ହଜି ଯାଉଛି ହସ । ଯାହା ସ୍ୱତସ୍ପୃତ ଭାବେ ଓଠରୁ କଣରୁ ନିଗିଡ ଆସିବା କଥା ତାହା ପାଇଁ ଅଭ୍ୟାସ କରିବାକୁ ପଡୁଛି । ସେ ଅଭ୍ୟାସରେ ପୁଣି ଏ ମଣିଷ ଫେଲ ମାରୁଛି । ଯେଉଁ ହସ ପାଇଁ ଏତେ ସଂଘର୍ଷ..ଏତେ ପ୍ରତିଯୋଗିତା ସେ କାହିଁକି ଏମିତି ଦୂରେଇ ଦୂରେଇ ଯାଉଛି । କେଉଁଠି ଏ ଲୁଚି ଯାଉଛି ଏ ଖୁସି…କେଉଁଠି ହଜିଯାଉଛି ହସ..? ଏ ମଣିଷ ଖାଲି ତା ପଛରେ ଅଣନିଃଶ୍ୱାସୀ ହୋଇ ଧାଉଁଛି ସିନା ସତରେ କ’ଣ ତାକୁ ପାଉଛି ? ହସିବା କଥା ଛାଡ, ମଣିଷ ଏଠି ଠିକ ଭାବେ ନିଃଶ୍ୱାସ ନେଇ ପାରୁଛି ତ ? ମେ’ ମାସର ପ୍ରଥମ ରବିବାର ‘ହସ ଦିବସ’ ଆଜି ଆମକୁ ଏମିତି କିଛି ପ୍ରଶ୍ନ ପଚାରୁଛି ।
ସବୁଆଡେ ପ୍ରତିଯୋଗିତା । ଏ ସବୁ ପ୍ରତିଯୋଗିତାରେ ଆମକୁ ଭାଗ ନେବାକୁ ପଡିବ । ଜିତିବାକୁ ପଡିବ । ସେଥିପାଇଁ ଆମେ ଦୌଡୁଛେ । କେତେ ପଡୁଛେ, କେତେ ଲହୁଲୁହାଣ ହେଉଛେ । ହେଲେ ଖାତିର ନାହିଁ । ପିଲାଟିଏ ଜନ୍ମ ହେଲା ପରଠାରୁ ବାପ-ମା’ ଲଗେଇ ଦେଉଛନ୍ତି ପ୍ରତିଯୋଗିତାରେ । କେତେ ଛୋଟ ପିଲା କେତେ ଅଧିକ କାମ କରି, କଥା କହି ବିଶ୍ୱ ରେକର୍ଡ କରିପାରୁଛି । ତା’ ପରେ ପାଠପଢାରେ ପ୍ରତିଯୋଗତିା । ତା ପରେ ଚାକିରି ପାଇଁ..ଭଲ ଜୀବନସାଥୀ ପାଇଁ.. । ତା ପରେ ଭଲ ଘର, କାର….ଇତ୍ୟାଦି ଇତ୍ୟାଦି । ହେଲେ ଏସବୁ ହାତେଇବା ପରେ ବି କେତେ ଖୁସି ଏ ମଣିଷ ? ଏ ଖୁସି କେତେ ଦେଇ ପାରିଛି ମନ ଖୋଲି ହସିବାର ସୁଯୋଗ ?
ଦିନକୁ ଦିନ ବଢି ଚାଲିଛି ମାନସିକ ଚାପ । ରୋଗାକ୍ରାନ୍ତ ହୋଇ ପଡୁଛି ଶରୀର । ଏଥିରୁ ମୁକ୍ତି ପାଇଁ ଲୋଡା ପଡୁଛି ନିର୍ଭେଜାଲ ହସ ଟିକିଏ । ଏଥିପାଇଁ ଖୋଲା ଜାଗା, ପାର୍କରେ ଦିଆଯାଉଛି ତାଲିମ । ହୋ-ହୋ ହସରେ ଫାଡିପଡୁଛି ଇଲାକା । ହେଲେ କେତେ କରୁଣ ଲାଗେ ଏ ଛାତିଫଟା ହସ ?
ଏ ହସର ମୂଲ୍ୟ ଆଜି ବୁଝି ପାରିଛି ମଣିଷ । କିନ୍ତୁ ଆପଣେଇ ପାରୁନି । କାରଣ ପଛରେ ରହିଯିବାର ଭୟ ତାକୁ ହସଠାରୁ ଦୂରେଇ ଦେଉଛି । ସେଥିପାଇଁ ତ ବିଶ୍ୱର ଖୁସି ଦେଶ ତାଲିକାରେ ୨୦୨୩ରେ ୧୩୫ ଦେଶ ମଧ୍ୟରେ ଭାରତର ସ୍ଥାନ ୧୨୫ରେ ରହିଛି ।
କେତେ ବିଡମ୍ବନା ସତରେ, ଯେଉଁ ହସଖୁସି ପାଇଁ ଏ ଲହୁଲୁହାଣ ପ୍ରତିଯୋଗିତା, ସେହି ହସକୁ ମନେ ପକେଇବା ପାଇଁ..ହସର ଉପାଦେୟତା ବିଷୟରେ ସଚେତନ କରିବା ଲାଗି ଆଜି ଆମକୁ ଦିବସ ପାଳନ କରିବାକୁ ପଡୁଛି । ହସ ଦିବସ.. ଲାଫିଂ ଡେ..
Comments are closed.