କୋରୋନା ମହାମାରୀ କାଳର ପ୍ରଥମ ଅଲିମ୍ପିକ୍ସ ଆଜି ଜାପାନ ରାଜଧାନୀ ଟୋକିଓରେ ଆରମ୍ଭ ହୋଇଯାଇଛି । ଫଳରେ ମହାମାରୀ ଯୋଗୁଁ ବର୍ଷେ ବିଳମ୍ବିତ ହୋଇଥିବା ଅଲିମ୍ପିକ୍ସ ଏ ବର୍ଷ ମଧ୍ୟ ଆୟୋଜନ ନେଇ ଥିବା ଅନିଶ୍ଚିତତା ଦୂର ହୋଇଛି । ବିନା ଦର୍ଶକରେ ହେବ ଟୋକିଓ ଅଲିମ୍ପିକ୍ସ । ଏଥର କୋରୋନା ଅଲିମ୍ପିକ୍ସ ଉତ୍ସାହ ଓ ରୋମାଂଚକୁ ଫିକା କରିଦେଇଛି । ଏଥିପାଇଁ ଜାପାନବାସୀଙ୍କ ମନରେ ବି ଉତ୍ସାହ ପରିଲକ୍ଷିତ ହୋଇନାହିଁ । ସେ ଯାହା ହେଉ ନା କାହିଁକି କଡା କଟକଣା ମଧ୍ୟରେ ଉଦଘାଟିତ ହୋଇଛି ଟୋକିଓ ଅଲିମ୍ପିକ୍ସ । ଆଶା କରାଯାଏ ଥରେ, ବିଭିନ୍ନ ପ୍ରତିଯୋଗିତା ବି କୁଣ୍ଠିତ ଭାବେ ଆରମ୍ଭ ହୋଇଗଲେ, କୋରୋନା ନେଇ ଥିବା ଅନିଶ୍ଚିତତା ବି ଦୂର ହୋଇଯିବ ।ବିଶ୍ୱର ସର୍ବବୃହତ, ମର୍ଯ୍ୟାଦାଜନକ ଓ ଲୋକପ୍ରିୟ କ୍ରୀଡା ପ୍ରତିଯୋଗିତା ଭାବେ ବିବେଚିତ ହୁଏ ଅଲିମ୍ପିକ କ୍ରୀଡା । ଏହା ହେଉଛି କ୍ରୀଡାର ମହୋତ୍ସବ । ପ୍ରାୟ ସବୁ କ୍ରୀଡାର ଅଲଗା ଅଲଗା ବିଶ୍ୱ ପ୍ରତିଯୋଗିତା ଆୟୋଜିତ ହେଉଥିଲେ ମଧ୍ୟ ଅନେକ କ୍ରୀଡାର ସମାହାର ହୋଇଥାଏ ଅଲିମ୍ପିକ୍ସରେ, ଯାହା କି ଚାରିବର୍ଷକୁ ଥରେ ହୁଏ । ଏହା ହିଁ ତ ଅଲିମ୍ପିକ୍ସର ସ୍ୱତନ୍ତ୍ରତା । କ୍ରୀଡାର ଏହି ମହାକୁମ୍ଭରେ ଥରେ ଅଂଶଗ୍ରହଣ କରିବା ସବୁ କ୍ରୀଡାବିତଙ୍କ ଲକ୍ଷ୍ୟ ଥାଏ । ଏଠାରେ ହାରଜିତ୍ ଗୁରୁତ୍ୱପୂର୍ଣ୍ଣ ନୁହେଁ , ବରଂ ଅଂଶଗ୍ରହଣ କରିବା ହିଁ ଗୁରୁତ୍ୱପୂର୍ଣ୍ଣ । ସୁସ୍ଥ ଖେଳୁଆଡ ମନୋଭାବ ସହ ଶ୍ରେଷ୍ଠତ୍ୱ ପ୍ରଦର୍ଶନ ପାଇଁ ଯଥାସମ୍ଭବ ପ୍ରୟାସ ହିଁ ଅଲିମ୍ପିକ୍ସର ମୂଳମନ୍ତ୍ର ।