ସୁନ୍ଦରଗଡ଼: ଜାଲ୍ ଦସ୍ତଖତରେ ୪୦ ଲକ୍ଷ ଚଳୁ । ବାପାଙ୍କ ଆକାଉଣ୍ଟରୁ ଟଙ୍କା ଚୋରି କରିନେଲା ଝିଅ । ଏମିତି ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲାରୁ । ଏନେଇ ବାପା ପୋଲିସରେ ଝିଅ ବିରୋଧରେ ଏତଲା ଦେଇଛନ୍ତି । ଏହାକୁ ନେଇ ସୁନ୍ଦରଗଡ଼ ଜିଲ୍ଲାରେ ଚର୍ଚ୍ଚା ଚାଲିଛି ।
ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ଏମସିଏଲ୍ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ହେବା ପରେ ଗୁଡ଼ାଏ ଟଙ୍କା ମିଳିଥିଲା । ଉକ୍ତ ଟଙ୍କାକୁ ସୁନ୍ଦରଗଡ଼ର ଏକ ବ୍ୟାଙ୍କରେ ରଖିଥିଲେ ହେମଗିରି ଥାନା ଗୋପାଳପୁର ଗାଁର ବ୍ୟକ୍ତି ଜଣଙ୍କ ।
ତେବେ, ବ୍ୟକ୍ତି ଜଣଙ୍କର ଝିଅ କିଛି ମାସ ତଳେ ପରିବାରର ବିରୋଧ ସତ୍ତ୍ୱେ କିଞ୍ଜିରିକେଲାର ଯୁବକଙ୍କୁ ପ୍ରେମ ବିବାହ କରିଥିଲେ । କିଛି ଦିନ ପରେ ସବୁକିଛି ଠିକ୍ ହେବା ସହ ଝିଅକୁ ଆପଣାଇ ନେଇଥିଲେ ପରିବାର ଲୋକ । ଫଳରେ ଝିଅ ଘରକୁ ବି ଆସୁଥିଲା । ପ୍ରାୟ ୬ ମାସ ତଳେ ଘରକୁ ଆସିଥିବା ଝିଅ ବାପାଙ୍କ ଚେକ୍ ବହିରୁ କିଛି ଚେକ୍ ନେଇ ଯାଇଥିଲା ।
ଆଉ ଏହି ଚେକରେ ଜାଲ୍ ଦସ୍ତଖତ କରି ଆରମ୍ଭ କରିଥିଲା କାରସାଦି । ଚେକରେ ବାପାଙ୍କ ଜାଲ୍ ଦସ୍ତଖତ କରି ଝିଅ ୪୦ ଲକ୍ଷ ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରି ନେଇଥିଲା । ବ୍ୟକ୍ତିଜଣଙ୍କ ଯେତେବେଳେ କିଛି ଟଙ୍କା ଉଠାଇବାକୁ ବ୍ୟାଙ୍କ ଗଲେ ତ ଆକାଉଣ୍ଟରୁ ୪୦ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଥିବା ଜାଣିବାକୁ ପାଇଲେ । ଏନେଇ ସେ ପୋଲିସରେ ଅଭିଯୋଗ କରିଛନ୍ତି । ତେବେ, କଥା ବାପା-ଝିଅଙ୍କ ମଧ୍ୟରେ ହୋଇଥିବାରୁ ପୋଲିସ ଆପୋସ ବୁଝାମଣା କରି ଛାଡ଼ି ଦେଇଛି ।
Comments are closed.