Latest Odisha News

ଆଜି ବିଶ୍ୱ ପର୍ଯ୍ୟଟନ ଦିବସ: ବୁଲିଯାଆନ୍ତୁ ଓଡିଶାର ଏହି ସବୁ ପର୍ଯ୍ୟଟନସ୍ଥଳୀ

ଭୁବନେଶ୍ୱର: ବିଶ୍ୱ ପର୍ଯ୍ୟଟନ ସଂଗଠନ ପକ୍ଷରୁ ପ୍ରତିବର୍ଷ ସେପ୍ଟେମ୍ବର ୨୭ ତାରିଖକୁ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ଭାବେ ପାଳନ କରାଯାଇଆସୁଅଛି ।

ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ହେଉଛି ସାରା ବିଶ୍ୱରେ ପର୍ଯ୍ୟଟନ କ୍ଷେତ୍ରରେ ସଚେତନତା ସୃଷ୍ଟି କରିବା । ବିଗତ ୧୯୮୦ ମସିହାରୁ ଏହି ଦିନକୁ ଆନ୍ତର୍ଜାତୀୟ ସ୍ତରରେ ପର୍ଯ୍ୟଟନ ଦିବସ ଭାବରେ ପାଳନ କରାଯାଇଆସୁଛି ।

ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସାଙ୍ଗସାଥୀ ତଥା ପରିବାର ଗହଣରେ ବୁଲିଯାଆନ୍ତୁ ଓଡିଶାର ଏହି ଅଜଣା ତଥା ଲୁକ୍କାୟିତ ପର୍ଯ୍ୟଟନସ୍ଥଳୀକୁ… 

ବେଦବ୍ୟାସ- ଓଡିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ରାଉରକେଲା ସ୍ଥିତ ପାନପୋଷ ନିକଟବର୍ତ୍ତୀ ବେଦବ୍ୟାସ ପୀଠ ଅନ୍ୟତମ । ଏଠାରେ ଶଙ୍ଖ, କୋଏଲ ଓ ସରସ୍ୱତୀ ନଦୀ ଭଳି ୩ଟି ନଦୀର ମିଶ୍ରଣ ହୋଇଛି । ଯାହା ତ୍ରୀବେଣୀ ସଙ୍ଗମ ଭାବେ ପରିଚିତ । ଏହି ୩ଟି ନଦୀର ମିଶ୍ରଣରେ ବ୍ରାହ୍ମଣୀ ନଦୀର ରୂପରେଖ ହୋଇଛି । ଭୁବନେଶ୍ୱରରୁ ଏହାର ଦୂରତା ପ୍ରାୟ ୩୨୮ କିମି. ହେବ । ସ୍ଥାନୀୟ ବାସିନ୍ଦାଙ୍କ ମତରେ ମହାଭାରତ ରଚୟୀତା ମହର୍ଷି ବ୍ୟାସ ଦେବ ଏଠାରେ ଅବସ୍ଥାପନା କରିଥିଲେ ଏବଂ ଏଠାରେ ବ୍ୟାସଦେବଙ୍କ ଗୁମ୍ଫା ରହିଥିବାର ମଧ୍ୟ ଦେଖିବାକୁ ମିଳେ ।

ମୁର୍ଗା ମହାଦେବ- କେନ୍ଦୁଝର ଜିଲ୍ଲା ସ୍ଥିତ ବିଲେଇପଦା ନିକଟରେ ଅନ୍ୟତମ ପର୍ଯ୍ୟଟନ ସ୍ଥଳୀଭାବେ ‘ମୁର୍ଗା ମହାଦେବ’ । ସାଧାରଣତଃ କେନ୍ଦୁଝର ଜିଲ୍ଲାରେ ଖଣି ଖାଦାନ ଭରି ରହିଥିବାରୁ ଆପଣଙ୍କ ଯାତ୍ରା ଟିକେ କଷ୍ଟ ହେଲେ ମଧ୍ୟ ମୁର୍ଗା ମହାଦେବରେ ପହଞ୍ଚିବା ପରେ ସବୁ କଷ୍ଟ ଲାଘବ ହୋଇଯିବ । ଏଠାରେ ଥିବା ଜଳପ୍ରପାତଟିର ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନ୍ତ୍ରମୁଗ୍ଧ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ସ୍ଥାନଟି ଖୁବ୍ ଲୋଭନୀୟ ମଧ୍ୟ । ଏହାର ଏପରି ନାମକରଣ ପଛରେ ମଧ୍ୟ ଏକ ରହସ୍ୟ ରହିଛି । ଭୁବନେଶ୍ୱରରୁ ଏହାର ଦୂରତା ପ୍ରାୟ ୨୫୩ କିମି. ହେବ ।

ଗଣ୍ଡାହାତୀ ଜଳପ୍ରପାତ- ସୌନ୍ଦର୍ଯ୍ୟ ଓ ଇତିହାସରେ ଭରା ଏହି ଜଳପ୍ରପାତଟି ରହିଛି ଗଜପତି ଜିଲ୍ଲା ଅନ୍ତର୍ଗତ ପାରଳାଖେମୁଣ୍ଡି ଠାରୁ ପ୍ରାୟ ୨୮ କିମି. ଦୂରରେ । ଏଠାକୁ ସବୁସମୟରେ ପର୍ଯ୍ୟଟକଙ୍କ ଭିଡ ଜମିଥାଏ ।

ସ୍କଟଲ୍ୟାଣ୍ଡପୁର: ଅନୁଗୁଳ ଜିଲ୍ଲାର ତାଳଚେର ଠାରେ ରହିଛି ଏହି ସ୍କଟଲ୍ୟାଣ୍ଡପୁର । ପ୍ରକୃତିର ସୌନ୍ଦର୍ଯ୍ୟରେ ଭରପୂର ଏହି ସ୍ଥାନ ପର୍ଯ୍ୟଟକମାନଙ୍କୁ ମନ୍ତ୍ରମୁଗ୍ଧ କରିଥାଏ । ଲୋକକଥାନୁସାରେ ତାଳଚେର ରାଜା ପ୍ରମୋଦ ଚନ୍ଦ୍ର ମହାଦେବ ସ୍କଟଲ୍ୟାଣ୍ଡର ସୌନ୍ଦର୍ଯ୍ୟରେ ବିମୋହିତ ହୋଇପଡିଥିଲେ । ପରେ ସେଠାରୁ ଫେରି ରାଜା ନିଜ ସାମ୍ରାଜ୍ୟରେ ‘ସ୍କଟଲ୍ୟାଣ୍ଡପୁର’ ନିର୍ମାଣ କରିଥିଲେ । ଯାହା ବର୍ତ୍ତମାନ ସମୟରେ ପର୍ଯ୍ୟଟନସ୍ଥଳୀର ରୂପ ନେଇଛି ।

ପର୍ଯ୍ୟଟନର ଅଭିବୃଦ୍ଧିରେ ଦେଶର କିପରି ବିକାଶ ହୋଇପାରୁଛି ଏନେଇ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଜି ‘ବିଶ୍ୱ ପର୍ଯ୍ୟଟନ ଦିବସ’ ଉପଲକ୍ଷେ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି ।

Leave A Reply

Your email address will not be published.