Latest Odisha News

ଗଛ ଲଗାଇବା, ପ୍ଲାଷ୍ଟିକ ହଟେଇବା : ବିଶ୍ୱ ପରିବେଶ ଦିବସରେ ଆହ୍ୱାନ

କାମାକ୍ଷନଗର: ସମୟ ବଦଳିବା ସହିତ ଲୋକସଂଖ୍ୟା ଓ ଲୋକଙ୍କ ଆବଶ୍ୟକତା କ୍ରମାଗତ ଭାବେ ବଢିବାରେ ଲାଗିଛି । ଏହାସହିତ ଶିଳ୍ପ,କାରଖାନା,ଯାନବାହାନର ବ୍ୟବହାର କ୍ରମାଗତ ଭାବେ ବୃଦ୍ଧି ପାଇଛି । ଯାହା କ୍ରମଶଃ ପରିବେଶକୁ ପ୍ରଦୂଷିତ କରିବାରେ ଲାଗିଛି । ସବୁଠୁ ମାରାତ୍ମକ କଥା ହେଉଛି, ଏଭଳି ସ୍ଥିିତିରେ ଲୋକଙ୍କ ଆବଶ୍ୟକତା ପାଇଁ ବେଧଡ଼କ ଗଛକଟା ଏକ ବଡ଼ ସମସ୍ୟାକୁ ଆମନ୍ତ୍ରଣ କରୁଛି । ଏହାସହିତ ପ୍ଲାଷ୍ଟିକର ବହୁଳ ବ୍ୟବହାର ସାରା ମଣିଷ ସମାଜ ପାଇଁ ଘାତକ ହେବାରେ ଲାଗିଛି । ଏସବୁ ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଆହ୍ୱାନ ଭାବେ ଉଭା ହେବାକୁ ଯାଉଛି । ଲୋକଙ୍କ ମଧ୍ୟରେ ଏ ବାବାଦରେ ସଚେତନ ସୃଷ୍ଟି କରିବା ସହିତ ଆମେ ନିଜେ କିଭଳି ପରିବେଶ ପ୍ରଦୂଷଣକୁ ରୋକିପାରିବା, ତାହା ଆମ ସମସ୍ତଙ୍କ ପାଇଁ ବର୍ତ୍ତମାନ ସମୟର ବଡ଼ ଆହ୍ୱାନ । ଏଭଳି ସ୍ଥିତି ଉପରେ ଆମେ ସମସ୍ତେ ଗମ୍ଭୀରତାର ସହ ଚିନ୍ତା କରିବା ଦରକାର । ବିଶ୍ୱ ପରିବେଶ ଦିବସ ଅବସରରେ ଗଛ ଲଗାଇବା ଓ ପ୍ଲାଷ୍ଟିକ ହଟେଇବା ନେଇ ଆହ୍ୱାନ ଦିଆଯାଇଛି ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୂର୍ବ ଓ ପଶ୍ଚିମାଞ୍ଚଳ ରେଞ୍ଜ ପକ୍ଷରୁ ଆୟୋଜିତ ବିଶ୍ୱ ପରିବେଶ ଦିବସରେ ଏହି ଆହ୍ୱାନ ଦିଆଯାଇଛି । ଏହି ଅବସରରେ ବନାଞ୍ଚଳ ଅଧିକାରୀ ମାନଙ୍କ ଉପସ୍ଥିତରେ ଉପଜିଲ୍ଲାପାଳଙ୍କ ବାସଭବନରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ,ବିଡିଓ ବିକାଶ ମହାନ୍ତି ଯୋଗ ଦେଇ ଚାରା ରୋପଣ କରିଥିଲେ ।

ସେହିପରି କାମାକ୍ଷାନଗର ବନ ବିଭାଗ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଳ ରେଞ୍ଜର ବନବିହାରୀ ସର୍ଦ୍ଦାର ଓ ପୂର୍ବାଞ୍ଚଳ ଡ଼େପୁଟି ରେଞ୍ଜର ଅଜିତ ଦଳେଇଙ୍କ ସମେତ ଉଭୟ ରେଞ୍ଜର ବନ କର୍ମଚାରୀମାନେ ଉପସ୍ଥିତ ଥିଲେ । ପରିବେଶକୁ ସୁରକ୍ଷା ଦେବା ସହିତ ବୃକ୍ଷରୋପଣକୁ ଗୁରୁତ୍ୱ ଏବଂ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ପ୍ରୟାସ କରିବାକୁ ଅଧିକାରୀ ମାନେ ମତବ୍ୟକ୍ତ କରିଥିଲେ । ପରେ ବନ କର୍ମଚାରୀ ଓ ଭିଏସଏସ ମେମ୍ବରମାନେ ଏକ ଶୋଭାଯାତ୍ରାରେ ବାହାରି କାମାକ୍ଷାନଗର ସହର ପରିକ୍ରମା କରି ସଚେତନତା ବାର୍ତ୍ତା ଦେଇଥିଲେ ।

Comments are closed.