ବ୍ରହ୍ମପୁର: ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମାଧିଆପଲ୍ଲୀ ଗ୍ରାମରେ ଗୁଣି ସନ୍ଦେହକୁ ନେଇ ତୁମୁଳକାଣ୍ଡ ଘଟି ଯାଇଛି। ଗୁଣି ସନ୍ଦେହରେ ଗ୍ରାମର କେତେକ ଲୋକେ ପ୍ରଥମେ ୪ଜଣଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣର ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କ ପତ୍ନୀ ଥାନାରେ ଏତଲା ଦେଲେ। ତେବେ ଥାନାରେ ଏତଲା ଦେବାକୁ ନେଇ ଉକ୍ତ ମହିଳାଙ୍କୁ କିଛି ଲୋକ ପିଟିପିଟି ହତ୍ୟା କରିଦେଇଛନ୍ତି। ଏହି ଘଟଣାକୁ ନେଇ ଗ୍ରାମରେ ତୀବ୍ର ଉତ୍ତେଜନା ଦେଖାଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତିଙ୍କ ଦେହକୁ ପ୍ରେତାତ୍ମା ଲାଗିବା ପରେ ସେ ୪ଜଣ ବ୍ୟକ୍ତିଙ୍କ ନାମ କହିଥିଲେ। ସେମାନେ ଗ୍ରାମରେ ଗୁଣିଗାରେଡ଼ି କରୁଥିବା କହିଥିଲେ। ଫଳରେ ଗ୍ରାମର କେତେକ ବାସିନ୍ଦା ଉକ୍ତ ୪ଜଣଙ୍କୁ ବୁଧବାର ସନ୍ଧ୍ୟାରେ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିଲେ। ସେମାନଙ୍କ କବଳରୁ ରାଜେନ୍ଦ୍ର ନାହାକ ନାମକ ଜଣେ ବ୍ୟକ୍ତି କୌଶଳ କ୍ରମେ ଖସି ଆସିଥିଲେ। ପୋଲିସର ଦ୍ବାରସ୍ଥ ହେବା ପରେ ତାଙ୍କୁ ଆସିକା ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିବା ଯୋଗୁ ଚିକିତ୍ସା କରାଯାଇଥିଲା। ଅନ୍ୟପଟେ ବଳକା ୩ଜଣଙ୍କୁ ମୁକୁଳାଇବା ପାଇଁ ପୋଲିସ ଗ୍ରାମରେ ପହଞ୍ଚିଥିଲା। ହେଲେ ଗ୍ରାମବାସୀ ଛାଡ଼ି ନଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ଅନ୍ୟ ୩ଜଣଙ୍କୁ ଉଦ୍ଧାର କରି ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲା। ତେବେ ଆକ୍ରମଣର ଶିକାର ହୋଇଥିବା ଯୁଧିଷ୍ଠିର ନାହାକ ନାମକ ଜଣେ ବ୍ୟକ୍ତିଙ୍କ ପତ୍ନୀ ଝୁନୁ ଏନେଇ ଥାନାରେ ଏତଲା ଦେଇଥିଲେ। ଏଥିରେ ଉତ୍କ୍ଷୀପ୍ତ ହୋଇ ଗୁରୁବାର ଝୁନୁଙ୍କୁ ଗ୍ରାମର କେତେକ ଲୋକ ପିଟିପିଟି ମାରିଦେଇଥିଲେ। ପୋଲିସ ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାକୁ ନେଇ ଗ୍ରାମରେ ତୀବ୍ର ଉତ୍ତେଜନା ଲାଗି ରହିଛି। ୨ ପ୍ଲାଟୁନ୍ ଫୋର୍ସ ମୂତୟନ କରାଯାଇଛି। ଗିରଫ ଭୟରେ ଗ୍ରାମ ପୁରୁଷ ଶୂନ୍ୟ ହୋଇପଡ଼ିଛି। ପୋଲିସ ୫୦ରୁ ଅଧିକ ମହିଳାଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି। ଖବର ଲେଖା ହେବା ବେଳକୁ ଗ୍ରାମରେ ଉତ୍ତେଜନା ଲାଗି ରହିଛି।
