Latest Odisha News

BREAKING NEWS

ଓଡ଼ିଶାରେ ବିଜେଡି-ବିଜେପିର ବିକଳ୍ପ ହେବ କହିଲା ଆମ୍ ଆଦମୀ ପାର୍ଟି, ଜବାବ ଦେଲେ ଅପରାଜିତା

ଭୁବନେଶ୍ୱର: ଆମ୍ ଆଦମୀ ପାର୍ଟି ଶୁକ୍ରବାର ଦିନ କହିଛି ଯେ ଓଡିଶାରେ ବିଜେଡି ଏବଂ ବିଜେପିର ବିକଳ୍ପ ଭାବରେ ନିଜକୁ ମଜବୁତ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି। ରବିବାର ଭୁବନେଶ୍ୱରରେ କର୍ମୀଙ୍କୁ ନେଇ ଏକ ସମ୍ମିଳନୀ କରିବ ବୋଲି ଦଳ କହିଛି।

ଏହି କାର୍ଯ୍ୟକ୍ରମକୁ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ବିଧାୟକ ତଥା ଓଡିଶାର ଦାୟିତ୍ୱରେ ଥିବା ବିରେନ୍ଦର ସିଂ କାଦିଆନ ସମ୍ବୋଧିତ କରିବେ। ଏଥିରେ ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ରାଜ୍ୟର ବର୍ତ୍ତମାନର ବନ୍ୟା ପରିସ୍ଥିତି ଉପରେ ଆଲୋଚନା ହେବ। ଶୁକ୍ରବାର ଏକ ବିବୃତ୍ତିରେ କୁହାଯାଇଛି ଯେ ବିଜେଡି ଏବଂ ବିଜେପିର ମିଳିତ ରାଜନୀତି ରାଜ୍ୟର ପ୍ରଗତିରେ ବାଧା ସୃଷ୍ଟି କରୁଥିବା ଉପାୟ ବିରୋଧରେ ବିକଳ୍ପ ରାଜନୀତିକୁ ମଜବୁତ କରିବା ପାଇଁ ଆପ୍ ରଣନୀତି ପ୍ରସ୍ତୁତ କରୁଛି।

ଏହାକୁ ନେଇ ଆମ୍ ଆଦମୀ ପାର୍ଟିର ନେତା ନିଶିକାନ୍ତ ମହାପାତ୍ର କହିଛନ୍ତି, ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତା ଯୋଗଯୋଗରେ ରହିଛନ୍ତି। ସେମାନେ ଆମ ଆଦମୀ ପାର୍ଟିକୁ ଓଡିଶାରେ ଏକ ବିକଳ୍ପ ଭାବରେ ଚିନ୍ତା କରୁଛନ୍ତି । ଓଡିଶାରେ ବିଜେଡି ଓ ବିଜେପି ଗୋଟେ ଦଳ। ଉଭୟ ଦଳ ଓଡିଶାବାସୀଙ୍କ ଆଶା ପୂରଣ କରିବାରେ ବିଫଳ ହୋଇଛନ୍ତି। ଆମ ଅଦାମୀ ପାର୍ଟି ଏହାର ବିକଳ୍ପ ହୋଇ ଓଡିଶାବାସୀଙ୍କ ସ୍ୱପ୍ନ ପୂରଣ କରିପାରିବ।

ଜବାବରେ ଭୁବନେଶ୍ୱର ସାଂସଦ ତଥା ବିଜେପିର ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ସ୍ପପ୍ନ ଦେଖିବା ମନା ନାହିଁ। ଓଡିଶାକୁ ଆସୁଥିବାରୁ ସ୍ୱାଗତ । ପ୍ରଥମେ ଦିଲ୍ଲୀ ଏବଂ ପଞ୍ଜାବକୁ ସମ୍ଭାଳନ୍ତୁ ପରେ ଦେଶ କଥା ସମ୍ବାଳିବେ। ଗୋଆରେ ନିର୍ବାଚନ ଲଢିଥିଲା ଆମ୍ ଆଦମୀ ପାର୍ଟି । ସେଠାରେ ବିଜେପିର ବିକଳ୍ପ ହେବ ବୋଲି ଡେଙ୍ଗୁରା ପିଟିଥିଲା। କିନ୍ତୁ ଅବସ୍ଥା କଣ ହୋଇଛି ବୋଲି ଆମ୍ ଆଦମୀ ପାର୍ଟି ଜବାବ ରଖିବା ଦରକାର ବୋଲି ସାଂସଦ କହିଛନ୍ତି।

ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଦଳ ଦିଲ୍ଲୀ ଏବଂ ପଞ୍ଜାବରେ ଯେପରି ପ୍ରତ୍ୟେକ ଯୁବକଙ୍କୁ ମାଗଣା ବିଦ୍ୟୁତ୍, ଜଳ, ସର୍ବଭାରତୀୟ ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ଏବଂ ନିଯୁକ୍ତି ଯୋଗାଇବାକୁ ସ୍ଥିର କରିଛି । ସେହିପରି ଓଡ଼ିଶାରେ କ୍ଷମତାକୁ ଆସିଲେ ସୁବିଧା ସୁଯୋଗ ଯୋଗାଇ ଦେବ। ଆସନ୍ତାକାଲି ହେବାକୁ ଥିବା ସମ୍ମିଳନୀରେ ଓଡିଶାର ସମସ୍ତ ଜିଲ୍ଲାରୁ ପ୍ରାୟ ୧୨୦୦ କର୍ମୀ ଅଂଶଗ୍ରହଣ କରିବେ ବୋଲି ସୂଚନା ରହିଛି।

Leave A Reply

Your email address will not be published.