ଭୁବନେଶ୍ୱର: ଏଡ଼ସ୍ (ଆକ୍ୱାଡ଼ ଇମୁ୍ୟନ୍ ଡେ଼ଫିସିଏନ୍ସି ସିଣ୍ଡ୍ରୋମ୍) ନାଁ ଶୁଣିଲେ ମନ ଭୟରେ ଥରିଉଠେ ।ଏଡ଼ସ୍ ଡ଼ର ସଭିଙ୍କୁ । ଗର୍ଭସ୍ଥ ଶିଶୁଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ । ବୈଜ୍ଞାନିକମାନେ ମଧ୍ୟ ଏଯାଏଁ ଏଡ଼ସ୍ ନିରାକରଣ ପାଇଁ ମେଡ଼ିସିନ୍ ଆବିଷ୍କାର କରିବାରେ ସଫଳତା ପାଇପାରିନାହାଁନ୍ତି । ଗତ ଦୁଇ ଦଶନ୍ଧି ଧରି ଏହା ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇଥିଲେ ମଧ୍ୟ ବ୍ୟାପକ ସଚେତନତା ଯୋଗୁଁ ଏହାକୁ ନିୟନ୍ତ୍ରଣ କରାଯାଇପାରିଛି ।
ସମଗ୍ର ବିଶ୍ୱରେ ଏଡ଼ସ୍ ନିରାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରକାଶ କରି ନିରାକରଣ ଓ ଚିକିତ୍ସା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ୧୯୮୭ ମସିହାରୁ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ଜାତୀୟ ଏଡ଼ସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମ । ୧୯୯୨ ମସିହାରେ ଭାରତ ସରକାରଙ୍କ ପକ୍ଷରୁ ଗଠନ କରାଯାଇଥିଲା “ନାକୋ’ (ନ୍ୟାଶନାଲ ଏଡ଼ସ୍ କଂଟ୍ରୋଲ୍ ଅର୍ଗାନାଇଜେସନ) । ସମଗ୍ର ଦେଶରେ କିପରି ଏଡ଼ସ୍ କୁ ନିୟନ୍ତ୍ରଣ କରାଯାଇପାରିବ ଏବଂ ତାସହ ଲୋକମାନେ କିପରି ଏହାର ଭୟାବହତା ପ୍ରତି ସଚେତନ ହେବେ ସେଥିନେଇ ଉଦ୍ୟମ ଆରମ୍ଭ କରାଯାଇଥିଲା “ନାକୋ’ ମାଧ୍ୟମରେ ।
୧୯୮୮ ମସିହା ଡିସେମ୍ବର ୧ ତାରିଖଠାରୁ ପ୍ରତିବର୍ଷ ବିଶ୍ୱ ଏଡ଼ସ୍ ଦିବସ ପାଳନ କରାଯାଇ ଆସୁଛି । ଏଡ଼୍ସ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଲାଗି ଆମେରିକାର ପୂର୍ବତନ ରାଷ୍ଟ୍ରପତି ରୋନାଲଡ଼ ରେଗାନଙ୍କ ଭୂମିକା ବି ଗୁରୁତ୍ୱପୂର୍ଣ୍ଣ ଥିଲା। ସେ ୧୯୮୬ ମସିହା ଜୁନ୍ ୧୮ ତାରିଖରେ “ଏଡ଼ସ ଲାଇଫ ଲାଇନ’ ନାମକ ଏକ ଯୋଜନାର ଶୁଭାରମ୍ଭ କରିଥିଲେ । ଏହା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ୧୯୯୬ରେ ଏଡ଼ସ ନେଇ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଗଲା ।
Comments are closed.