Latest Odisha News

ଆଜି ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ-ଆଫଗାନିସ୍ତାନ ମୁକାବିଲା

ଲଣ୍ଡନ: ବିଶ୍ୱକପର ପ୍ରତିଟି ମ୍ୟାଚ ଏବେ ବେଶ୍ ପ୍ରତିଦ୍ୱନ୍ଦ୍ୱିତାମୂଳକ ହେବାର ଲକ୍ଷ୍ୟ କରାଯାଉଛି । ସେମିଫାଇନାଲରେ ଅଷ୍ଟ୍ରେଲିଆ ନିଜ ସ୍ଥାନ ସୁରକ୍ଷିତ କରିସାରିଥିବା ବେଳେ ଭାରତ, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ସୁବିଧାଜନକ ସ୍ଥିତିରେ ରହିଛନ୍ତି । ତେବେ ପାକିସ୍ତାନ ସେମିଫାଇନାଲ୍ ଯିବାକୁ ଏବେ ସମସ୍ତ ମ୍ୟଚରେ ସଂଘର୍ଷ କରୁଛି । ପାକିସ୍ତାନକୁ ସେମିଫାଇନାଲ ଟିକଟ ମିଳିପାରିବ ଯଦି ବାକିଥିବା ସବୁ ମ୍ୟାଚରେ ବିଜୟୀ ହୁଏ । ଆହୁରି ୨ଟି ମ୍ୟାଚ ପାକିସ୍ତାନ ଖେଳିବାକୁ ଥିବା ବେଳେ ଏବେ ସୁଦ୍ଧା ୭ ପଏଣ୍ଟ ପାଇ ତାଲିକାର ୬ଷ୍ଠ ସ୍ଥାନରେ ରହିଛି । ଭାରତ ୬ ଟି ମ୍ୟାଚ ଖେଳି ୧୧ ପଏଣ୍ଟ ସହ ତାଲିକାର ୨ୟ ସ୍ଥାନରେ ରହିଛି । ସେମିଫାଇନାଲ୍ ଯିବାକୁ ହେଲେ ଭାରତକୁ ଆଉ ଗୋଟିଏ ମ୍ୟାଚରେ ବିଜୟ ହାସଲ କରିବାକୁ ପଡ଼ିବ । ଆସନ୍ତକାଲି ଯଦି ଇଂଲଣ୍ଡ ଭାରତକୁ ପରାସ୍ତ କରେ ତେବେ ପାକିସ୍ତାନର ସେମିଫାଇନାଲ ଆଶା ଆଶାରେ ରହିଯିବ । କାରଣ ପାକିସ୍ତାନ ଇଂଲଣ୍ଡ ସହିତ ପଏଣ୍ଟ ତାଲିକାରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ । ଆଜି ପାକିସ୍ତାନ ପଡ଼ୋଶୀ ଦୁର୍ବଳ ଆଫଗାନିସ୍ତାନକୁ ଭେଟୁଥିଲେ ମଧ୍ୟ ମ୍ୟାଚକୁ ହେୟଜ୍ଞାନ କରିବ ନାହିଁ । କାରଣ ପାକିସ୍ତାନ ଜାଣିଛି ଭାରତକୁ ପୂର୍ବ ମ୍ୟାଚରେ ଏହି ଦଳ ସହଜରେ ଜିତିବାକୁ ଦେଇନଥିଲା । ଆଫଗାନିସ୍ତାନ ଦଳରେ ଅଭିଜ୍ଞ ବ୍ୟାଟ୍ସମ୍ୟାନ ନଥିଲେ ମଧ୍ୟ ଦଳକୁ ବିଜୟୀ କରିବା ଲାଗି କିଛି ଖେଳାଳି ସକ୍ଷମ । ଉଭୟ ବୋଲିଂ ଓ ବ୍ୟାଟିଂ ବିଭାଗରେ ଏହି ଦଳ ପୂର୍ବାପେକ୍ଷା ଅଧିକ ସୁଦୃଢ ।

ପାକିସ୍ତାନ ଦଳ ଆଜିର ମ୍ୟାଚରେ ବ୍ୟାଟ୍ସମ୍ୟାନ ବାବର ଆଜମ ଓ ଇମାମ ଉଲ୍ ହକଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ।

