ବ୍ରହ୍ମପୁର: ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଶ୍ବସ୍ତି ମିଳିଛି। ବହୁ ଚର୍ଚ୍ଚିତ ଟାଟା କମ୍ପାନୀରେ ଚାକିରି ନାଁରେ ଠକେଇ ମାମଲାରେ ଶ୍ରୀ ପାଣିଗ୍ରାହୀଙ୍କୁ ଏମ୍ପି/ଏମ୍ଏଲ୍ଏ କୋର୍ଟରେ ୨ଟି ମାମଲାରେ ଆଶ୍ବସ୍ତି ମିଳିଛି। ଏଥି ସହିତ ଅଭୟ ପାଠକ ଓ ତାଙ୍କର ପୁଅ ଆକାଶ ପାଠକଙ୍କୁ ମଧ୍ୟ ଆଶ୍ବସ୍ତି ମିଳିଛି। ଏହାବ୍ୟତୀତ ଅନ୍ୟ ୩ଟି ମାମଲରେ ଆସନ୍ତାକାଲି ବୁଧବାର ଶୁଣାଣି ହେବ।
ସୂଚନାଯୋଗ୍ୟ, ଟାଟା ମୋଟର୍ସରେ ଚାକିରି କରେଇଦେବା ନାଁରେ ଠକେଇ ମାମଲାରୁ ପୂର୍ବରୁ ୫ ଜଣ ଏତଲାକାରୀ ଓହରିଛନ୍ତି। ସାଂସଦ ପ୍ରଦୀପ ପାଣିଗ୍ରାହୀ କୌଣସି ଟଙ୍କା ନେଇ ନଥିବା ବ୍ରହ୍ମପୁର ଜେଏମ୍ଏଫ୍ସି କୋର୍ଟରେ ସେମାନେ କହିଛନ୍ତି। ଗତମାସ ୧୮ ତାରିଖରେ ୩ ଜଣ ଓ ୧୦ ତାରିଖ ଦିନ ୨ ଜଣ ଏତଲାକାରୀ କହିଛନ୍ତି, ପ୍ରଦୀପ ପାଣିଗ୍ରାହୀଙ୍କୁ କୌଣସି ପ୍ରକାର ଅର୍ଥ ସେମାନେ ଦେଇ ନାହାନ୍ତି। ବିଜେଡି ଓ ପ୍ରଶାସନର ଚାପ ଯୋଗୁଁ ସେମାନେ ଏଭଳି ଏତଲା ଦେଇଥିଲେ ବୋଲି ମାଜିଷ୍ଟ୍ରେଟଙ୍କ ଆଗରେ ପ୍ରଦୀପଙ୍କ ଓକିଲ କହିଥିଲେ।
ସାଂସଦ ଓ ବିଧାୟକଙ୍କ ମାମଲା ବିଚାରଣା ପାଇଁ ରହିଥିବା ସ୍ବତନ୍ତ୍ର କୋର୍ଟରେ ପ୍ରଥମ ଦିନରେ ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ଦୁଇଟି ଟଙ୍କା ଠକେଇ ମାମଲା ଜିଆର୍-୨୨୨୫/୨୦ର ଏତଲାକାରୀ ଲକ୍ଷ୍ମୀଧର ନାୟକ ଓ ଜିଆର୍-୬୨/୨୧ର ଏତଲାକାରୀ ପ୍ରଭାତ ନାୟକ ନିଜର ସାକ୍ଷ୍ୟ ଦେଇଥିଲେ। ଏତଲା ବୟାନ ବଦଳାଇ ଉଭୟ ଏତଲାକାରୀ ଏହା କୋର୍ଟରେ କହିଥିବା ସାଂସଦଙ୍କ ଓକିଲ ଦୀପକ ପଟ୍ଟନାୟକ ଓ ଅସିତ ଶତପଥୀ କହିଛନ୍ତି। ପ୍ରକାଶ ଥାଉ କି ପୂର୍ବରୁ ଏହି ଦୁଇଜଣଙ୍କ ସମେତ ୪ଜଣ ଏତଲାକାରୀ ଗତ ମେ’ରେ କୋର୍ଟରେ ସତ୍ୟପାଠ ଦାଖଲ କରି ମାମଲା ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ।
ଉଲ୍ଲେଖଯୋଗ୍ୟ, ଟାଟା କମ୍ପାନିରେ ଚାକିରି ନାଁରେ ଟଙ୍କା ଠକେଇ ନେଇ ବ୍ରହ୍ମପୁର ସାଂସଦ ପ୍ରଦୀପଙ୍କ ନାମରେ ଅଭିଯୋଗ ହୋଇଥିଲା। ପ୍ରଥମେ କ୍ରାଇମ୍ବ୍ରାଞ୍ଚ ନିକଟରେ ଅଭିଯୋଗ ପରେ କଟକ ସାଇବର୍ ଥାନାରେ ମାମଲା ରୁଜୁ ହୋଇଥିଲା। ତଦନ୍ତ ପରେ ପର୍ଯ୍ୟାୟ କ୍ରମେ ପ୍ରଦୀପଙ୍କ ନାମରେ ୫ଟି ଠକେଇ ମାମଲା ରୁଜୁ ହୋଇଥିଲା।
Comments are closed.