Latest Odisha News

BREAKING NEWS

ସଚେତନତା ଓ ଜୀବନଶୈଳୀରେ ପରିବର୍ତନ ଦ୍ୱାରା କ୍ୟାନସରକୁ ରୋକାଯାଇପାରିବ !

ଭୁବନେଶ୍ୱର: ଏହା କେବେ ବି ମୋର ବିଶ୍ୱାସକୁ ଦୋହଲାଇ ପାରିବ ନାହିଁ । ମୋ ସାହାସକୁ ଭାଙ୍ଗିପାରିବ ନାହିଁ । ପୂର୍ବଭଳି କ୍ୟାନ୍ସର ଆଉ ଭୟଙ୍କର ହୋଇ ରହିବ ନାହିଁ ।

ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ମଙ୍ଗଳବାର ବିଶ୍ୱ କର୍କଟ ଦିବସ ପାଳନ
ଅବସରରେ ଏକତ୍ରିତ ହୋଇଥିବା କ୍ୟାନସରକୁ ପରାସ୍ତ କରିଥିବା ବ୍ୟକ୍ତିମାନଙ୍କୁ ଏଭଳି ବାର୍ତା ଦିଆଯାଇଛି ।

ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ କହିଛନ୍ତି ଯେ କ୍ୟାନ୍ସରକୁ ରୋକିବାକୁ ହେଲେ ସଚେତନତା ଏବଂ
ଜୀବନଶୈଳୀରେ ପରିବର୍ତନର ଯଥେଷ୍ଟ ଆବଶ୍ୟକତା ରହିଛି।

କାର୍ଯ୍ୟକ୍ରମର ସବୁଠାରୁ ବଡ଼ ଆକର୍ଷଣ ଥିଲେ କ୍ୟାନସରକୁ ପରାସ୍ତ କରିଥିବା ଲୁଧିଆନାର ଆନନ୍ଦ ଆର୍ନୋଲ୍ଡ । ହୁଇଲ୍ ଚେୟାରରେ ବସି ମଧ୍ୟ ସେ ବର୍ତମାନ ବେଶ ପ୍ରତିଷ୍ଠିତ । କାରଣ ଜଣେ ବଡି ବିଲ୍ଡର ଭାବେ ଆନ୍ତର୍ଜାତୀୟ ସ୍ତରରେ ସେ ବେଶ ଖ୍ୟାତି ଅର୍ଜନ କରିଛନ୍ତି ।

ତାଙ୍କୁ ଯେତେବେଳେ ମାତ୍ର ୧୫ ବର୍ଷ ହୋଇଥିଲା ସେତେବେଳେ ସେ ମେରୁଦଣ୍ଡ କ୍ୟାନ୍ସରରେ ପିଡ଼ିତ ହୋଇଥିଲେ । ଅପରେସନ ପରେ ସେ ତିନି ବର୍ଷ ଫିଜିଓଥେରାପି ମଧ୍ୟ ନେଇଥିଲେ । ଯଦିଓ ଏହା ପରେ ତାଙ୍କୁ ସାରା ଜୀବନ ହୁଇଲ୍ ଚେୟାରରେ ରହିବାକୁ ପଡ଼ିଥିଲା ସେ କିନ୍ତୁ ହାର ମାନି ନଥିଲେ।

୧୧ ବର୍ଷ ବୟସରୁ ଜିମ୍ ଯିବା ସହ ବଡି ବିଲ୍ଡର ଭାବେ ସେ ନିଜକୁ ପ୍ରସ୍ତୁତ କରୁଥିଲେ । କିନ୍ତୁ ସେ କ୍ୟାନ୍ସରରେ ପିଡ଼ିତ ହେବା ପରେ ତାଙ୍କର ବେକରୁ ତଳକୁ ଶରୀର ପକ୍ଷାଘାତ ଦ୍ୱାରା ଆକ୍ରାନ୍ତ ହୋଇଥିଲା । ତେବେ ଏହା ସତ୍ୱେ ହୁଇଲ୍ ଚେୟାରରେ ବସି ମଧ୍ୟ ସେ ଚାରିଥର ମିଷ୍ଟର ଇଣ୍ଡିଆ (ହୁଇଲ୍ ଚେୟାର) ଟାଇଟଲ୍ ହାସଲ କରିଥିଲେ ।

