Latest Odisha News

ମହାକାଶରେ ଦୁନିଆର ପ୍ରଥମ ପ୍ରାଇଭେଟ୍ ସ୍ପେସୱାକ୍‌

ନୂଆଦିଲ୍ଲୀ: ଅନ୍ତରୀକ୍ଷରେ ନୂଆ ଇତିହାସ । ମହାକାଶରେ ପ୍ରଥମ ଥର ପାଇଁ ହୋଇଛି ପ୍ରାଇଭେଟ କମର୍ସିଆଲ ସ୍ପେସୱାକ୍ । ପୃଥିବୀରୁ ପ୍ରାୟ ୭ ଶହ କିଲୋମିଟର ଉଚ୍ଚରେ ହୋଇଛି ବିଶ୍ୱର ପ୍ରଥମ ପ୍ରାଇଭେଟ୍ ସ୍ପେସୱାକ୍ । ୧୯୭୦ ମସିହା ପରେ ପ୍ରଥମ ଥର ପାଇଁ ମଣିଷ ଏତେ ଉଚ୍ଚତା ଯାଏଁ ପହଞ୍ଚିଛି । ପୋଲାରିସ ଡନ୍ ମିଶନ ଜରିଆରେ ପ୍ରଥମ ପ୍ରାଇଭେଟ ସ୍ପେସୱାକ୍ ହୋଇଛି । ଉଦ୍ୟୋଗୀ ଏଲନ ମସ୍କଙ୍କ ସ୍ପେସଏକ୍ସ କମ୍ପାନୀର ଫାଲକନ୍ ୯ ରକେଟ୍ ଦ୍ୱାରା ଲଞ୍ଚ କରାଯାଇଥିଲା ପୋଲାରିସ୍ ଡନ୍ ମିଶନ । ଏହି ମିଶନ ଜରିଆରେ ମହାକାଶକୁ ପଠାଯାଇଛି ସ୍ପେସକ୍ରାଫଟ୍ କ୍ରିଉ ଡ୍ରାଗନ୍ ।

ଦୁନିଆର ପ୍ରଥମ ପ୍ରାଇଭେଟ୍ ସ୍ପେସୱାକ୍ ବେଳେ ସ୍ପେସକ୍ରାଫ୍ଟର ଗତି ଥିଲା ୨୫ ହଜାର କିଲୋମିଟର । ସେପଟେମ୍ବର ୧୦ ତାରିଖରେ ଲଂଚ୍ ହୋଇଥିଲା ପୋଲାରିସ୍ ଡନ୍ ମିଶନ୍ । ଏହି ମିଶନରେ ମହାକାଶକୁ ଯାଇଛନ୍ତି ଚାରି ମହାକାଶ ଯାତ୍ରୀ । ମିଶନ କମାଣ୍ଡର ଜେରେଡ୍ ଆଇସେକମେନ୍ ଓ ମିଶନ ସ୍ପେଶାଲିଷ୍ଟ ସାରା ଗିଲିସ୍ ଗୁୁରୁବାର ପାଖାପାଖି ୧୦ ମିନିଟ ପାଇଁ ସ୍ପେସୱାକ୍ ଲାଗି ସ୍ପେସକ୍ରାଫ୍ଟରୁ ବାହାରି ଆସିଥିଲେ । ୫ ଦିନିଆ ଏହି ମିଶନରେ ମହାକାଶଯାତ୍ରୀମାନେ ଯେଉଁ କକ୍ଷକୁ ଯାଇଛନ୍ତି, ସେଠାକୁ ୫୦ ବର୍ଷରୁ ଅଧିକ ସମୟ ଧରି କେହି ବି ଯାଇନଥିଲେ । ଏହି ମିଶନ ହେଉଛି ସ୍ପେସଏକ୍ସର ପ୍ରଥମ ଘରୋଇ ଅନ୍ତରୀକ୍ଷ ଯାତ୍ରା ।

