Latest Odisha News

BREAKING NEWS

ଏମ୍‌ସ ଭୁବନେଶ୍ୱରରେ ବିଶ୍ୱ ଆର୍ଥ୍ରାଇଟିସ୍ ଦିବସ ପାଳନ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଏମ୍‌ସରେ ବିଶ୍ୱ ଆର୍ଥ୍ରାଇଟିସ୍ ଦିବସ ପାଳନ ହୋଇଛି । ଏହି ଅବସରରେ ଆୟୋଜିତ ଏକ ଜନସଚେତନତା କାର୍ଯ୍ୟକ୍ରମରେ ଡାକ୍ତର ବିଶ୍ବାସ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ସହିତ ସିଧାସଳଖ ଆଲୋଚନା କରିଛନ୍ତି। ଏମ୍‌ସ ଭେଷଜ ବିଭାଗ ପକ୍ଷରୁ ଏଭଳି ରୋଗୀଙ୍କ ନିମନ୍ତେ ଏକ ସ୍ବତନ୍ତ୍ର ରିମାଟୋଲୋଜି କ୍ଲିନିକ୍‌ ସର୍ମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି ।

ଏବେ ଘରେ ଘରେ ଗଣ୍ଠିବାତ ରୋଗ ଏକ ମୁଖ୍ୟ ସମସ୍ୟା ପାଲଟିଛି । ଯେଉଁଥିରେ ଉଭୟ ପୁରୁଷ ଓ ମହିଳା ପ୍ରଭାବବିତ ହେଉଛନ୍ତି । ତେବେ ରିମାଟଏଡ୍ ଆର୍ଥ୍ରାଇଟିସ୍‌ରେ ମହିଳାମାନେ ଅଧିକ ପ୍ରଭାବିତ ହେଉଥିବାବେଳେ, ପୁରୁଷଙ୍କ କ୍ଷେତ୍ରରେ ଆଙ୍କିଲୋଜିଙ୍ଗ୍ ସ୍ପଣ୍ଡିଲାଇଟିସ ଅଧିକ ଦେଖାଦେଉଛି । ଯାହାର ଚିକିତ୍ସା ପାଇଁ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ରୋଗୀ ଭୁବନେଶ୍ୱର ଏମ୍‌ସକୁ ଆସୁଛନ୍ତି।

ରୋଗ ବିଶେଷଜ୍ଞ ତଥା ବିଶିଷ୍ଟ ସଂକ୍ରାମକ ରୋଗ ବିଶେଷଜ୍ଞ ତଥା ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସଙ୍କ ସୂଚନାକ୍ରମେ, ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗ ଏବଂ ଅଟୋଇମ୍ୟୁନ୍‌ ରୋଗରେ ପୀଡ଼ିତ ପ୍ରାୟ ଏକ ହଜାରରୁ ଅଧିକ ରୋଗୀ ପ୍ରତ୍ୟେକ ମାସ ଏମ୍‌ସ ଜେନେରାଲ ମେଡିସିନ୍(ଭେଷଜ) ବିଭାଗ ଓପିଡିକୁ ଚିକିତ୍ସା ନିମନ୍ତେ ଆସୁଛନ୍ତି । ଏହି ରୋଗରେ ପୀଡ଼ିତ ପ୍ରାୟ ୫୦ରୁ ଅଧିକ ରୋଗୀଙ୍କୁ ପ୍ରତି ମାସରେ ଏହି ବିଭାଗରେ ଭର୍ତ୍ତି କରାଯାଉଛି ।

ଅନ୍ୟପଟେ, ଭେଷଜ ବିଭାଗ ମୁଖ୍ୟ ଡାକ୍ତର ଅନୁପମ ଦେ ଏହି ଅବସରରେ କହିଛନ୍ତି ଯେ, ଅଧିକାଂଶ କ୍ଷେତ୍ରରେ, ମହିଳାମାନେ ରିମାଟଏଡ୍ ଆର୍ଥ୍ରାଇଟିସ୍‌ରେ ଅଧିକ ପ୍ରଭାବିତ ହୁଅନ୍ତି। ସେହିପରି ପୁରୁଷଙ୍କ କ୍ଷେତ୍ରରେ ଆଙ୍କିଲୋଜିଙ୍ଗ୍ ସ୍ପଣ୍ଡିଲାଇଟିସ ଅଧିକ ଦେଖାଯାଇଥାଏ। ସଠିକ୍ ସମୟରେ ଚିକିତ୍ସା କରାନଗଲେ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ଡାକ୍ତର ଦେ ସୂଚନା ଦେଇଛନ୍ତି। ଏମ୍‌ସ ଭୁବନେଶ୍ୱରରେ ଉପରୋକ୍ତ ରୋଗର ଚିହ୍ନଟ ଏବଂ ନିରାକରଣ ନିମନ୍ତେ ବିଭିନ୍ନ ବ୍ୟବସ୍ଥା ଉପଲବ୍ଧ ରହିଛି। ଚିକିତ୍ସା ନିମନ୍ତେ ଔଷଧ ସହିତ ଫିଜିଓଥେରାପି ନିମନ୍ତେ ପରାମର୍ଶ ଦିଆଯାଇଥାଏ। ଏମ୍‌ସରେ ଏନେଇ ପିଏମ୍‌ଆର ବିଭାଗ ରହିଛି।

