Latest Odisha News

BREAKING NEWS

Growing Passion for Cricket: ମହିଳା କ୍ରିକେଟର କ୍ରେଜ୍ ଆକାଶଛୁଆଁ

ନୂଆଦିଲ୍ଲୀ:ଦେଶରେ ଏବେ ମହିଳା କ୍ରିକେଟ୍ ର କ୍ରେଜ୍ ଆକାଶଛୁଆଁ । କେବଳ ଷ୍ଟାଡିୟମରେ ଭିଡ଼ ନୁହେଁ, ବରଂ ପଡ଼ିଆରେ ବ୍ୟାଟ୍-ବଲ୍ ଧରି ଓହ୍ଲାଉଥିବା ଝିଅମାନଙ୍କ ସଂଖ୍ୟା ଏବେ ଦ୍ୱିଗୁଣିତ ହୋଇଛି। ଏକ ସର୍ଭେ ଅନୁସାରେ, ଦେଶରେ ମହିଳା କ୍ରିକେଟରଙ୍କ ସଂଖ୍ୟାରେ ଅଭୂତପୂର୍ବ ବୃଦ୍ଧି ଘଟିଛି। ୨୦୨୦ ମସିହାରେ ଯେଉଁଠି ମାତ୍ର ୫ ପ୍ରତିଶତ ମହିଳା କ୍ରିକେଟ୍ ଖେଳୁଥିଲେ, ଏବେ ସେହି ସଂଖ୍ୟା ବଢ଼ି ୧୦ ପ୍ରତିଶତରେ ପହଞ୍ଚିଛି।

ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ ଏହି ଉତ୍ସାହ ଅଧିକ ଦେଖିବାକୁ ମିଳିଛି। ୧୫ ରୁ ୨୪ ବର୍ଷ ବୟସର ପ୍ରାୟ ୧୬ ପ୍ରତିଶତ ଝିଅ ଏବେ କ୍ରିକେଟକୁ ନିଜର ପ୍ରିୟ ଖେଳ ଭାବେ ଗ୍ରହଣ କରିଛନ୍ତି, ଯାହା ୨୦୨୦ରେ ମାତ୍ର ୬ ପ୍ରତିଶତ ଥିଲା।

ଉତ୍ତର ପ୍ରଦେଶରେ ମହିଳା କ୍ରିକେଟରଙ୍କ ସଂଖ୍ୟା ୧ ପ୍ରତିଶତରୁ ବଢ଼ି ୧୦ ପ୍ରତିଶତରେ ପହଂଚିଛି । କେବଳ ସଉକ ନୁହେଁ, ବରଂ ଏବେ କ୍ରିକେଟକୁ କ୍ୟାରିୟର ଭାବେ ବାଛୁଛନ୍ତି ଭାରତୀୟ ଝିଅ। ମହିଳା ଦଳର ଐତିହାସିକ ଦିନିକିଆ ବିଶ୍ୱକପ୍ ବିଜୟ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ପ୍ରଦର୍ଶନ ଏହି ପରିବର୍ତ୍ତନର ମୁଖ୍ୟ କାରଣ କୁହାଯାଉଛି । ଆଜିର ଦିନରେ ପ୍ରତି ୪ ଜଣରେ ଜଣେ ଝିଅ କ୍ରିକେଟକୁ ଏକ ସଫଳ କ୍ୟାରିୟର ଭାବେ ଦେଖୁଛନ୍ତି। ତାମିଲନାଡୁ, ମଧ୍ୟପ୍ରଦେଶ ଏବଂ ମେଘାଳୟ ଭଳି ରାଜ୍ୟରେ ଏହି ସକାରାତ୍ମକ ପରିବର୍ତ୍ତନ ସ୍ପଷ୍ଟ ବାରି ହୋଇପଡ଼ୁଛି ।

ଖେଳ ପଡ଼ିଆରେ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ମଧ୍ୟ କମିବାରେ ଲାଗିଛି। ପୂର୍ବରୁ ୫ ଜଣ ପୁରୁଷ ଖେଳାଳିଙ୍କ ତୁଳନାରେ ଜଣେ ମହିଳା ଖେଳାଳି ରହୁଥିବା ବେଳେ, ଏବେ ଏହି ଅନୁପାତ ୩:୧ କୁ ଖସି ଆସିଛି।

ତେବେ ଏହି ସଫଳତା ମଧ୍ୟରେ ‘ସୁରକ୍ଷା’ ଏବେ ବି ଏକ ବଡ଼ ଚ୍ୟାଲେଞ୍ଜ। ସର୍ଭେ ଅନୁସାରେ, ପ୍ରାୟ ୧୩ ପ୍ରତିଶତ ମହିଳା ସୁରକ୍ଷା ଜନିତ କାରଣରୁ ଖେଳ ପଡ଼ିଆକୁ ଆସିବାକୁ ସଂକୋଚ କରୁଛନ୍ତି। କିନ୍ତୁ ସମସ୍ତ ବାଧାବିଘ୍ନ ସତ୍ତ୍ୱେ, ପାରମ୍ପରିକ ଖେଳକୁ ପଛରେ ପକାଇ କ୍ରିକେଟ୍ ଆଜି ଶୀର୍ଷରେ। ଏହା ନିଶ୍ଚିତ ଭାବେ ଭାରତୀୟ ମହିଳା କ୍ରୀଡ଼ାବିତଙ୍କ ପାଇଁ ଏକ ସୁବର୍ଣ୍ଣ ଯୁଗର ଆରମ୍ଭ।

ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଭାରତୀୟ ଝିଅମାନେ ଏବେ କେବଳ ଘର କୋଣରେ ସୀମିତ ନାହାଁନ୍ତି, ସେମାନେ ଏବେ ପଡ଼ିଆରେ ଚୌକା-ଛକା ମାରି ଦେଶର ନାଁ ରୋଶନ କରୁଛନ୍ତି।

Leave A Reply

Your email address will not be published.