Latest Odisha News

BREAKING NEWS

ଆରମ୍ଭରୁ ଚାଳ ବାଜିଲାଣି, ସ୍ଥଗିତ ରହିଲା ବିରୋଧୀଙ୍କ ପାଟନା ବୈଠକ !

ଭୁବନେଶ୍ୱର: ଆସନ୍ତା ୧୨ ତାରିଖରେ ପାଟନାରେ ହେବାକୁ ଥିବା ବିରୋଧୀ ଦଳ ଗୁଡ଼ିକର ବୈଠକକୁ ଘୁଞ୍ଚାଇ ଦିଆଯାଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସାରା ଦେଶର ବିଭିନ୍ନ ରାଜ୍ୟ ବୁଲି ବିରୋଧୀଙ୍କୁ ଏକାଠି କରିବା ଉଦ୍ୟମକୁ ଜୋରଦାର କରିଛନ୍ତି। ଏପରିକି ଚଳିତ ମାସ ୧୨ ତାରିଖରେ ପାଟନାରେ ବିରୋଧୀଙ୍କ ବୈଠକ ହୋଇ ଆଗାମୀ ରଣନୀତି ପ୍ରସ୍ତୁତ ହେବାର ଥିଲା।

କିନ୍ତୁ ଏହି ବୈଠକକୁ ଘୁଞ୍ଚାଇ ଦିଆଯାଇଥିବା ସୂଚନା ମିଳିଛି। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ସୂଚନା ଅନୁଯାୟୀ କଂଗ୍ରେସ ଓ ଡିଏମକେ ବୈଠକର ତାରିଖ ବଦଳାଇବାକୁ ନୀତିଶଙ୍କୁ ଅନୁରୋଧ କରିଥିଲେ। କିନ୍ତୁ କେଉଁ କାରଣ ପାଇଁ ତାରିଖ ବଦଳାଇବାକୁ କୁହାଯାଇଥିଲା ତାହା ଜଣାପଡିନି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ବିଦେଶ ଗସ୍ତରେ ଅଛନ୍ତି। କିନ୍ତୁ ସମସ୍ତ ବିରୋଧୀଙ୍କ ସହମତିରେ ତାରିଖ ସ୍ଥିର ହୋଇଥିଲା। ଏପରିକି ଏଥିପାଇଁ ସମସ୍ତ ଆୟୋଜନ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା ।

ତେଣୁ କାହିଁକି ଶେଷ ମୁହୂର୍ତ୍ତରେ ବୈଠକ ସ୍ଥଗିତ ହେଉଛି ତାକୁ ନେଇ ଚର୍ଚ୍ଚା ହେଉଛି। ବୈଠକ ନେଇ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ମଧ୍ୟ ମତ ରଖିଥିଲେ। କଂଗ୍ରେସ ଏହି ବୈଠକକୁ ଯିବ ଏଥିରେ କେଉଁ କେଉଁ ବିରୋଧୀ ସାମିଲ ହେବେ ସ୍ଥିର ହୋଇନାହିଁ ବୋଲି କୁହାଯାଇଥିଲା।

ଏପରିକି ପ୍ରଥମ ବୈଠକ ପାଟନାରେ ହେବା ସହ ଦ୍ଵିତୀୟ ବୈଠକ ହିମାଚଳ ପ୍ରଦେଶରେ ହେବ ବୋଲି ସ୍ଥିର ହୋଇଥିଲା। କିନ୍ତୁ ହଠାତ ବୈଠକ ସ୍ଥଗିତ ହେବାକୁ ନେଇ ଆଲୋଚନା ଆରମ୍ଭ ହୋଇଛି।

ଆଗାମୀ ସାଧାରଣ ନିର୍ବାଚନରେ ବିଜେପିକୁ ମାତ ଦେବା ପାଇଁ ସବୁ ବିରୋଧୀ ଗୋଟିଏ ମଞ୍ଚରେ ଏକାଠି ହେବାକୁ କେବେଠୁ ପ୍ରୟାସ କରୁଛନ୍ତି ନୀତିଶ। କିନ୍ତୁ ଏଭଳି ସ୍ଥିତିରେ କେସିଆର କଂଗ୍ରେସକୁ ସମାଲୋଚନା କରିଥିବା ବେଳେ ପଶ୍ଚିମବଙ୍ଗର ଏକମାତ୍ର କଂଗ୍ରେସ ବିଧାୟକଙ୍କୁ ଟିଏମସି ଦଳରେ ମିଶାଇଛି।

ଯାହାକୁ ନେଇ କଂଗ୍ରେସ ଅସନ୍ତୋଷ ଝାଡ଼ିଛି। ଏପରିକି ମମତା ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ କଂଗ୍ରେସ ବିଶ୍ୱାସକୁ ନେଇ ପାରୁନି ବୋଲି ପୂର୍ବରୁ କହିଛି।

ଆଗକୁ ତେଲେଙ୍ଗାନା ନିର୍ବାଚନ ଥିବାବେଳେ ସେଠାରେ କେସିଆରଙ୍କ ବିଆରଏସ ସହ କଂଗ୍ରେସ ସିଧାସଳଖ ଲଢ଼ିବ। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ତେଲେଙ୍ଗାନାରେ ଏକ ସଭାରେ ବିଆରଏସ ଉପରେ ବର୍ଷିଛନ୍ତି।

ତେଣୁ ଏଭଳି ସ୍ଥିତିରେ ବିରୋଧୀଙ୍କ ବୈଠକ ତାରିଖ ସ୍ଥିର ହୋଇଥିଲେ ମଧ୍ୟ ସ୍ଥଗିତ ରହିବା ବିରୋଧୀ ଏକତା ଦିଗରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଚର୍ଚ୍ଚା ହେଉଛି।

Leave A Reply

Your email address will not be published.