ସେହିପରି ଦଳର ବୋଲିଂ ବିଭାଗ ମହମ୍ମଦ ଅମିର୍ ଏବଂ ଶହୀନ୍ ଆଫ୍ରିଦିଙ୍କ ଶାଣିତ ବୋଲିଂ ଉପରେ ନିର୍ଭର କରୁଛି । ପ୍ରଥମେ ବ୍ୟାଟିଂ ନେଇ ଏକ ବିଶାଳ ସ୍କୋର ଲକ୍ଷ୍ୟରେ ରହିଛନ୍ତି ପାକିସ୍ତାନ କପ୍ତାନ ସର୍ଫରାଜ ଅହମ୍ମଦ ।

ଆଜି ଭାରତୀୟ ସମୟ ସନ୍ଧ୍ୟା ୬ଟାରେ ଖେଳାଯିବାକୁ ଥିବା ଅନ୍ୟ ମ୍ୟାଚଟିରେ ଦୁର୍ଦ୍ଧଶ ଅଷ୍ଟ୍ରେଲିଆ ଦଳ ଭେଟୁଛି ଶକ୍ତିଶାଳୀ ନ୍ୟୁଜିଲାଣ୍ଡ ଦଳକୁ । ଉଭୟ ଦଳରେ ରହିଛନ୍ତି ଅଭିଜ୍ଞ ଖେଳାଳି ତଥା ବିଶ୍ୱସ୍ତରୀୟ କ୍ରିକେଟର୍ । ନ୍ୟୁଜିଲାଣ୍ଡ ଆଜିର ମ୍ୟାଚରେ ପଡ଼ୋଶୀ ଅଷ୍ଟ୍ରେଲିଆକୁ ପରାସ୍ତ କରି ସେମିଫାଇନାଲରେ ଏକ ସ୍ଥାନ ସୁରକ୍ଷିତ କରିବାକୁ ପ୍ରବଳ ଚେଷ୍ଟା କରିବ । ଅଷ୍ଟ୍ରେିଲିଆ ଏକ ଚାମ୍ପିୟନ ଦଳ ଏବଂ ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ବେଶ୍ ଶକ୍ତିଶାଳୀ । କୌଣସି ପରିସ୍ଥିତିରେ କଙ୍ଗାରୁ ଦଳ ମ୍ୟାଚରେ ପରାଜୟ ବରଣ ନ’କରିବାକୁ ଦୃଢ ମନସ୍ଥ କରିଛନ୍ତି । ପୂର୍ବରୁ ଗୋଟିଏ ମ୍ୟାଚରେ ପରାସ୍ତ ହେବା ପରେ ନିଜର ଭୁଲକୁ ସୁଧାରିବାକୁ ଚେଷ୍ଟା କରିଛି ଦଳ । ଦଳରେ ଡ଼େଭିଡ଼ ୱାର୍ଣ୍ଣର୍ ଏବଂ ଆରୋନ ଫିଞ୍ଜ ଚଳିତ ବିଶ୍ୱକପର ଅଗ୍ରଣୀ ବ୍ୟାଟ୍ସମ୍ୟାନ । ୱାର୍ଣ୍ଣର୍ ୫୦୦ ରନ ପୂରଣ କରିଥିବା ବେଳେ ଫିଞ୍ଚ କରିଛନ୍ତି ୪୯୬ ରନ । ସେହିପରି ଦଳରେ ରହିଛନ୍ତି ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବୋଲର୍ ମିଚେଲ୍ ଷ୍ଟାର୍କ, ଯିଏକି ଏପର୍ଯ୍ୟନ୍ତ ୧୧ଟି ୱିକେଟ ଅକ୍ତିଆର କରିପାରିଛନ୍ତି । ବିପକ୍ଷ ବ୍ୟାଟ୍ସମ୍ୟାନଙ୍କ ଚିନ୍ତାର କାରଣ ପାଲଟିଛନ୍ତି ଷ୍ଟାର୍କ । ନ୍ୟୁଜିଲାଣ୍ଡ ଏହି ମ୍ୟାଚ ଜିତିବାକୁ କିଭଳି ନୀତି ଅବଲମ୍ବନ କରିବ ତାହା ଆଜିର ମ୍ୟାଚ ଆରମ୍ଭରେ ହିଁ ଜଣାପଡ଼ିଯିବ ।

Leave A Reply

Your email address will not be published.