ଭୁବନେଶ୍ୱର : ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗରୁ ମୁକ୍ତି ପାଇବା ପାଇଁ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବା ଜରୁରୀ । ଏହି ରୋଗରେ ଆକ୍ରାନ୍ତ ରୋଗୀମାନେ ପର୍ଯ୍ୟାପ୍ତ ଆରାମ ନେବା ସହ ନିୟମିତ ବ୍ୟାୟ୍ୟାମ ଓ ଦୈନନ୍ଦିନ ଚାପମୁକ୍ତ ଜୀବନ ଯାପନ କରିବା ଉଚିତ୍ । ସୁସ୍ଥ ରହିବା ପାଇଁ ପୁଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ । ଆଜି କିମ୍ସ କ୍ଲିନିକାଲ ଇମ୍ୟୁନୋଲୋଜି ଓ ରୁମାଟୋଲୋଜି ବିଭାଗ ପକ୍ଷରୁ ବିଶ୍ୱ ଗଣ୍ଠିବାତ ଦିବସ ପାଳନ ଅବସରରେ କିମ୍ସର ବିଶେଷଜ୍ଞ ଡା. ପ୍ରଶାନ୍ତ ପ୍ରଧାନ ପ୍ରକାଶ କରିଛନ୍ତି ।
ଆର୍ଥ୍ରାଇଟିସକୁ ସିଷ୍ଟମିକ୍ ରୋଗ କୁହାଯାଏ । ଏହା ଜୀବନର ଶେଷ ପର୍ଯ୍ୟନ୍ତ ରହିଥାଏ । ଏହାର ଔଷଧ ସେବନ ବନ୍ଦ ନକରିବା କୁ ଡା. ପଧାନ ସମସ୍ତଙ୍କୁ ଅନୁରୋଧ କରିଥିଲେ । ସୋସିଆଲ ମିଡିଆ, ଟିଭି ଏବଂ ବିଶେଷ କରି ଚାପପୂର୍ଣ୍ଣ କାହାଣୀ ଥିବା ଧାରାବାହିକ ଆଦିରୁ ଦୂରରେ ରହି ଯୋଗ, ଆଧ୍ୟାତ୍ମିକତା ଅଭ୍ୟାସ କରିବା ଆବଶ୍ୟକ ବୋଲି ସେ କହିଥିଲେ ।
ଚଳିତ ବର୍ଷ ବିଶ୍ୱ ଆର୍ଥ୍ରାଇଟିସ୍ ଦିବସର ବିଷୟ ବସ୍ତୁ ରହିଛି ‘ଲିଭିଂ ୱିଥ୍ ଆର୍ଥ୍ରାଇଟିସ୍’ । ଏହି ଅବସରରେ କିମ୍ସର ଉପଦେଷ୍ଟା ଡ. ଆର୍ ଏନ୍ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆମେ ଏକ ଦଶନ୍ଧିରୁ ଅଧିକ ସମୟ ପୂର୍ବରୁ କିମ୍ସରେ କ୍ଲିନିକାଲ୍ ଇମ୍ୟୁନୋଲୋଜି ଏବଂ ରୁମାଟୋଲୋଜି ବିଭାଗ ଆରମ୍ଭ କରିଥିଲୁ । ପ୍ରକୃତରେ ଏହା ଆଶା ପୂରଣ କରିବା ସହ ରୋଗୀ ସେବା ଏବଂ ଗବେଷଣା ପାଇଁ ଏକ ମାନଦଣ୍ଡ ସ୍ଥାପନ କରିଛି ବୋଲି କହିଥିଲେ ।
ଏହି ଅବସରରେ ବିଭାଗର ଆସୋସିଏଟ୍ ପ୍ରଫେସର ଡା. ସାକିର ଅହମ୍ମଦ ରୋଗୀର ଉତ୍ତମ ଚିକିତ୍ସା ପାଇଁ ରୋଗୀ ଡାକ୍ତରଙ୍କୁ ବିବରଣୀ ପ୍ରକାଶ କରିବା ଉଚିତ ବୋଲି କହିଥିଲେ । ଏହା ସହ ଅନଲାଇନରେ ଦିଆଯାଉଥିବା ପରାମର୍ଶ ପ୍ରଭାବରେ କେବେ ବି ନ ଯିବାକୁ କହିଥିଲେ । ସହକାରୀ ପ୍ରଫେସର ଦେବାଶିଷ ମାଇକାପ ‘ଆର୍ଥ୍ରାଇଟିସ୍ ଉପରେ ଥିବା ଭୁଲ୍ ଧାରଣା’ ଉପରେ ବକ୍ତବ୍ୟ ରଖି ଲୋକମାନଙ୍କ ସନ୍ଦେହ ଦୂର କରିବାକୁ ଚେଷ୍ଟା କରିଥିଲେ । ଆର୍ଥ୍ରାଇଟିସରୁ ମୁକ୍ତି ପାଇଁ ମଦ୍ୟପାନ ଏବଂ ଧୂମପାନରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ମେଡିକାଲ ଅଧୀକ୍ଷକ ପ୍ରଫେସର ରାମଚନ୍ଦ୍ର ଦାସ, ଉପାଧ୍ୟକ୍ଷ ପ୍ରଫେସର ଶୁଭ୍ରାଂଶୁ ପାତ୍ର, ଫେସିଲିଟି ଡାଇରେକ୍ଟର ଡା. ଶକ୍ତିମୟ ମହାପାତ୍ର ବିଶ୍ୱ ଆର୍ଥ୍ରାଇଟିସ୍ ଦିବସର ମହତ୍୍ୱ ଉପରେ ଆଲୋକପାତ କରିଥିଲେ ।
Comments are closed.