Latest Odisha News

BREAKING NEWS

ସୁଧୀର କୁମାର ଧଙ୍ଗଡ଼ାମାଝୀ ପାଇବେ କିଶୋରୀ ଚରଣ ପୁରସ୍କାର

ଭବାନୀପାଟଣା : କିଶୋରୀ ଚରଣ ସ୍ମୃତି ସଂସଦ ପକ୍ଷରୁ ବିଶିଷ୍ଟ ସାହିତ୍ୟିକ କିଶୋରୀ ଚରଣ ଦାସଙ୍କ ସ୍ମୃତିରେ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ କିଶୋରୀ ଚରଣ ପୁରସ୍କାର ଚଳିତ ବର୍ଷ ପାଇଁ ଗଳ୍ପ ପୁସ୍ତକ ‘ଖଂଗାର୍’ ପାଇଁ ଯୁବ କଥାକାର ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କୁ ପ୍ରଦାନ କରାଯିବ । ପୁରସ୍କାର ସ୍ବରୂପରେ ତାଙ୍କୁ ମାନପତ୍ର, ଉପଢୌକନ ଓ ପାଞ୍ଚ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। । ଆସନ୍ତା ମାର୍ଚ୍ଚ ୧ ତାରିଖ ସନ୍ଧ୍ୟାରେ କଟକ ଶତାବ୍ଦୀ ଭବନ ଠାରେ କିଶୋରୀ ଚରଣ ଜନ୍ମ ଶତବାର୍ଷିକୀ ସମାରୋହରେ ଶ୍ରୀ ଧଙ୍ଗଡ଼ାମାଝୀଙ୍କୁ ପୁରସ୍କୃତ କରାଯିବ ସ୍ମୃତି ସଂସଦ ପକ୍ଷରୁ ସୂଚନା ଦିଆଯାଇଛି।

ସୁପୁତ୍ର ସୁଧୀର ଗଳ୍ପ, କବିତା, ପ୍ରବନ୍ଧ, ଫିଚର୍, ଲଳିତ ନିବନ୍ଧ, ଅନୁବାଦ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରୁଥିବା ବେଳେ ମଞ୍ଚ, ଚଳଚ୍ଚିତ୍ର, ଟେଲିଫିଲ୍ମ ଆଦିରେ ଅଭିନୟ ସହ ଦୂରଦର୍ଶନ ଓ ଆକାଶବାଣୀରେ ଉପସ୍ଥାପନା କରି ଲୋକପ୍ରିୟ ହୋଇଛନ୍ତି। ସଂପ୍ରତି ସେ ଶିକ୍ଷା ବିଭାଗରେ ସିଆର୍ସିସି ଭାବେ କାର୍ଯ୍ୟରତ ଥିବାବେଳେ ଗ୍ଲୋବାଲ୍ ଲାଇଫ୍ରେଚର୍ ଫାଉଣ୍ଡେସନ୍ର ଆବାହକ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ଯୁଗ୍ମ ସଂପାଦକ, କଳାହାଣ୍ଡି ଯୁବ ଲେଖକ ସମାବେଶର ଉପଦେଷ୍ଟା, ସାହିତ୍ୟ-ସମ୍ବାଦ ପତ୍ରିକା ‘ସାହିତ୍ୟ କଥା’ର ସହ-ସଂପାଦକ, ଆକାଶବାଣୀ ଭବାନୀପାଟଣାର ଉଦଘୋଷକ ଭାବେ ସକ୍ରିୟ ଅଛନ୍ତି। ସାରସ୍ୱତ ସାଧନା ପାଇଁ ସେ ମହାବୀର ସାଂସ୍କୃତିକ ଅନୁଷ୍ଠାନ ପ୍ରଦତ୍ତ କଳାହାଣ୍ଡି ଯୁବ ପ୍ରତିଭା ସମ୍ମାନ, ଗଦ୍ୟାଂଶ ପତ୍ରିକା ପ୍ରଦତ୍ତ ଗଦ୍ୟାଂଶ ଯୁବ ପ୍ରତିଭା ସମ୍ମାନ, ଚେତାବନୀ ସାହିତ୍ୟ ସଂସଦ ପ୍ରଦତ୍ତ ଲକ୍ଷ୍ମୀକାନ୍ତ ସାହା ସ୍ମୃତି ସମ୍ମାନ ସମେତ ବିଭିନ୍ନ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇଥିବା ବେଳେ ୱାର୍ଲ୍ଡ ଆସୋସିଏସନ୍ ଫର୍ ଆର୍ଟ୍ ଏଣ୍ଡ୍ କଲ୍ଚର୍ ପକ୍ଷରୁ ଆୟୋଜିତ ୩୯ତମ ବିଶ୍ବ କବି ମହାକୁମ୍ଭ ଓ କେନ୍ଦ୍ର ସାହିତ୍ୟ ଏକାଡେମୀର ମୁଲାକାତ୍ କାର୍ଯ୍ୟକ୍ରମରେ ଅତିଥି ଲେଖକ ଭାବେ ଯୋଗ ଦେଇଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ, ପୂର୍ବରୁ ‘ଖଂଗାର୍’ ଟାଇମପାସ୍ ବେଷ୍ଟସେଲର୍ ପୁରସ୍କାର-୨୦୨୧ ପାଇବା ସହ ୨୦୨୦ ଓ ୨୦୨୧ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ସଂକ୍ଷିପ୍ତ ସୂଚୀରେ ସାମିଲ ହୋଇଥିଲା।

Leave A Reply

Your email address will not be published.