ଝୁନୁଙ୍କ ପୁଅଙ୍କ କହିବାନୁଯାୟୀ, ଗୁଣିଗାରେଡ଼ିକୁ ନେଇ ବୁଧବାର ରାତିରେ ଗାଁରେ ବୈଠକ ବସିଥିଲା। ସେଠାରେ ଆକ୍ରମଣ ଯୋଗୁ ଗାଁ ବାହାରକୁ ଦୌଡି ଚାଲି ଯାଇଥିଲୁ। ହେଲେ ମା’ ଘରେ ରହିଯାଇଥିଲା। ଗୁରୁବାର ସକାଳୁ ଆସି ଦେଖିଲା ବେଳକୁ ମା’ଙ୍କ ଶବ ପଡ଼ିଛି। ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ସେ ପ୍ରକାଶ କରିଛନ୍ତି। ପୁରୁଷୋତ୍ତମପୁର ଏସ୍ଡିପିଓ ରଜନୀକାନ୍ତ ସାମଲଙ୍କ କହିବାନୁଯାୟୀ, ଯୁଧିଷ୍ଠିରଙ୍କୁ ଆକ୍ରମଣ ନେଇ ତାଙ୍କ ପତ୍ନୀ ଝୁନୁ ଥାନାରେ ଏତଲା ଦେଇଥିଲେ। ଏଣୁ ଏଥିରେ ଅତିଷ୍ଠ ହୋଇ ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ଗୁଣିଗାରେଡ଼ି ନୁହଁ, ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି।
BREAKING NEWS
- ଫେବୃଆରୀ ୨ ଯାଏଁ ରାଜ୍ୟରେ କୁହୁଡ଼ି ସମ୍ଭାବନା, ୪ ଯାଏଁ ଅଧିକାଂଶ ସ୍ଥାନରେ ବଢିବ ରାତି ତାପମାତ୍ରା
- ସରକାରଙ୍କ ବଡ଼ ଘୋଷଣା: ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ…
- ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲ୍ଲା ପ୍ରଶାସନ
- ୪ ରାଜ୍ୟରେ କରୁଥିଲେ ଅନଲାଇନ ଟ୍ରେଡିଂ ଠକେଇ, ତିନି ଗିରଫ
- ରାଜ୍ୟ ସରକାର ଭୁଲ ତଥ୍ୟ ଦେଇ ବିଶ୍ୱ ବ୍ୟାଙ୍କ ଟିମ୍ ଓ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି: ବିଜେଡି
- Joranda Mela: ଚଳଚଞ୍ଚଳ ଢେଙ୍କାନାଳ;ଆରମ୍ଭ ହେଉଛି ବିଶ୍ବ ପ୍ରସିନ୍ଧ ଯୋରନ୍ଦା ମେଳା
- Gopalpur Mahotsav: ଗଞ୍ଜାମ ଜିଲ୍ଲାବାସୀଙ୍କୁ ୪୯୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ ଭେଟି;୩୨ କୋଟିରେ ଗୋପାଳପୁର…
- ସମସ୍ତ ଚାଷୀଙ୍କ ଧାନ ସରକାର କିଣିବେ, କାହାରି ବି ଟୋକନ ଲାପ୍ସ ଯିବ ନାହିଁ: ମନ୍ତ୍ରୀ
- Odisha Budget 2026-27: ଏହି ଦିନରୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ, ୨୦ରେ ବଜେଟ୍ ଉପସ୍ଥାପନ
- Naxalites Surrender: ‘ଲାଲ ଆତଙ୍କ’ଉପରେ ପ୍ରହାର: ୮ଲକ୍ଷ ପୁରସ୍କାର ରାଶି ଥିବା ୪ ମାଓବାଦୀଙ୍କ ଆତ୍ମସମର୍ପଣ
Comments are closed.