ନୂଆଦିଲ୍ଲୀ: ଭାରତର ଷ୍ଟାର ମହିଳା ରେସଲର ରବିବାର ପୁନର୍ବାର ଜନ୍ତରମନ୍ତରରେ ଧାରଣାରେ ବସିଛନ୍ତି । ଭାରତୀୟ ରେସଲିଂ ଫେଡେରେଶନର ଅଧ୍ୟକ୍ଷ ଏବଂ ଅନ୍ୟ ପ୍ରଶିକ୍ଷକମାନେ ସେମାନଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରି ଏହି ଧାରଣାରେ ବସିଛନ୍ତି । ପୂର୍ବରୁ ଫେଡେରେଶନ ମୂଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ୭ଜଣ ମହିଳା ରେସଲର ଏହି ସଙ୍ଗୀନ ଅଭିଯୋଗ ଆଣିଥିଲେ । ଦୀର୍ଘ ଦିନ ହେବା ସତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ସେମାନେ ପୁନର୍ବାର ଏତଲା ଦେଇଛନ୍ତି । ସରକାରଙ୍କ ଦ୍ୱାରା ଗଠିତ ପ୍ୟାନେଲ ସେମାନଙ୍କ ରିପୋର୍ଟ ସାର୍ବଜନୀନ କରି ନାହାନ୍ତି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି । ବ୍ରିଜ ଭୂଷଣ ଗିରଫ ନ ହେବା ପର୍ଯ୍ୟନ୍ତ ଏଠାରୁ କେହି ହଟିବେ ନାହିଁ ବୋଲି ରେସଲର ବଜରଙ୍ଗ ପୁନିଆ କହିଛନ୍ତି ।
ସେହିପରି ତିନି ମାସ ଧରି କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଏବଂ ଅନ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ସେମାନେ ଫୋନ ଉଠାଉ ନାହାନ୍ତି କିମ୍ବା କୌଣସି ପ୍ରତିକ୍ରିୟା ଦେଉ ନାହାନ୍ତି ବୋଲି ଭିନେଶ ଫୋଗଟ କହିଛନ୍ତି । ଦେଶ ପାଇଁ ଆମେ ପଦକ ଜିତିଛୁ । ଏବେ କ୍ୟାରିୟରକୁ ବାଜିରେ ଲଗାଇ ନ୍ୟାୟ ପାଇଁ ଲଢ଼ୁଥିଲେ ମଧ୍ୟ ସରକାରଙ୍କ ଉଦ୍ୟମ ସନ୍ତୋଷଜନକ ନୁହେଁ ବୋଲି ସେ କହିଛନ୍ତି ।
Comments are closed.