି ନବୀନଙ୍କ ଏହି ଗସ୍ତକୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା । ସତ୍ୟବ୍ରତ କହିଛନ୍ତି, ମୁଖ୍ୟମନ୍ତ୍ରୀ ଓ ତାଙ୍କର ଟିମ ବିଭିନ୍ନ କାର୍ଯ୍ୟର ବାହାନା ଦେଇ ଛୁଟି କଟାଇବା ପାଇଁ ଜାପାନ ଗସ୍ତ କରିବା କେବଳ ଏକ ପ୍ରହସନ । ବୁଲିବାର ଅଧିକାର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଛି କିନ୍ତୁ ରାଜ୍ୟ ରାଜକୋଷରେ ଥିବା ଲୋକମାନଙ୍କ କଷ୍ଟ ଅର୍ଜିତ ଟିକସ ଅର୍ଥକୁ ଖର୍ଚ୍ଚ କରି ଛୁଟି କଟାଇବାକୁ ଯିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିସହ ସତ୍ୟବ୍ରତ କହିଛନ୍ତି, ମୁଖ୍ୟମନ୍ତ୍ରୀ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରି ଛୁଟି କଟାଇବା ପାଇଁ ମନା ନାହିଁ କିନ୍ତୁ ରାଜ୍ୟର ଯୁବକ ମାନଙ୍କୁ ମିଛ ପ୍ରତିଶୃତି ଦିଅନ୍ତୁ ନାହିଁ ।

ଏଥିସହ ଶ୍ରୀ ପଣ୍ଡା କହିଛନ୍ତି ଜାପାନରୁ କିଛି ନୂଆ ଶିଳ୍ପ ଆସୁଛି ନା ପୁରୁଣା ବହିରେ ନୂଆ ମଲାଟ ମଡ଼ାଇଛନ୍ତି ରାଜ୍ୟ ସରକାର । ପୂର୍ବରୁ ମୁଖ୍ୟମନ୍ତ୍ରୀ ଗସ୍ତ କରିଥିବା ଇଟାଲି ଏବଂ ୟୁଏଇ ଗସ୍ତ ପରେ ଓଡ଼ିଶାକୁ କେତେ ନିବେଶକ ଆସିଛନ୍ତି ବୋଲି ସେ ପଚାରିଛନ୍ତି । ରାଜ୍ୟ ସରକାର ଏହା ଉପରେ ସ୍ପଷ୍ଟୀକରଣ ରଖିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥସହ ସତ୍ୟବ୍ରତ କହିଛନ୍ତି ୨୦୧୯ ପୂର୍ବରୁ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଭାରତ ସରକାରଙ୍କ ଦ୍ୱାରା ଷ୍ଟିଲ୍ କ୍ଷେତ୍ରରେ ପୁଞ୍ଜିନିବେଶ ନେଇ ଘୋଷଣା କରାଯାଇଥିଲା । ଓଡ଼ିଶାକୁ ଜାପାନ ପୁଞ୍ଜିନିବେଶକୁ ଆଣିବାରେ ସଫଳ ନେତା ହେଉଛନ୍ତି ଏବେର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗୋଟିଏ ନୁହେଁ ବରଂ ଦୁଇଟି ବୃହତ ପ୍ରକଳ୍ପକୁ ଓଡ଼ିଶାକୁ ଆଣିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏବେ ଯେଉଁ ନିପନ୍ ଷ୍ଟିଲ ପାଇଁ ମୁଖ୍ୟମନ୍ତ୍ରୀ ବାହା ବାହା ନେଉଛନ୍ତି, ଅକ୍ଟୋବର ୨୫, ୨୦୧୯ରେ ଇସ୍ପାତ୍ ମନ୍ତ୍ରଣାଳୟର ଦାୟିତ୍ୱରେ ଥିବା ସମୟରେ ସେ ପ୍ରତିନିଧି ମଣ୍ଡଳୀ ସହ ୫ ଦିନିଆ ଜାପାନ ଗସ୍ତରେ ଯାଇ ନିପନ ଷ୍ଟିଲ ସମେତ ଜାପାନର ପ୍ରମୁଖ ଇସ୍ପାତ୍ କମ୍ପାନୀଙ୍କ ସହ ଓଡ଼ିଶାରେ ପୁଞ୍ଜିନିବେଶ କରିବା ସହ ଭାଗିଦାରୀ ହେବା ପାଇଁ ନିମନ୍ତ୍ରଣ କରିଥିଲେ ।

ଏସବୁ ବାଦ ସତ୍ୟବ୍ରତ କହିଛନ୍ତି, ୨୦୦୬ ମସିହାରେ ଆର୍ସେଲର ମିତ୍ତଲ ୫୦ ହଜାର କୋଟି ଟଙ୍କା ପୁଞ୍ଜିନିବେଶରେ କେନ୍ଦୁଝର ଜିଲ୍ଲାରେ ୧୨ ମିଲିୟନ ଟନର ଇସ୍ପାତ୍ କାରଖାନା ସ୍ଥାପନା ଦେଇ ରାଜ୍ୟ ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷର କରିଥିଲେ କିନ୍ତୁ ୨୦୧୩ରେ ଏହି ପ୍ରକଳ୍ପରୁ ଓହରିଯିବା ନେଇ ଘୋଷଣା କରିଥିଲେ । ଏହି ପ୍ରକଳ୍ପକୁ ରାଜ୍ୟ ସରକାର ଆଗେଇ ନେବାରେ ବିଫଳ ହୋଇଛନ୍ତି । ଯେଉଁ କେନ୍ଦୁଝର ଜିଲ୍ଲାରୁ ରାଜ୍ୟ ସରକାର ବିପୁଳ ରାଜସ୍ୱ ପାଉଛନ୍ତି, ସେହି ଅଞ୍ଚଳକୁ କିଛି ନ ଦେବାର ଯୋଜନା କାହିଁକି ବୋଲି ରାଜ୍ୟ ସରକାରଙ୍କୁ ଶ୍ରୀ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.