ସେହିପରି ଆନ୍ତର୍ଜାତୀୟ ବଡି ବିଲ୍ଡର ପ୍ରତିଯୋଗିତା ମିଷ୍ଟର ଅଲିମ୍ପିଆରେ ମଧ୍ୟ ଟାଇଟଲ୍ ହାସଲ କରିଥିଲେ ।
ଲେଖକ ଆଲେନ୍ ଉଡ୍‌ମ୍ୟାନ୍ ତାଙ୍କ ଜୀବନୀ ଉପରେ “ୱେଟ୍‌ଲେସ୍‌: ଏ ଟ୍ରୁ ଷ୍ଟୋରୀ ଅଫ୍ କରେଜ୍ ଆଣ୍ଡ ଡିଟର୍‌ମିନେସନ୍‌” ନାମକ ଏକ ପୁସ୍ତକ ଲେଖିଛନ୍ତି । ଏହି
ପୁସ୍ତକ ୨୦୧୫ ମସିହାରେ ପ୍ରକାଶିତ ହୋଇ ବେଶ ଆଦୃତି ଲାଭ କରିଥିଲା ।

ଯଦି ଆପଣ ହୁଇଲ୍ ଚେୟାରରେ ବସି ରହୁଛନ୍ତି ତେବେ କେବେ ବି ଭାବନ୍ତୁ ନାହିଁ ଯେ ଜୀବନ ଏଇଠି ସରିଗଲା । ଆର୍ନୋଲ୍ଡ ଏଭଳି କହିବା ପରେ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତେ ତାଙ୍କୁ ଛିଡା ହୋଇ ସମ୍ମାନ ଜଣାଇଥିଲେ । ଏହି ଅବସରରେ ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଉତମ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଜଣେ ବ୍ୟକ୍ତି ଯଦି ସକାରାତ୍ମକ ମନୋଭାବ ରଖିବ ତେବେ ରୋଗ ତା’ଠାରୁ ଦୂରେଇ ଯିବ ।

ଚଳିତବର୍ଷର ବିଶ୍ୱ କର୍କଟ ଦିବସର ଥିମ୍ ରହିଛି “ ମୁଁ କରିପାରିବି” । ଏହି ଥିମ୍‌କୁ ନେଇ ସମ୍ ହସ୍ପିଟାଲ୍‌ର ଅଙ୍କୋସାଇନ୍ସ ବିଭାଗର ଅଙ୍କୋସର୍ଜନ୍ ପ୍ରଫେସର ସୁନିଲ୍
ଅଗ୍ରୱାଲ୍ କହିଥିଲେ ଯେ କ୍ୟାନ୍ସର ଚିହ୍ନଟ ହେବା ପରେ ଏହି ପରିସ୍ଥିତିକୁ ବ୍ୟକ୍ତି ଜଣକ କିପରି ଗ୍ରହଣ କରୁଛି ତାହା ଉପରେ ସବୁକିଛି ନିର୍ଭର କରେ ।

କ୍ୟାନସର ଚିହ୍ନଟ ହେବା ପରେ ଜଣେ ବ୍ୟକ୍ତି କେବେ ବି ଭାଙ୍ଗି ପଡ଼ିବା ଉଚିତ୍ ନୁହେଁ ବୋଲି କହିବା ସହ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ କ୍ୟାନସର ରୋଗୀମାନଙ୍କର ଅତି ସ୍ୱଳ୍ପ ମୂଲ୍ୟରେ ଅପରେସନ୍ କରାଯାଉଥିବା ସେ କହିଥିଲେ ।

ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ପ୍ରଫେସର ସାହୁ କହିଥିଲେ ଯେ ଗର୍ଭାଶୟ କ୍ୟାନ୍ସରର ନିରାକରଣ ହୋଇପାରିବ କାରଣ ବର୍ତମାନ ଏହି ରୋଗ ପାଇଁ ପ୍ରତିଷେଧକ ଭ୍ୟାକ୍‌ସିନ୍ ଉପଲବ୍ଧ ଅଟେ ।

ଏହି ଅବସରରେ ସୋଆର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ନୀତା ମହାନ୍ତି କହିଥିଲେ ଆଇଡିଏସ୍ ପକ୍ଷରୁ ନିୟମିତ ଭାବେ କ୍ୟାନ୍ସର ଚିହ୍ନଟ
ପାଇଁ ବିଭିନ୍ନ ଗ୍ରାମ, ବିଭିନ୍ନ ସ୍ଥାନ ଏବଂ ଜରାଶ୍ରମ ମାନଙ୍କରେ ସଚେତନତା ଶିବିର ଆୟୋଜନ କରାଯାଉଛି । ଅନୁଷ୍ଠାନ ତରଫରୁ ତମ୍ବାଖୁ ବନ୍ଦ କରିବା କେନ୍ଦ୍ର ମଧ୍ୟ
ଖୋଲାଯାଇଛି ।

ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଏବଂ ମେଡିକାଲ୍ ଅଙ୍କୋଲୋଜିଷ୍ଟ ଡଃ
ସୋମ୍ୟ ସୁରଥ ପଣ୍ଡା ମଧ୍ୟ ବକ୍ତବ୍ୟ ରଖିଥିଲେ ।

 

Comments are closed.