କୋଟା: ରାଜସ୍ଥାନର କୋଟା ଜିଲ୍ଲାର ମୁକୁନ୍ଦରା ସହରରେ ଗତକାଲି ରାତିରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ପାଇଁ ନିର୍ମାଣ ହେଉଥିବା ଟନେଲଟି ହଠାତ୍ ଭୁଶୁଡି ପଡିଛି । ଫଳରେ ସେଠାରେ କାର୍ଯ୍ୟ କରୁଥିବା କିଛି ଶ୍ରମିକ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ । ଏନେଇ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଉଦ୍ଧାରକାରୀ ଦଳ । ସ୍ଥାନୀୟ ଲୋକଙ୍କ ସହାୟତାରେ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣଙ୍କ ଅବସ୍ଥା ଗୁରୁତର ଅଛି ।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ନିର୍ମାଣାଧୀନ ଟନେଲରେ କାମ ଚାଲି ଥିବାବେଳେ ଅଚାନକ ଟନେଲଟି ଭୁଶୁଡି ପରିଥିଲା । ଫଳରେ ସେଠାର କାମ କରୁଥିବା କିଛି ଶ୍ରମିକ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ । ଖବର ପାଇ ପୁଲିସ ଏବଂ ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀମାନେ ତୁରନ୍ତ ସେଠାରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣଙ୍କର ଚିକିତ୍ସା ଚାଲିଛି। ତେବେ ମୃତକ ଜଣଙ୍କ ହେଉଛନ୍ତି ଉତ୍ତରାଖଣ୍ଡ ଡେରାଡୁନର ୩୩ ବର୍ଷିୟ ଶମଶେର ସିଂହ ରାବତ । ସେପଟେ ଆହତଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ସେପଟେ ଘଟଣାକୁ ନେଇ ଅନ୍ୟ ଶ୍ରମିକମାନେ କଣ୍ଟ୍ରାକ୍ଟରକୁ ଦାୟୀ କରିଥିଲେ। ଟନେଲ ଭିତରେ କାମ କରିବା ପାଇଁ କଣ୍ଟ୍ରାକ୍ଟର କୌଣସି ପ୍ରକାରର ସୁରକ୍ଷା ଉପକରଣ ଯୋଗାଇ ଦେଉନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି ଅନ୍ୟ ଶ୍ରମିକମାନେ ।