ଢେଙ୍କାନାଳ: ପ୍ରତି ବର୍ଷ ପରି ମାଘ ଶୁକ୍ଳ ଚତୁଦର୍ଶୀ ଠାରୁ ଆରମ୍ଭ ହେବାକୁ ଯାଉଛି ଯୋରନ୍ଦା ମାଘ ମେଳା । ତେବେ ଆସନ୍ତାକାଲି ଅର୍ଥାତ ୩୧ ତାରିଖଠାରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା । ବିଶ୍ବପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ପାଇଁ ଚଳଚଞ୍ଚଳ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ମହିମା ଗାଦି । ଲକ୍ଷଲକ୍ଷ ସଂଖ୍ୟାରେ ଜନ ସମାଗମ ସାଙ୍ଗକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
୧ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମହିମା ଗାଦି ଗସ୍ତ କାର୍ଯ୍ୟକ୍ରମ ରହିଛି । ଗାଦୀ ମନ୍ଦିର ନିକଟରେ ସଧାରଣ ସଭାରେ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ।
ମେଳାକୁ ମହିମା ସାଧୁମାନେ ଦୁଇ ଦିନ ଧରି ପାଳୁଥିବା ବେଳେ ପାଞ୍ଚ ଛଅ ଦିନ ଧରି ବେଶ ଧୁମ ଧାମରେ ପାଳିବେ ସ୍ଥାନୀୟ ବାସିନ୍ଦା ।
ମହିମା ଧର୍ମର ପରମ୍ପରା ମୁତାବକ ଚଳିତ ବର୍ଷ ସେମାନଙ୍କର ୧୫୩ତମ ବାର୍ଷିକ ଉତ୍ସବ ପାଳୁଛନ୍ତି । ବିଭିନ୍ନ ନୀତିକାନ୍ତି ସହ ଗାଦି ମନ୍ଦିର ପରିସରର ଚାରିଦ୍ୱାରରେ ଅଖଣ୍ଡ ଧୁନୀ ଜାଳିବେ ମହିମା ସାଧୁ । ଏହି ଅବସରରେ ସନ୍ଧ୍ୟା ପରେ ମୁଖ୍ୟ ଗାଦି ମନ୍ଦିର ଚାରିଦ୍ୱାରରେ ସାରା ବିଶ୍ୱର କଲ୍ୟାଣ ପାାଇଁ ବିଶାଳକାୟ ଝ।ଡ଼ବତୀ ଜାଳିବା ପାଇଁ ପ୍ରସ୍ତୁତି କରୁଛନ୍ତି ବକଳଧାରୀ ମହିମା ସନ୍ୟାସୀ ।
ଚଳିତ ବର୍ଷ ମଧ୍ୟ ମହିମା ଧର୍ମର ଏହି ମୁଖ୍ୟ ପୀଠ ମହିମଗାଦୀକୁ ସମଗ୍ର ଦେଶ ବ୍ୟାପୀ ମହିମା ସାଧୁ ସନ୍ୟାସୀ ଓ ଶ୍ରଦ୍ଧାଳୁ ମାନଙ୍କର ଆଗମନ ଘଟିଛି । ପରମ୍ପରା ମୁତାବକ ମହିମା ଗୋସାଇଁଙ୍କ ଏହି ସମାଧିସ୍ଥଳ ଗୁରୁଧାମ ମହିମାଗାଦୀରେ ମହିମା ସାଧୁମାନେ ଏକତ୍ରିତ ହୋଇ ପ୍ରଭୁଙ୍କ ଉଦେଶ୍ୟରେ ଜଗତର କଲ୍ୟାଣ ପାଇଁ ସମ୍ମିଳିତ ଅଖଣ୍ଡ ବତୀରେ ମହଣ ମହଣ ଘୃତାହୁତି କରିବେ ।
ଚଳିତ ବର୍ଷ ଅନୁକୂଳ ପାଗ ଯୋଗୁଁ, ମେଳାରେ ୧୦ ଲକ୍ଷରୁ ଅଧିକ ଜନସମାଗମ ହେବାର ଆଶଙ୍କା କରାଯାଇଛି । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ୧୨ରୁ ଅଧିକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟ ହେବେ । ପୋଲିସ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ ।