ମାଲକାନଗିରି: ୪ ତାରିଖରେ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ପରେ ଆଜି ମିଳିଲା କଟାମୁଣ୍ଡ । କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ । ସକାଳେ ସ୍ଥାନୀୟ ମହିଳାମାନେ ନଦୀକୁ ଗାଧୋଇବାକୁ ଯିବା ବେଳେ ଉକ୍ତ କଟା ମୁଣ୍ଡଟିକୁ ଦେଖିବାକୁ ପାଇଥିଲେ। ଗ୍ରାମବାସୀ ପୋଲିସକୁ ଖବର ଦେବା ପରେ କଟାମୁଣ୍ଡ ଉଦ୍ଧାର ହୋଇଛି ।
ସୂଚନାଥାଉକି, କଟାମୁଣ୍ଡ ମିଳୁ ନଥିବାରୁ ଏମ୍ଭି-୨୬ ଓ ରାଖେଲଗୁଡ଼ା ମଧ୍ୟରେ ବିବାଦ ଦେଖା ଦେଇଥିଲା । କୋରକୋଣ୍ଡା ବ୍ଲକର ଏମଭି-୨୬ ଗ୍ରାମରେ ଧିରେ ଧିରେ ପରିସ୍ଥିତି ସୁଧୁରିବାକୁ ଲାଗିଛି । ଶାନ୍ତି ପ୍ରତିଷ୍ଠା ପାଇଁ ଦୁଇ ଗାଁ ମଧ୍ୟରେ ସହମତି ହୋଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୁଇ ଗାଁର ପ୍ରତିନିଧିଙ୍କୁ ନେଇ ଶାନ୍ତି କମିଟି ବୈଠକ ବସିଥିଲା। ଉଭୟ ଗୋଷ୍ଠୀ ମଧ୍ୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ସମସ୍ତଙ୍କର ଦାବି ଶୁଣିଥିଲେ ଜିଲ୍ଲାପାଳ।
ଏପଟେ ଆଜି (ଡିସେମ୍ବର ୧୦ ତାରିଖ )ଦିନ ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍କଟକଣା ଜାରି ରହିବ । ସୁରକ୍ଷା ଦୃଷ୍ଟିରୁ ଗାଁରେ ଏବେ CCTV କ୍ୟାମେରା ଲଗାଯାଇଛି ।
ସୂଚନାଥାଉକି, କିଛି ଦିନ ତଳେ ପୋଟେରୁ ନଦୀରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିଥିଲା। ଏହାକୁ ନେଇ ରାଖାଲଗୁଡ଼ା ଓ ଏମଭି-୨୬ ଗାଁ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି। ରାଖାଲଗୁଡ଼ା ଗାଁର ଲୋକେ ସନ୍ଦେହ କରୁଛନ୍ତି ଯେ ଏମଭି-୨୬ ଗାଁର କିଛି ଲୋକ ପୁରୁଣା ଜମି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି । ପୋଲିସ ହତ୍ୟାକାରୀଙ୍କୁ ଗିରଫ ନ କରିବାରୁ ଏବଂ କଟା ମୁଣ୍ଡ ଉଦ୍ଧାର ନ ହେବାରୁ ରାଖାଲଗୁଡ଼ା ଗାଁ ଲୋକେ ରାଗି ଯାଇଥିଲେ । କିଛି ଲୋକ ଏମଭି ୨୬ ଗ୍ରାମରେ ନିଆଁ ଲଗାଇ ଦେବା ସହ ଘର ଭାଙ୍ଗି ଦେଇଥିଲେ। ଭୟରେ ଏମଭି ୨୬ ଗାଁର ଲୋକେ ଘର ଛାଡ଼ି ପଳାଇଛନ୍ତି ।