Latest Odisha News

BREAKING NEWS

ଟୁଥ୍‌ପେଷ୍ଟ ସଂଗ୍ରହ କରି ବିଶ୍ୱ ରେକର୍ଡ କଲେ ଦନ୍ତ ବିଶେଷଜ୍ଞ

ଜର୍ଜିଆ: ପ୍ରତ୍ୟେକ ଲୋକଙ୍କର ଭିନ୍ନ ଭିନ୍ନ ସଉକ ରହିଥାଏ । କେହି କେହି ବିଭିନ୍ନ ଦେଶ ବୁଲିବାକୁ ପସନ୍ଦ କରୁଥିବା ବେଳେ ଆଉ କିଏ ଭିନ୍ନ ଭିନ୍ନ ବହି ପଢିବାକୁ ପସନ୍ଦ କରନ୍ତି । ସେମିତି ଆଉ କେହି କଏନ ବା ଡ଼ାକ ଟିକେଟ ସଂଗ୍ରହ କରିବାକୁ ରୁଚି ରଖିଥାନ୍ତି । ଏବେ ଜଜିଆର ଜଣେ ଦନ୍ତ ବିଶେଷଜ୍ଞ ଟୁଥ୍‌ପେଷ୍ଟ ସଂଗ୍ରହ କରି ଗିନିସ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡ଼ ସୃଷ୍ଟି କରିଛନ୍ତି । ସେ ୨,୦୩୭ ପ୍ରକାରର ଟୁଥ୍‌ପେଷ୍ଟ ସଂଗ୍ରହ କରିଛନ୍ତି ।

ଜର୍ଜିଆର ଆଲଫାରେଟ୍ଟାରେ ରୁହନ୍ତି ଦନ୍ତ ଚିକିତ୍ସକ ବାଲ କୋଲପାକୋଭ୍ । ତାଙ୍କର ରୁଚି ପୁରା ନିଆରା । ସେ ବିଭିନ୍ନ ପ୍ରକାରର ଟୁଥ୍‌ପେଷ୍ଟ ସଂଗ୍ରହ କରିବାରେ ରୁଚି ରଖନ୍ତି । ସେଥିଲାଗି ସେ ଜାପାନ, କୋରିଆ, ଚୀନ୍‌, ଭାରତ ଓ ରୁଷିଆ ଆଦି ଦେଶରୁ ବିଭିନ୍ନ ପ୍ରକାରର ଟୁଥ୍‌ପେଷ୍ଟ୍‌ଗୁଡ଼ିକ ସଂଗ୍ରହ କରିଛନ୍ତି । ବଜାରକୁ ଆସୁଥିବା ନୂଆ ନୂଆ ପେଷ୍ଟ୍ ଉପରେ ସେ ନଜର ରଖିବା ସହ ସଙ୍ଗେ ସଙ୍ଗେ ତାକୁ କିଣି ଆଣିଥାନ୍ତି । ଜଣେ ଦନ୍ତ ବିଶେଷଜ୍ଞ ଭାବରେ ବିଭିନ୍ନ ଟୁଥ୍‌ପେଷ୍ଟ୍‌ର ଉପକାରିତା ସମ୍ପର୍କରେ ଜାଣିବା ପାଇଁ ସେ ୨୦୦୧ ମସିହାରୁ ବଜାରରେ ଉପଲବ୍‌ଧ ପେଷ୍ଟ୍‌ଗୁଡ଼ିକୁ ସଂଗ୍ରହ କରିବା ଆରମ୍ଭ କରିଥିଲେ । ଯାହା ଧୀରେ ଧୀରେ ଏକ ନିଶାରେ ପରିଣତ ହୋଇଥିଲା । ଏମିତି କି ସେ ଅନ୍ୟ ଦେଶରୁ କିଛି ପୁରୁଣା ଟୁଥ୍‌ପେଷ୍ଟ୍ ସଂଗ୍ରହ ମଧ୍ୟ କରିଥିଲେ ।

ତାଙ୍କ ପାଖରେ ବିଭିନ୍ନ ଦେଶଗୁଡ଼ିକର ପ୍ରାୟ ସବୁ ପ୍ରକାରର ଲୋକପ୍ରିୟ ଟୁଥ୍‌ପେଷ୍ଟ ରହିଛି । ଏନେଇ ସେ ତାଙ୍କ ଚିକିତ୍ସାଳୟରେ ଏକ ‘ଟୁଥ୍‌ପେଷ୍ଟ ସଂଗ୍ରହାଳୟ’ ନିର୍ମାଣ କରିଛନ୍ତି । ଯେଉଁଠାରେ ୨,୦୩୭ ପ୍ରକାରର ଟୁଥ୍‌ପେଷ୍ଟ ରଖିଛନ୍ତି । ବିଶେଷ କରି ରାଇ, ସ୍କଚ୍ ଓ ବର୍ବନ୍ ପରି ହ୍ୱିସ୍କିର ତିନି ପ୍ରକାର ସ୍ୱାଦର ବିରଳ ଟୁଥ୍‌ପେଷ୍ଟ ରହିଛି । ୧୯୫୦ ଦଶକରେ ପ୍ରସ୍ତୁତ ହୋଇଥିବା ଏହି ପେଷ୍ଟ୍‌ରେ ୩ ପ୍ରତିଶତ ଆଲ୍‌କୋହୋଲ ରହିଥିବା ସେ କହିଛନ୍ତି । ସେହିପରି ତାଙ୍କର ଏହି ବିରଳ ସଂଗ୍ରହ ମଧ୍ୟରେ ଦୋରାମାଡ୍ ଟୁଥ୍‌ପେଷ୍ଟ ରହିଛି , ଯେଉଁଥିରେ ତେଜସ୍କ୍ରିୟ ଯୌଗିକ ଥୋରିଅମ୍ ରହିଛି । ଏପରି ବିଭିନ୍ନ ପ୍ରକାରର ଟୁଥ୍‌ପେଷ୍ଟ ସଂଗ୍ରହ କରିବାରେ ନିଆରା ମଜା ରହିଛି । ଏଥିଲାଗି ଗିନିସ ବିଶ୍ୱ ରେକର୍ଡରେ ନିଜ ନାମ ଲିପିବଦ୍ଧ କରି ପାରିଛନ୍ତି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.