ବ୍ରହ୍ମପୁର: ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମାଧିଆପଲ୍ଲୀ ଗ୍ରାମରେ ଗୁଣି ସନ୍ଦେହକୁ ନେଇ ତୁମୁଳକାଣ୍ଡ ଘଟି ଯାଇଛି। ଗୁଣି ସନ୍ଦେହରେ ଗ୍ରାମର କେତେକ ଲୋକେ ପ୍ରଥମେ ୪ଜଣଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣର ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କ ପତ୍ନୀ ଥାନାରେ ଏତଲା ଦେଲେ। ତେବେ ଥାନାରେ ଏତଲା ଦେବାକୁ ନେଇ ଉକ୍ତ ମହିଳାଙ୍କୁ କିଛି ଲୋକ ପିଟିପିଟି ହତ୍ୟା କରିଦେଇଛନ୍ତି। ଏହି ଘଟଣାକୁ ନେଇ ଗ୍ରାମରେ ତୀବ୍ର ଉତ୍ତେଜନା ଦେଖାଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତିଙ୍କ ଦେହକୁ ପ୍ରେତାତ୍ମା ଲାଗିବା ପରେ ସେ ୪ଜଣ ବ୍ୟକ୍ତିଙ୍କ ନାମ କହିଥିଲେ। ସେମାନେ ଗ୍ରାମରେ ଗୁଣିଗାରେଡ଼ି କରୁଥିବା କହିଥିଲେ। ଫଳରେ ଗ୍ରାମର କେତେକ ବାସିନ୍ଦା ଉକ୍ତ ୪ଜଣଙ୍କୁ ବୁଧବାର ସନ୍ଧ୍ୟାରେ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିଲେ। ସେମାନଙ୍କ କବଳରୁ ରାଜେନ୍ଦ୍ର ନାହାକ ନାମକ ଜଣେ ବ୍ୟକ୍ତି କୌଶଳ କ୍ରମେ ଖସି ଆସିଥିଲେ। ପୋଲିସର ଦ୍ବାରସ୍ଥ ହେବା ପରେ ତାଙ୍କୁ ଆସିକା ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିବା ଯୋଗୁ ଚିକିତ୍ସା କରାଯାଇଥିଲା। ଅନ୍ୟପଟେ ବଳକା ୩ଜଣଙ୍କୁ ମୁକୁଳାଇବା ପାଇଁ ପୋଲିସ ଗ୍ରାମରେ ପହଞ୍ଚିଥିଲା। ହେଲେ ଗ୍ରାମବାସୀ ଛାଡ଼ି ନଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ଅନ୍ୟ ୩ଜଣଙ୍କୁ ଉଦ୍ଧାର କରି ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲା। ତେବେ ଆକ୍ରମଣର ଶିକାର ହୋଇଥିବା ଯୁଧିଷ୍ଠିର ନାହାକ ନାମକ ଜଣେ ବ୍ୟକ୍ତିଙ୍କ ପତ୍ନୀ ଝୁନୁ ଏନେଇ ଥାନାରେ ଏତଲା ଦେଇଥିଲେ। ଏଥିରେ ଉତ୍କ୍ଷୀପ୍ତ ହୋଇ ଗୁରୁବାର ଝୁନୁଙ୍କୁ ଗ୍ରାମର କେତେକ ଲୋକ ପିଟିପିଟି ମାରିଦେଇଥିଲେ। ପୋଲିସ ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାକୁ ନେଇ ଗ୍ରାମରେ ତୀବ୍ର ଉତ୍ତେଜନା ଲାଗି ରହିଛି। ୨ ପ୍ଲାଟୁନ୍ ଫୋର୍ସ ମୂତୟନ କରାଯାଇଛି। ଗିରଫ ଭୟରେ ଗ୍ରାମ ପୁରୁଷ ଶୂନ୍ୟ ହୋଇପଡ଼ିଛି। ପୋଲିସ ୫୦ରୁ ଅଧିକ ମହିଳାଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି। ଖବର ଲେଖା ହେବା ବେଳକୁ ଗ୍ରାମରେ ଉତ୍ତେଜନା ଲାଗି ରହିଛି।
ଝୁନୁଙ୍କ ପୁଅଙ୍କ କହିବାନୁଯାୟୀ, ଗୁଣିଗାରେଡ଼ିକୁ ନେଇ ବୁଧବାର ରାତିରେ ଗାଁରେ ବୈଠକ ବସିଥିଲା। ସେଠାରେ ଆକ୍ରମଣ ଯୋଗୁ ଗାଁ ବାହାରକୁ ଦୌଡି ଚାଲି ଯାଇଥିଲୁ। ହେଲେ ମା’ ଘରେ ରହିଯାଇଥିଲା। ଗୁରୁବାର ସକାଳୁ ଆସି ଦେଖିଲା ବେଳକୁ ମା’ଙ୍କ ଶବ ପଡ଼ିଛି। ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ସେ ପ୍ରକାଶ କରିଛନ୍ତି। ପୁରୁଷୋତ୍ତମପୁର ଏସ୍ଡିପିଓ ରଜନୀକାନ୍ତ ସାମଲଙ୍କ କହିବାନୁଯାୟୀ, ଯୁଧିଷ୍ଠିରଙ୍କୁ ଆକ୍ରମଣ ନେଇ ତାଙ୍କ ପତ୍ନୀ ଝୁନୁ ଥାନାରେ ଏତଲା ଦେଇଥିଲେ। ଏଣୁ ଏଥିରେ ଅତିଷ୍ଠ ହୋଇ ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ଗୁଣିଗାରେଡ଼ି ନୁହଁ, ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି।
BREAKING NEWS
- OUSSSCର ପ୍ରଥମ ଅଧ୍ୟକ୍ଷ ହେଲେ ରଶ୍ମିରଞ୍ଜନ ସ୍ବାଇଁ
- Rajya Sabha Elections: ରାଜ୍ୟସଭା ନିର୍ବାଚନ ପାଇଁ ହ୍ୱିପ ଜାରି କଲା ବିଜେପି
- ‘ଓଡ଼ିଶାରେ ୨୮ଟି ଆକାଶବାଣୀ କେନ୍ଦ୍ର ଏବଂ ୨୪ ଘଣ୍ଟିଆ ଟିଭି ଚ୍ୟାନେଲ୍ ଡିଡି ଓଡ଼ିଆ କାର୍ଯ୍ୟ କରୁଛି’
- Menstrual leave:’ମହିଳାଙ୍କୁ କେହି ଚାକିରି ଦେବେ ନାହିଁ…’; ମାସିକ ଋତୁସ୍ରାବ ଛୁଟି ସମ୍ପର୍କିତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ
- ଆଇପିଏଲ ୨୦୨୬ ସିଜନରୁ ଓହରିଲେ ହର୍ଷିତ ରାଣା
- ଆଇପିଏଲ ପାଇଁ ପିଏସଏଲ ଛାଡିଲେ ବ୍ଲେସିଙ୍ଗ ମୁଜାରବାନୀ
- ଜମି ଭାଗ ପାଇଁ ଡବଲ ମର୍ଡର; ନିଜ ବଡ଼ ଭାଇ ଓ ମା’ଙ୍କୁ ହତ୍ୟା…
- ‘ଗ୍ଲୋବାଲ ସମିଟ୍ ଅନ୍ ବ୍ଲୁ ଇକୋନୋମି ୨୦୨୬’ ଉଦଘାଟିତ; ନୀଳ ଅର୍ଥନୀତି କ୍ଷେତ୍ରରେ ସ୍ଥାୟୀ ଅଭିବୃଦ୍ଧି ପାଇଁ ଏକତ୍ରିତ…
- ଆଇସିସି ଟି୨୦ ବିଶ୍ୱକପ ୨୦୨୬: ୧୫୦୦ କୋଟିରୁ ଊର୍ଦ୍ଧ୍ୱ ଆୟ
- ପିଏମ୍ କିଷାନ ଉତ୍ସବ ଦିବସ; ଓଡିଶାର ୩୪ ଲକ୍ଷରୁ ଉର୍ଦ୍ଧ୍ୱ କୃଷକ ପାଇଲେ ୬୮୪ କୋଟି
Comments are closed.