ଅଲିମ୍ପିକ କ୍ରୀଡା ହେଉଛି ବିଶ୍ୱକୁ ପ୍ରାଚୀନ ଗ୍ରୀସର ଅବଦାନ । ଆଜିକୁ ୩ ହଜାରରୁ ଅଧିକ ବର୍ଷ ପୂର୍ବେ ଗ୍ରୀସରେ ହିଁ ସୃଷ୍ଟି ହୋଇଥିଲା ଅଲିମ୍ପିକ କ୍ରୀଡା । ଇତିହାସ କୁହେ ଯେ, ଖ୍ରୀଷ୍ଟପୂର୍ବ ଅଷ୍ଟମ ଶତାବ୍ଦୀରୁ ଖ୍ରାଷ୍ଟାବ୍ଦ ଚତୁର୍ଥ ଶତାବ୍ଦୀ ଯାଏଁ ପ୍ରାଚୀନ ଗ୍ରୀସ୍ରେ ଗ୍ରୀକ୍ ଦେବତା ଜିୟସଙ୍କ ସମ୍ମାନରେ ହେଉଥିବା ଧାର୍ମିକ ଉତ୍ସବ ଅବସରରେ ଆୟୋଜିତ ହେଉଥିଲା ଏକ କ୍ରୀଡା ପ୍ରତିଯୋଗିତା । ପ୍ରତି ଚାରିବର୍ଷ ବ୍ୟବଧାନରେ ଦକ୍ଷିଣ ଗ୍ରୀସ୍ର ଅଲିମ୍ପିଆ ନାମକ ଏକ ସ୍ଥାନରେ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହେଉଥିଲା । ତେଣୁ ସେହି ସ୍ଥାନ ଅନୁସାରେ ପ୍ରତିଯୋଗିତାର ନାମ ଥିଲା ଅଲିମ୍ପିକ । ଖ୍ରୀଷ୍ଟପୂର୍ବ ୭୭୬ରେ ପ୍ରଥମ ପ୍ରାଚୀନ ଅଲିମ୍ପିକ କ୍ରୀଡା ଆୟୋଜିତ ହୋଇଥିଲା ଲିପିବଦ୍ଧ ପ୍ରମାଣ ରହିଛି । ପ୍ରାଚୀନ ଗ୍ରୀସରେ ଅନ୍ୟ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହେଉଥିଲା । କିନ୍ତୁ ଅଲିମ୍ପିଆରେ ଆୟୋଜିତ ହେଉଥିବା କ୍ରୀଡା ପ୍ରତିଯୋଗିତା ଥିଲା ସର୍ବାଧିକ ଲୋକପ୍ରିୟ । ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀ ଶେଷବେଳକୁ ଅଲିମ୍ପିକ୍ସ କ୍ରୀଡା ସବୁ ଗ୍ରୀକ୍ କ୍ରୀଡା ଉତ୍ସବ ମଧ୍ୟରେ ଥିଲା ବେଶ୍ ଲୋକପ୍ରିୟ । ପ୍ରାରମ୍ଭିକ କିଛି ବର୍ଷ ପ୍ରାଚୀନ ଅଲିମ୍ପିକ୍ସରେ କେବଳ ପୁରୁଷମାନେ ହିଁ ଅଂଶଗ୍ରହଣ କରିବା ନିୟମ ଥିଲା । ମହିଳାଙ୍କ ଅଂଶଗ୍ରହଣ ନିଷିଦ୍ଧ ଥିଲା । ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀର ମଧ୍ୟଭାଗରେ ଗ୍ରୀସ ରୋମ୍ ସାମ୍ରାଜ୍ୟ ଅଧୀନକୁ ଆସିଲା । ରୋମାନ ଶାସକଙ୍କ ଅଧିନରେ ଅଲିମ୍ପିକ କ୍ରୀଡା ଜାରି ରହିଲା, କିନ୍ତୁ ଆଗର ଭଳି ଗୁଣାତ୍ମକମାନ ରହିଲା ନାହିଁ । ପୂର୍ବର ମର୍ଯ୍ୟାଦା ଓ ଗୁରୁତ୍ୱ ହରାଇ ବସିଲା ଅଲିମ୍ପିକ କ୍ରୀଡା । ପ୍ରକୃତ ପ୍ରତିଯୋଗୀଙ୍କୁ ଉପେକ୍ଷା କରାଗଲା । ଖ୍ରୀଷ୍ଟାବ୍ଦ ୩୯୩ରେ ରୋମ ସମ୍ରାଟ ଥିଓଡେସିଅସ ଖ୍ରୀଷ୍ଟଧର୍ମ ଗ୍ରହଣ କଲା ପରେ ଗ୍ରୀସର ଅଲିମ୍ପିକ କ୍ରୀଡାକୁ ଧର୍ମବିରୋଧୀ ଆଖ୍ୟା ଦେବା ସମସ୍ତ ଗ୍ରୀକ୍ ଉତ୍ସବକୁ ନିଷିଦ୍ଧ କରିଥିଲେ । ପରିଣାମ ସ୍ୱରୂପ, ପାଖାପାଖି ୧୨ ଶହ ବର୍ଷ ପରେ ପ୍ରାଚୀନ ଅଲିମ୍ପିକ କ୍ରୀଡା ପରମ୍ପରାରେ ବିରାମ ଲାଗିଲା ।୧,୫୦୦ ବର୍ଷ ପରେ ପୁଣି ଅଲିମ୍ପିକ କ୍ରୀଡାର ପୁନରୁଦ୍ଧାର ପାଇଁ ଉଦ୍ୟମ ହେଲା । ବାରୋଁ ପିୟର ଡି କୁବର୍ଟିନ ନାମକ ଜଣେ ଫରାସୀ ବୁଦ୍ଧିଜୀବୀ, ଶିକ୍ଷାବିତ ଓ କ୍ରୀଡାପ୍ରେମୀ ପ୍ରାଚୀନ ଅଲିମ୍ପିକ୍ସ ଢାଞ୍ଚାରେ ଏକ ବିଶ୍ୱ କ୍ରୀଡା ପ୍ରତିଯୋଗିତା ଆୟୋଜନର ପରିକଳ୍ପନା କରିଥିଲେ । ଗ୍ରୀସ୍ର ପ୍ରାଚୀନ ଅଲିମ୍ପିକ ସ୍ଥଳ ପରିଦର୍ଶନ କଲା ପରେ ଆଧୁନିକ ଅଲିମ୍ପିକ କ୍ରୀଡା ଆୟୋଜନ ଦିଗରେ ବ୍ରତୀ ହୋଇଥିଲେ କ୍ୟୁବର୍ଟିନ । ଅଲିମ୍ପିକ କ୍ରୀଡା ପୁନରୁଦ୍ଧାର ପାଇଁ ଫ୍ରାନସର ତତ୍କାଳୀନ କ୍ରୀଡା ସଂଘ – ଦି ୟୁନିଅନ ଅଫ ଫ୍ରେଞ୍ଚଆଥଲେଟିକ ସ୍ପୋର୍ଟସ ସୋସାଇଟିଜ୍ର ୧୮୯୨ ମସିହା ନଭେମ୍ବର ମାସରେ ହୋଇଥିବା ବୈଠକରେ ପ୍ରସ୍ତାବ ଉପସ୍ଥାପନ କରିଥିଲେ କୁବର୍ଟିନ । ଦୁଇବର୍ଷ ପରେ ୧୮୯୪ରେ କୁବର୍ଟିନଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା ଆନ୍ତର୍ଜାତିକ ଅଲିମ୍ପିକ କମିଟି-ଆଇଓସି । ୧୮୯୬ ମସିହାରେ ଗ୍ରୀସ ରାଜଧାନୀ ଏଥେନ୍ସରେ ଆୟୋଜିତ ହୋଇଥିଲା ପ୍ରଥମ ଆଧୁନିକ ଅଲିମ୍ପିକ କ୍ରୀଡା । କ୍ରୀଡା ପୁନରୁଦ୍ଧାର ପାଇଁ କୁବର୍ଟିନଙ୍କ ଉଦ୍ୟମ ଶେଷରେ ସଫଳ ହୋଇଥିଲା । ଗ୍ରୀସ୍ ରାଜା ପ୍ରଥମ ଜର୍ଜିୟସ ଓ ୬୦ ହଜାର ଦର୍ଶକଙ୍କ ଉପସ୍ଥିତିରେ ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା । ୧୩ଟି ଦେଶର ୨୮୦ ପ୍ରତିଯୋଗୀ ଉଦ୍ଘାଟନୀ ସଂସ୍କରଣରେ ଅଂଶଗ୍ରହଣ କରିଥିଲେ । ସମସ୍ତେ ଥିଲେ ପୁରୁଷ ପ୍ରତିଯୋଗୀ । ଟ୍ରାକ୍ ଆଣ୍ଡ ଫିଲ୍ଡ, ସନ୍ତରଣ, କୁସ୍ତି, ସାଇକେଲ ଚାଳନା, ଭାରୋତ୍ତୋଳନ, ବନ୍ଧୁକ ଚାଳନା, ଅସୀ ଚାଳନା, ଜିମ୍ନାଷ୍ଟିକ୍ସ ଓ ଟେନିସର ୪୩ ଇଭେଣ୍ଟରେ ପ୍ରତିଯୋଗିତା ହୋଇଥିଲା । ଯୋଡି ହୋଇଗଲା ଅଲିମ୍ପିକ କ୍ରୀଡା ଇତିହାସରେ ଆଉ ଏକ ନୂଆ ଅଧ୍ୟାୟ ।ଏଥର ଟୋକିଓ ଅଲିମ୍ପିକ କ୍ରୀଡାର ୩୨ ତମ ସଂସ୍କରଣ ଆୟୋଜନ କରୁଛି । ପ୍ରଥମ ଥର ପାଇଁ ମହାମାରୀ ଯୋଗୁଁ ଅଲିମ୍ପିକ ଆୟୋଜନ ବଷେ ର୍ଘୁଚିଂଛି ,କିନ୍ତୁ ବାତିଲ ହୋଇନାହିଁ । ପୂର୍ବରୁ ପ୍ରଥମ ବିଶ୍ୱଯୁଦ୍ଧ ଯୋଗୁଁ ୧୯୧୬ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁଁ ୧୯୪୦ ଓ ୧୯୪୪ ଅଲିମ୍ପିକ୍ସ ବାତିଲ ହୋଇଛି । କିନ୍ତୁ ଆଇଓସି ନିୟମ ଅନୁସାରେ ବାତିଲ ଅଲିମ୍ପିକ୍ସକୁ ଗଣତି କରାଯାଉଛି । ଆଧୁନିକ ଅଲିମ୍ପିକ୍ସରେ ପାରମ୍ପରିକ ଭାବେ ଆମେରିକା, ଋଷିଆ ( ତତ୍କାଳୀନ ସୋଭିଏତ ସଂଘ ), ବ୍ରିଟେନ, ଜର୍ମାନୀ ଓ ଅନ୍ୟ କିଛି ୟୁରୋପୀୟ ଦେଶର ପ୍ରାଧାନ୍ୟ ରହିଆସିଛି ।ଗତ କିଛି ସଂସ୍କରଣରେ ଚୀନ୍ ପ୍ରଥମ ତିନିଟି ସ୍ଥାନରେ ରହୁଛି ।
ଭାରତ ୧୯୦୦ ମସିହାରୁ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଆସୁଥିଲେ ମଧ୍ୟ ମାତ୍ର ୨୮ଟି ପଦକ ହିଁ ଜିତିପାରିଛି । ଏଥିରୁ ହକିରେ ହିଁ ଅର୍ଦ୍ଧାଧିକ ପଦକ ସାମିଲ । ଅଲିମ୍ପିକ୍ସରେ ନୈରାଶ୍ୟଜନକ ପ୍ରଦର୍ଶନ ଆମଦେଶରେ ଖେଳ ସଂସ୍କୃତିର ଅଭାବକୁ ଦର୍ଶାଉଛି । ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତର ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ସର୍ବାଧିକ ୬ଟି ପଦକ ଜିତିଥିଲା । ଆଶା କରାଯାଏ, ଏଥର ଟୋକିଅରେ ଭାରତର ପଦକ ସଂଖ୍ୟା ଦୁଇ ଅଙ୍କ ଛୁଇଁବ । ରେସଲର, ସୁଟରଙ୍କଠାରୁ ବହୁତ ଆଶା ରହିଛି ।
Comments are closed.