Latest Odisha News

BREAKING NEWS

ଆସନ୍ତାକାଲିଠୁ ଆରମ୍ଭ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା, ଚଳଚଞ୍ଚଳ ମହିମାଗାଦୀ ପୀଠ

ଢେଙ୍କାନାଳ: ଆସନ୍ତାକାଲି ଅର୍ଥାତ୍ ଗୁରୁବାର ଠାରୁ ଆରମ୍ଭ ହେବ ବିଶ୍ବପ୍ରସିଦ୍ଧ ଜୋରନ୍ଦା ମାଘ ମେଳା । ଯାହାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ମହିମା ଧର୍ମର ମୁଖ୍ୟ ପୀଠ । ପ୍ରତିବର୍ଷ ମାଘ ଶୁକ୍ଳ ଚତୁର୍ଦ୍ଦଶୀ ରେ ଏହି ମେଳା ଅନୁଷ୍ଠିତ ହୋଇଥାଏ । ଆସନ୍ତା ୨୨ ରୁ ୨୪ ତାରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପୀ ପାଳିତ ହେବ ଏହି ମେଳା । ଏଥିପାଇଁ ପୀଠରେ ରାଜ୍ୟ ଓ ରାଜ୍ୟ ବାହାରୁ ମହିମା ସାଧୁସନ୍ଥମାନଙ୍କ ଆଗମନ ହେଲାଣି ।

ମହିମା ଧର୍ମର ପରମ୍ପରା ମୁତାବକ ଚଳିତ ବର୍ଷ ସେମାନଙ୍କର ୧୫୧ତମ ବାର୍ଷିକ ଉତ୍ସବ ପାଳିବେ ମାହିମା ସାଧୁ । ମହିମା ସାଧୁଙ୍କ ମନ୍ତ୍ରରେ ପ୍ରକମ୍ପିତ ହେବ ମହିମା ପୀଠ । ବିଭିନ୍ନ ନୀତିକାନ୍ତିର ସହିତ ଗାଦୀ ମନ୍ଦିର ପରିସରର ଚାରିଦ୍ୱାରରେ ଅଖଣ୍ଡ ଧୁନୀ ଜାଳିବେ ମହିମା ସାଧୁ । ସାରାବିଶ୍ୱର କଲ୍ୟାଣ ନିମନ୍ତେ ଦୁଇ ଦିନ ଧରି ଜାଳିବ ବିଶାଳକାୟ ଝ।ଡବତୀ ।

ବ୍ୟବସାୟକୁ ଦୃଷ୍ଟିରେ ରଖି ବିଭିନ୍ନ କିସମର ଦୋକାନୀମାନେ ବ୍ୟବସାୟର ପସରା ପାଇଁ ପ୍ରସ୍ତୁତିରେ ଲାଗିପଡିଛନ୍ତି । ଅପରପକ୍ଷରେ ଚଳିତ ବର୍ଷ ମେଳାରେ ଦର୍ଶକମାନଙ୍କର ମନୋରଞ୍ଜନ ପାଇଁ ଯାତ୍ରା, ମୀନା ବଜାର ଓ ବିଭିନ୍ନ ଦୋଳି ଆଦି ପ୍ରସ୍ତୁତି ମେଳାକୁ ଆହୁରି ସରଗରମ କରିବ ।

ଏହି ଯୋରନ୍ଦା ମେଳାରେ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଥିବାବେଳେ, ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେପଟେ ଟ୍ରାଫିକ୍ ପରିଚାଳନା, ସ୍ୱାସ୍ଥ୍ୟ ପରିମଳ ଓ ପାନୀୟ ଜଳ ଯୋଗାଣ ଆଦି ପ୍ରସ୍ତୁତି ଚାଲିଛି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ନେଇ ଢେଙ୍କାନାଳ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ କହିଛନ୍ତି ।

Leave A Reply

Your email address will not be published.