ବର୍ତ୍ତମାନ ଭାରତରେ ୭ କୋଟିରୁ ଅଧିକ ଲୋକ ଆର୍ଥ୍ରାଇଟିସ୍ ସମସ୍ୟାରେ ପୀଡ଼ିତ ଅଛନ୍ତି।  ବୟସାଧିକଜନୀତ ସମସ୍ୟା, ସଂକ୍ରମଣ, ଅଟୋଇମ୍ୟୁନ୍‌ ସମସ୍ୟା ଆଦି ଏହି ରୋଗର କିଛି ପ୍ରମୁଖ କାରଣ ଅଟେ। ମଦ୍ୟପାନ ଏବଂ ଧୂମପାନ ଏହି ରୋଗକୁ ଅଧିକ ବଢ଼ାଇବାର ଆଶଙ୍କା ସୃଷ୍ଟି କରିଥାଏ।

ବର୍ତ୍ତମାନ ସମୟରେ ଉପଲବ୍ଧ ଚିକିତ୍ସା ଅତ୍ୟନ୍ତ ପ୍ରଭାବଶାଳୀ। ଏହାର ଉପଯୋଗ କରି ରୋଗୀ ଯନ୍ତ୍ରଣାମୁକ୍ତ ଜୀବନ ବିତାଇ ପାରିବେ। ସନ୍ତୁଳିତ ଖାଦ୍ୟ ଏବଂ ବ୍ୟାୟାମ ସହିତ ଏକ ସୁସ୍ଥ ଜୀବନଶୈଳୀ ମାଧ୍ୟମରେ ଏହାକୁ ନିୟନ୍ତ୍ରଣ କରାଯାଇପାରିବ। ଏମ୍‌ସ ମେଡିସିନ୍ ବିଭାଗକୁ ରିମାଟଏଡ୍‌, ସୋରିଏଟିକ୍, ରିଆକ୍ଟିଭ୍ ଆର୍ଥ୍ରାଇଟିସ୍, ଲୁପ୍‌ସ, ସିଷ୍ଟମିକ୍ ସ୍କ୍ଲରୋସିସ୍, ସୋଗ୍ରେନ୍ ସିଣ୍ଡ୍ରୋମ, ଆଙ୍କିଲୋଜିଙ୍ଗ୍ ସ୍ପଣ୍ଡିଲାଇଟିସ୍ ଆଦି ସମସ୍ୟାରେ ପିଡ଼ୀତ ରୋଗୀ ଚିକିତ୍ସା ନିମନ୍ତେ ଆସିଥାଆନ୍ତି। ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ଅଷ୍ଟିଓ-ଆର୍ଥ୍ରାଇଟିସ୍ ଭଳି ସମସ୍ୟା ଦେଖାଯାଇଥାଏ।

କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ବିଶ୍ବାସଙ୍କ ସମେତ ମେଡିକାଲ୍‌ ଅଧୀକ୍ଷକ ଡାକ୍ତର ଦିଲ୍ଲୀପ କୁମାର ପରିଡ଼ା, ବିଭାଗୀୟ ମୁଖ୍ୟ ଡାକ୍ତର ଅନୁପମ ଦେ, ଡାକ୍ତର ରଶ୍ମୀ ରଞ୍ଜନ ମହାନ୍ତି, ଡାକ୍ତର ଦେବାନନ୍ଦ ସାହୁ, ଡାକ୍ତର ଅନୁପମା ବେହେରା, ପିଏମ୍‌ଆର ବିଭାଗ ମୁଖ୍ୟ ଡାକ୍ତର ଜଗନ୍ନାଥ ସାହୁ, ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଗୁରୁଦ୍ବୀପ ଦାସ ପ୍ରମୁଖ ଏହି ଅବସରରେ ଏହି ରୋଗର ଲକ୍ଷଣ, ନିଦାନ ଏବଂ ଉପଚାର ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

Comments are closed.