Latest Odisha News

BREAKING NEWS

ଶ୍ରୀଲଙ୍କାର ସେମିଫାଇନାଲ୍ ଆଶା ପୂରଣ କରିପାରିବେ ମାଲିଙ୍ଗା !

ଲଣ୍ଡନ: ବିଶ୍ୱକପରେ ତିଷ୍ଠି ରହିବା ଏବଂ ସେମିଫାଇନାଲ୍ ଆଶା ଉଜ୍ଜିବୀତ କରିବାକୁ ହେଲେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଆଜି ଶ୍ରୀଲଙ୍କାକୁ ଜିତିବାକୁ ପଡ଼ିବ । ବିଶ୍ୱକପ ସେମିଫାଇନାଲରୁ ବାଦ୍ ପଡ଼ି ସାରିଥିବା ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ସେମିଫାଇନାଲ୍ ଯିବା ଆଶା ରଖିଛି ଶ୍ରୀଲଙ୍କା ।

ଆଜି ଶ୍ରୀଲଙ୍କା ଭେଟୁଛି ଦକ୍ଷିଣ ଆଫ୍ରିକା ଦଳକୁ । ସାତଟି ମ୍ୟାଚ ଖେଳି ମୋଟ ୧୨ ପଏଣ୍ଟ ସହ ତାଲିକାର ଶୀର୍ଷରେ ରହିଛି ଅଷ୍ଟ୍ରେଲିଆ ଦଳ । ତା’ପଛକୁ ୬ଟି ମ୍ୟାଚ ଖେଳି ଭାରତ ୧୧ ପଏଣ୍ଟ ପାଇ ୨ୟ ସ୍ଥାନରେ ରହିଛି । ନ୍ୟୁଜିଲାଣ୍ଡ ଦଳ ୭ଟି ମ୍ୟାଚ ଖେଳି ୧୧ ପଏଣ୍ଟ ସହ ୩ୟ ସ୍ଥାନ ଏବଂ ଘରୋଇ ଇଂଲଣ୍ଡ ଦଳ ୮ ପଏଣ୍ଟ ସହିତ ୪ର୍ଥ ସ୍ଥାନରେ ରହିଛି । ଶ୍ରୀଲଙ୍କା ପଏଣ୍ଟ ତାରିକାର ୭ମ ସ୍ଥାନରେ ରହିଥିଲେ ମଧ୍ୟ ଆଜି ଯଦି ମ୍ୟାଚ ଜିତେ ତେବେ ୮ ପଏଣ୍ଟ ସହିତ ଇଂଲଣ୍ଡ ସହିତ ସମକକ୍ଷ ହୋଇପାରିବ । ସିଂହଳୀ ଦଳର ସେମିଫାଇନାଲ୍ ଆଶା ଉଜ୍ଜିବୀତ ହୋଇପାରିବ । ନହେଲେ ଦଳ ବିଶ୍ୱକପରୁ ବାଦ ପଡ଼ିବା ଏକପ୍ରକାର ଥୟ । ଗତ କିଛି ଖେଳରେ ଦଳର ବ୍ୟାଟିଂ ପ୍ରଦର୍ଶନ ଉନ୍ନତି କରିଥିବା ବେଳେ ବୋଲିଂ ବିଭାଗ ଲସିଥ୍ ମାଲିଙ୍ଗାଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ।

ଦଳର ବ୍ୟାଟିଂରେ ଢେର୍ ଉନ୍ନତି ଘଟିଥିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ସିଂହଳୀ କୋଚ୍ ଚଣ୍ଡିକା ହାଥୁରାସିଂହେ । ଦଳ ଶୁକ୍ରବାର ଦିନ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ବିଶ୍ୱକପର ସେମିଫାଇନାଲ ଆଶା ବଳବତ୍ତର ରଖିପାରିବ ବୋଲି ସେ ବେଶ୍ ଆଶାବାଦୀ ।

