ଯାଜପୁର: କିଏ କେମିତି ପାଳିଲେ ବିଶ୍ବ ମହିଳା ଦିବସ । ହେଲେ ଏମାନେ ପାଳିଲେ ନିଆରା ଢଙ୍ଗରେ । ନିଆରା ଢଙ୍ଗ କହିଲେ ଭୁଲ ହେବ, ନିର୍ଭୁଲ ଢଙ୍ଗରେ । ମହିଳା ଦିବସରେ ମହିଳାଙ୍କୁ ସହାୟତାର ହାତ ବଢାଇ ସେମାନଙ୍କୁ ଦେଲେ ଉଚିତ ସମ୍ମାନ । ବିନା ଯୌତୁକରେ ଆୟାଜନ କରିଥିଲେ ଗଣବିବାହ । ଯାଜପୁର ବ୍ୟାସନଗର ପୌରାଞ୍ଚଳର ମହିଳା ସଂଗଠନ ନବଉତ୍କଳ ମହିଳା ସମିତି ପକ୍ଷରୁ ଏମିତି ପାଳନ କରାଯାଇଥିଲା ମହିଳା ଦିବସ ।
ଅଭାବ ଯୋଗୁ ଅନେକ ଯୁବତୀ ବିବାହ କରିପାରୁ ନାହାନ୍ତି । ଏପରି 5ଗୋଟି ଦମ୍ପତ୍ତିଙ୍କୁ ବିବାହ ସୂତ୍ରରେ ବାନ୍ଧି ପାରିଛି ଏହି ମହିଳା ସଂଗଠନ । ସ୍ଥାନୀୟ ପାଦୁକା ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଥିଲା ଏଭଳି ଏକ ଗଣବିବାହ କାର୍ଯ୍ୟକ୍ରମ । ଏହି ଅବସରରେ ଭୋଜିଭାତର ଆୟୋଜନ ମଧ୍ୟ ହୋଇଥିଲା । ବରକନ୍ୟା ମାନେ ପରସ୍ପରକୁ ବରଣମାଳା ଦେଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଉତ୍ସବରେ ସାମିଲ ହୋଇଥିଲେ ଶତାଧିକ ମହିଳା ।
ବିବାହ ବେଦୀରେ ଶୁଭୁଥିଲା ଯଥା ରାବଣସ୍ୟ ମନ୍ଦୋଦରୀ ଯଥା….ର ଉଚ୍ଚାରଣ । ବ୍ରାହ୍ମଣ ମନ୍ତ୍ର୍ର ପଢୁଥିଲେ । ଜାଗଯାଜ୍ଞର ଆୟୋଜନ ସହିତ ବୈଦିକ ରିତିନୀତିରେ ଚାଲିଥିଲା ବିବାହ । ସଂଗଠନର ମହିଳା ମାନେ ନିଜ ପରିବାର ଲୋକଙ୍କ ଭଳି ଶଙ୍ଖ ଫୁଙ୍କିବା ସହ ହୁଳିହୁଳି ପକାଉଥିଲେ । ବରକନ୍ୟାଙ୍କ ହାତଗଣ୍ଠି ପଡିଲା । ଖଇ କଉଡିର ଖେଳ ବି ହେଲା । ସମୁଦି ସମର୍ପଣ ଠାରୁ ଆରମ୍ଭ କରି ସବୁ ପାରମ୍ପରିକ ବିଧି ସମ୍ପନ୍ନ ହୋଇଥିଲା । ଏଭଳି ବିବାହରେ ବେଶ୍ ଖୁସି ଥିଲେ ବରକନ୍ୟା ଓ ସେମାନଙ୍କ ପରିବାର ଲୋକେ । ବିନା ଖର୍ଚ୍ଚରେ ଏତେ ସୁନ୍ଦର ପରିବେଶ ମଧ୍ୟରେ ବିବାହ ସମ୍ଭବ ହୋଇଥିବାରୁ ମହିଳା ସଂଗଠନ ନିକଟରେ କୃତଜ୍ଞତା ଜଣାଇଛନ୍ତି ବରକନ୍ୟାଙ୍କ ପରିବାର ଲୋକ।
ଏମିତି ସହଯୋଗର ହାତ ବଢାଇ ଚାରିଆଡେ ପ୍ରଶଂସାର ପାତ୍ର ହୋଇଛି ଏକ ମହିଳା ସଂଗଠନ । ଏଭଳି ଏକ ଆଦର୍ଶ ଗଣବିବାହ ଅନ୍ୟମାନଙ୍କ ପାଇଁ ପ୍ରେରଣା ଦାୟକ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ।
Comments are closed.