ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ (ଡବ୍ଲ୍ୟୁପିଏଲ) ତୃତୀୟ ସିଜନ ପାଇଁ ବିସିସିଆଇ ଭେନ୍ୟୁ ଚୂଡାନ୍ତ କରିଛି । ବରୋଦା ଓ ଲକ୍ଷ୍ନୌରେ ୫ଟି ଟିମ ମଧ୍ୟରେ ସମସ୍ତ ମ୍ୟାଚ ଖେଳାଯିବ । ଟୁର୍ଣ୍ଣାମେଂଟ ୬ କିମ୍ବା ୭ ଫେବୃୟାରୀରୁ ଆରମ୍ଭ ହେବ । ବରୋଦାରେ ଦ୍ୱିତୀୟ ପର୍ଯ୍ୟାୟ ମୁକାବିଲା ଖେଳାଯିବ । ଏଥିରେ କ୍ୱାଲିଫାୟର ଓ ଫାଇନାଲ ମୁକାବିଲା ବି ସାମିଲ । ଭେନ୍ୟୁ ଚୂଡାନ୍ତ ହେଲେ ମଧ୍ୟ ଏ ପର୍ଯ୍ୟନ୍ତ କାର୍ଯ୍ୟସୂଚୀ ଘୋଷଣା କରାଯାଇ ନାହିଁ । ବିସିସିଆଇ ଏ ସମ୍ପର୍କରେ ଉତରପ୍ରଦେଶ କ୍ରିକେଟ ଆସୋସିଏଶନ ଓ ବରୋଦା କ୍ରିକେଟ ଆସୋସିଏଶନ ସହ ଆଲୋଚନା ମଧ୍ୟ କରି ସାରିଛି ।
ବରୋଦାର କୋଟାମ୍ବୀ ଷ୍ଟାଡିୟମରେ ଇତି ମଧ୍ୟରେ ଭାରତ-ୱେଷ୍ଟଇଣ୍ଡିଜ ମୁକାବିଲା, ମହିଳା ଟି୨୦ ଓ ରଣଜୀ ଟ୍ରଫି ମଧ୍ୟ ଆୟୋଜିତ ହୋଇସାରିଛି । ଡବ୍ଲ୍ୟୁପିଏଲରେ ଓଭରାଲ ୨୩ ମ୍ୟାଚ ଆୟୋଜିତ ହେବ । ଫାଇନାଲ ମ୍ୟାଚ ମ୍ୟାଚ ୮ କିମ୍ବା ୯ ମାର୍ଚ୍ଚରେ ଆୟୋଜିତ ହେବ । ଏହି ଲିଗର ପ୍ରଥମ ସଂସ୍କରଣ ମୁମ୍ବାଇରେ ଆୟୋଜିତ ହୋଇଥିଲା । ଏହା ପରେ ଦ୍ୱିତୀୟ ସଂସ୍କରଣ ବେଙ୍ଗାଲୁର ଓ ଦିଲ୍ଲରେ ଅନୁଷ୍ଠିତ ହୋଇଥିଲା । ମୁମ୍ବାଇ ଓ ବେଙ୍ଗାଲୁର ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସଂସ୍କରଣରେ ଚାମ୍ପିୟନ ହୋଇଛନ୍ତି । ୨ଟି ଯାକ ଫାଇନାଲରେ ଦିଲ୍ଲୀ ରନର୍ସଅପ ହୋଇଛି ।