“କ୍ରିକେଟ୍ ଏକ ମଜାଦାର ଖେଳ । ଅନେକ ମ୍ୟାଚ ହାରିବାକୁ ପଡ଼ିଥାଏ ଏବଂ ଯେଉଁ ମ୍ୟାଚରେ ବିଜୟ ଘଟିଥାଏ ତାହା ନିଶ୍ଚିତ ରୂପେ ଗୁରୁତ୍ୱପୂର୍ଣ୍ଣ । ଦଳରେ ବହୁ ଅନୁଭୁତି ସମ୍ପନ୍ନ ତଥା ଦକ୍ଷ ଖେଳାଳି ରହିଛନ୍ତି, ଆମେ ସେମାନଙ୍କ ସହିତ ଭଲ ପ୍ରତିଦ୍ୱନ୍ଦ୍ୱିତା କରିପାରିବୁ,” ବୋଲି ଗଣମାଧ୍ୟମକୁ କହିଛନ୍ତି ସିଂହଳୀ କୋଚ୍ ହାଥୁରାସିଂହେ ।

ଅନ୍ୟପକ୍ଷରେ, ଦକ୍ଷିଣ ଆଫ୍ରିକା ଦଳ ପ୍ରତିଯୋଗିତାରୁ ବାହାର ହୋଇଯାଇଛି । ତେଣୁ ଦଳ ଏହି ମ୍ୟାଚକୁ ସେପରି ଗୁରୁତ୍ୱ ଦେଇନପାରେ ।

ଦକ୍ଷିଣ ଆଫ୍ରିକା ଦଳ ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟରୁ ଏକପ୍ରକାର ବାଦ୍ ପଡ଼ିସାରିଥିବା ବେଳେ ଦଳରେ ଆଉ ଚାପ ନାହିଁ । ତେଣୁ ଦଳ ଆଜିର ମ୍ୟାଚ୍ ବିନା ଚାପରେ ଖେଳିବ । ବିନା ଚାପରେ ସମସ୍ତ ଦଳ ଅଧିକ ଭଲ ପ୍ରଦର୍ଶନ କରିଥାଆନ୍ତି । ତେଣୁ ଶ୍ରୀଲଙ୍କା ଲାଗି ଏହି ମ୍ୟାଚ୍ କର ବା ମର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଦଳର ଉଚ୍ଚକୋଟୀର ପ୍ରଦର୍ଶନ ହିଁ ଦଳକୁ ମ୍ୟାଚ ଜିତାଇବାରେ ସହାୟକ ହୋଇପାରିବ ।

ଶ୍ରୀଲଙ୍କା ଦଳରେ ୫ ଜଣ ମ୍ୟାଚ ବିଜୟୀ ଅଲରାଉଣ୍ଡର ରହିଥିବା ବେଳେ ଦଳରେ ରହିଛନ୍ତି କିଛି ବିଶ୍ୱସ୍ତରୀୟ ବୋଲର୍ । ଦଳର ବ୍ୟାଟିଂ ଡ଼ି’ ସିଲଭା, କରୁଣାରତ୍ନେ, ଅଭିକ୍ଷା ଫର୍ଣ୍ଣାଣ୍ଡୋ ଏବଂ କୁଶଲ୍ ମେଣ୍ଡିସଙ୍କ ଉପରେ ନିର୍ଭରଶୀଳ । ଦକ୍ଷ ବୋଲର୍ ମାଲିଙ୍ଗା ଯଦି ମାପଚୁପ ବୋଲିଂ କରି କିଛି ସହଳ ୱିକେଟ ଅକ୍ତିଆର କରନ୍ତି ତେବେ ଶ୍ରୀଲଙ୍କା ଲାଗି ଏହା ସହାୟକ ହୁଅନ୍ତା । ମାଲିଙ୍ଗାକୁ ବୋଲିଂରେ ସହଯୋଗ କରିବେ ଲାକମାଲ୍ ।

ଶ୍ରୀଲଙ୍କା ମ୍ୟାଚ ଜିତି ସେମିଫାଇନାଲ ଯିବାକୁ ହେଲେ ଆଜି ଉଭୟ ବ୍ୟାଟିଂ ଓ ବୋଲିଂରେ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ ।

Leave A Reply

Your email address will not be published.