Latest Odisha News

ତାଜମହଲ ଉପରେ ଉଡିଲା ଗେରୁଆ ପତାକା, ମହିଳା ଗିରଫ

ଆଗ୍ରା: ଗତ କିଛି ଦିନ ହେବ ତାଜମହଲକୁ ନେଇ ଦେଖା ଦେଉଥିବା ବିବାଦ ଶେଷ ହେବାର ନାମ ନେଉନାହିଁ। ତାଜମହଲକୁ ତେଜୋମହାଲୟ ବୋଲି ଦାବି କରୁଛି ହିନ୍ଦୁ ସଂଗଠନ। କେବଳ ଏତିକି ନୁହେଁ ହିନ୍ଦୁ ସଂଗଠନ ତାଜମହଲକୁ ଭଗବାନ ଶିବଙ୍କ ମନ୍ଦିର ବୋଲି ମଧ୍ୟ ଦାବି କରିଛି । ଏଥିସହ ହିନ୍ଦୁ ସଂଗଠନ ତାଜମହଲରେ ନିଜର ବିଭିନ୍ନ ପ୍ରକାରର କାର୍ଯ୍ୟକଳାପ ଜାରି ରଖିଛି । କେତେବେଳେ ତାଜମହଲରେ ଗଙ୍ଗା ଜଳ ପକାଉଛି ତ କେତେବେଳେ କାଉଡିଆ ଯାତ୍ରା କରିବାକୁ କହୁଛି । ଏହାରି ଭିତରେ ଏବେ ତାଜମହଲରେ ଗେରୁଆ ପତାକା ଲଗାଯାଇଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଭିଡିଓ ଭାଇରାଲ ହେବା ପରେ ଅଖିଲ ଭାରତ ହିନ୍ଦୁ ମହାସଭା ଦାବି କରିଛି ଯେ, ତାଜମହଲରେ ଗେରୁଆ ପତାକା ଲଗାଇଥିବା ମହିଳା ଜଣଙ୍କ ହେଉଛନ୍ତି ମହିଳା ସଂଗଠନର ଜଣେ ଅଧିକାରୀ ଏବଂ ଆମେ ତା’କୁ ତାଜମହଲ ନୁହେଁ ବରଂ ତେଜୋମହାଲୟ ଭାବରେ ମାନୁଛୁ । ଗତ ଦୁଇ ଦିନ ପୂର୍ବେ ମଧ୍ୟ ଦୁଇଜଣ ଯୁବକ ତାଜମହଲ ଭିତରେ ଜଳାଭିଷେକ କରିଥିଲେ । ଜଳାଭିଷେକ କରିଥିବା ଉଭୟ ଯୁବକ ଅଖିଲ ଭାରତ ହିନ୍ଦୁ ମହାସଭାର ଅଧିକାରୀ ବୋଲି ମଧ୍ୟ କୁହାଯାଉଛି। ଏହାରି ଭିତରେ ଆଜି ପୁଣିଥରେ ତାଜମହଲ ଉପରେ ଜଣେ ମହିଳା ଠିଆ ହୋଇ ଗେରୁଆ ପତାକା ଲଗାଇଛନ୍ତି । ଭାଇରାଲ ଭିଡିଓରେ ଦେଖାଯାଉଛି ଯେ ଜଣେ ମହିଳା ପର୍ଯ୍ୟଟକ ଭାବରେ ତାଜମହଲ କମ୍ପ୍ଲେକ୍ସରେ ପ୍ରବେଶ କରି ତାଜମହଲର ଉପର ଭାଗରେ ପହଞ୍ଚି ଗେରୁଆ ପତାକା ଲଗାଇଥିଲେ ।

ତାଜମହଲକୁ ଦେଖିବାକୁ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ପ୍ରତ୍ୟକ ଦିନ ଆସୁଛନ୍ତି । ଏବଂ ତାଜମହଲକୁ ନେଇ ବିଭିନ୍ନ ଚର୍ଚ୍ଚା ଆଲୋଚନା ମଧ୍ୟ କରୁଛନ୍ତି । କିନ୍ତୁ ଏହାରି ଭିତରେ ତାଜମହଲର ନାମକୁ ନେଇ ହିନ୍ଦୁ ସଂଗଠନର ଦାବୀ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ଅଖିଲ ଭାରତ ହିନ୍ଦୁ ମହାସଭାରେ ଅଧ୍ୟକ୍ଷଙ୍କ କହିବାନୁସାରେ, ତାଜମହଲରେ ଗେରୁଆ ପତାକା ଉଡେଇଥିବା ମହିଳା ଜଣଙ୍କ ହେଉଛନ୍ତି ଅଖିଲ ଭାରତ ହିନ୍ଦୁ ମହାସଭା ମହିଳା ମୋର୍ଚ୍ଚାର ଜିଲ୍ଲା ସଭାପତି ମୀରା ରାଠୋର । ଭିଡିଓ ଭାଇରାଲ ପରେ ଏବେ ମେରା ରାଠୋରଙ୍କୁ ଗିରଫ କରିଛି ପୋଲିସ।

 

Comments are closed.