ଜାପାନ: ଦୁନିଆରେ ବହୁତ ଲୋକ ଅଛନ୍ତି, ଯେଉଁମାନେ ସେମାନଙ୍କର ଅଜବ ଆଚରଣ ଯୋଗୁ ଚର୍ଚ୍ଚାକୁ ଆସିଥାନ୍ତି । ହେଲେ ପୋଲିସ ସହିତ କେହି କେବେ ଏପରି କରିବା ଜାଣିଲେ ଆଶ୍ଚର୍ଯ୍ୟ ଲାଗେ । ଏବେ ସେମିତି ଜଣେ ମହିଳା ପୋଲିସକୁ ୨୭୦୦ ଥର କଲ କରି ଏମିତି ହଇରାଣ ହରକତ କଲେ ଯେ, ତାଙ୍କ ଅବସ୍ଥା ବିଗିଡ଼ିଗଲା । ପୋଲିସକୁ ବାରମ୍ବାର କଲ କରିବାର କାରଣ ପଚାରିବାରୁ ଅଜବ ଜବାବ ରଖିଛନ୍ତି ମହିଳା । କେବଳ ପୋଲିସକୁ ନୁହେଁ, ଅଗ୍ନିଶମକୁ ମଧ୍ୟ ଏପରି ଫୋନ କରି ନାକେଦମ କରିଦେଇଥିଲେ, ଯାହାକୁ ନେଇ ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚା ।
ଏହି ମାମଲା ଜାପାନର ଚିବା ପ୍ରଦେଶର ଅଟେ । ଦୁଇ ଦିନ ପୂର୍ବେ ପୋଲିସ ୫୧ ବର୍ଷିୟା ନିରୋକୋ ହାଟାଗାମିଙ୍କୁ ଏଠାରୁ ଗିରଫ କରିଥିଲା । କାରଣ ସେ ପୋଲିସ ଜରୁରୀକାଳୀନ ସେବାକୁ ୨୭୦୦ ରୁ ଅଧିକ କଲ କରି ହଇରାଣ ହରକତ କରିଥିଲେ । ଏଥିସହ ସେ ଅଗ୍ନିଶମ ବିଭାଗର କାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ଅଭିଯୋଗ ହୋଇଛି । ଯେତେବେଳେ ତାଙ୍କୁ ଏ ସମ୍ପର୍କରେ ପଚରାଯାଇଥିଲା ସେତେବେଳେ ପୋଲିସ୍ ମଧ୍ୟ ତାଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲା । ମହିଳା ଜଣକ କହିଛନ୍ତି ଯେ, ସେ ଅଗଷ୍ଟ ୨୦୨୦ ରୁ ମେ ୨୦୨୩ ମଧ୍ୟରେ ପୋଲିସକୁ ୨୭୬୧ ଥର କଲ୍ କରିଥିଲେ । କେତେବେଳେ ଘରୁ ତ ଆଉ କେତେବେଳେ ପାର୍କରୁ, କେବେ ବଜାରରୁ ତ ଆଉ କେବେ ଅନ୍ୟ ସ୍ଥାନରୁ କଲ କରୁଥିଲେ ।
କାହିଁକି ଏପରି କଲ କରୁଥିଲେ ବୋଲି ପ୍ରଶ୍ନ ପଚାରିବାରୁ ସେ ଦର୍ଶାଇଥିବା ଉତ୍ତର ଆଶ୍ଚର୍ଯ୍ୟଜନକ ଅଟେ । ମହିଳା ଜଣକ କହିଥିଲେ, ମୁଁ ପ୍ରତ୍ୟେକ ମୁହୂର୍ତ୍ତରେ ଏକାକୀ ଅନୁଭବ କରୁଥିଲି । ଚାହୁଁଥିଲି ଯେ କେହି ମୋ କଥା ଶୁଣନ୍ତୁ । ମୋ ସହିତ କଥା ହୁଅନ୍ତୁ, ମୋର ସମସ୍ୟା ପ୍ରତି ଧ୍ୟାନ ଦିଅନ୍ତୁ । ଯେତେବେଳେ ବି ମହିଳା ଜଣକ ପୋଲିସକୁ ଫୋନ କରୁଥିଲେ, ସେ କହିଥଲେ ଯେ ତାଙ୍କ ପେଟ ଯନ୍ତ୍ରଣା ହେଉଛି । ଔଷଧର ମାତ୍ରା ଅଧିକ ହୋଇଯିବାରୁ ଗୋଡରେ ଯନ୍ତ୍ରଣା ହେଉଛି ଏବଂ ବହୁତ କ୍ଳାନ୍ତ ଅନୁଭବ କରୁଛନ୍ତି । ଯେତେବେଳେ ପୋଲିସ ତାଙ୍କ କଥାକୁ ଗୁରୁତ୍ୱ ଦେଇ ଆମ୍ବୁଲାନ୍ସ ପଠାଉଥିଲା, ସେ ଚିକିତ୍ସା କରିବାକୁ ମନା କରିଦେଇଥିଲେ । ସେ ସ୍ପଷ୍ଟ ଭାବରେ କହୁଥିଲେ ଯେ ମୁଁ କାହାକୁ କଲ କରି ନ ଥିଲି ।
Comments are closed.