ସ୍ପେସୱାକ୍ ପୂର୍ବରୁ ଜଟିଳ ପ୍ରି-ବ୍ରିଥ୍ ପ୍ରକ୍ରିୟା

ଐତିହାସିକ ସ୍ପେସୱାକ୍ ପୂର୍ବରୁ ସ୍ପେସକ୍ରାଫ୍ଟ ଫାଲକନ -୯ କ୍ୟାବିନରେ ପ୍ରି-ବ୍ରିଥ୍ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଏହି ପ୍ରକ୍ରିୟାରେ କ୍ୟାବିନକୁ ଶୁଦ୍ଧ ଅମ୍ଳଜାନରେ ଯୋଗାଇ ଦିଆଯାଇଥିଲା । ନାଇଟ୍ରୋଜେନର ସବୁ ଅବଶେଷ ହଟାଇଦିଆଯାଇଥିଲା । ମହାକାଶ ରହଣି ବେଳେ ଯଦି ନାଇଟ୍ରୋଜେନ ମହାକାଶଚାରୀଙ୍କ ବ୍ଲଡ୍‌ଷ୍ଟ୍ରିମରେ ପ୍ରବେଶ କରିଥାଆନ୍ତା, ତାହା ହେଲେ ବ୍ଲଡ୍ ଫ୍ଲୋ ପ୍ରଭାବିତ ହୋଇଥାଆନ୍ତା ।

ପୋଲାରିସ ଡନ୍ ମିଶନର ଲକ୍ଷ୍ୟ କ’ଣ ?

ପୋଲାରିସ୍ ଡନ୍ ମିଶନର ମୂଳ ଲକ୍ଷ୍ୟ ଥିଲା ପ୍ରଥମ ପ୍ରାଇଭେଟ୍ ଏକ୍ସଟ୍ରାଭେଇକିଲର ଆକ୍ଟିଭିଟି –ଇଭିଏ, ଯାହାକୁ କି ସ୍ପେସୱାକ୍ ମଧ୍ୟ କୁହାଯାଏ । ୫ ଦିନିଆ ମିଶନରେ ମାନବ ସ୍ୱାସ୍ଥ୍ୟ ସହ ଜଡିତ ୩୬ଟି ଗବେଷଣାମୂଳକ ଅଧ୍ୟୟନ ଓ ପରୀକ୍ଷାନିରୀକ୍ଷା କରାଯିବ । ଏଥିସହ ମହାକାଶରେ ଷ୍ଟାରଲିଙ୍କ୍‌ର ଲେଜର ଭିତ୍ତିକ ସଂଚାର ବ୍ୟବସ୍ଥାର ପରୀକ୍ଷା କରାଯିବ । ପ୍ରଥମ ଥର ପାଇଁ ଏଲନ ମସ୍କଙ୍କ ସ୍ପେସଏକ୍ସ କମ୍ପାନିର ଦୁଇ କର୍ମଚାରୀ ହ୍ୟୁମାନ ସ୍ପେସଫ୍ଲାଇଟରେ ସାମିଲ ହୋଇଛନ୍ତି ।

ଫାଲକନ୍ ୯ ରକେଟର ବିଶେଷତ୍ୱ
ସ୍ପେସଏକ୍ସ କମ୍ପାନି ଦ୍ୱାରା ନିର୍ମିତ ଫାଲକନ ୯ ହେଉଛି ଏକ ପୁନଃ ବ୍ୟବହାର ଯୋଗ୍ୟ ବା ରିୟୁଜେବଲ୍‌, ଟୁ ଷ୍ଟେଜ୍ ରକେଟ୍ । ପୃଥିବୀର କକ୍ଷ ଓ ଆଗକୁ ମହାକାଶ ଯାତ୍ରୀ ଏବଂ ପେଲୋଡ୍ ନେବା ପାଇଁ ଏହି ରକେଟ୍ ନିର୍ମିତ ହୋଇଛି । ଫାଲକନ ୯ ହେଉଛି ବିଶ୍ୱର ପ୍ରଥମ ଅର୍ବିଟଲ କ୍ଲାସ୍ ରିୟୁଜେବଲ ରକେଟ୍ । ଫାଲକନ ରକେଟ ଜରିଆରେ ଆସିଥିବା ସ୍ପେସଏକ୍ସର ଡ୍ରାଗନ ସ୍ପେସକ୍ରାଫଟ୍ ୭ ମହାକାଶଚାରୀଙ୍କୁ ମହାକାଶ ନେବା ପାଇଁ ସକ୍ଷମ । ଏହା ହେଉଛି ଏକମାତ୍ର ଘରୋଇ ମହାକାଶ ଯାନ, ଯାହା ମଣିଷକୁ ମହାକାଶ ନେଇ ପୁମି ପୃଥିବୀକୁ ଫେରାଇ ଆଣିପାରିବ । ୨୦୧୦ରେ ଡ୍ରାଗନର ପ୍ରଥମ ଟେଷ୍ଟ ଫ୍ଲାଇଟ୍ ହୋଇଥିଲା ।

ପୋଲାରିସ ଡନ୍ ମିଶନ ପଛରେ କୋଟିପତି ଶିଳ୍ପପତି

ସ୍ପେସଏକ୍ସ କମ୍ପାନିର ପୋଲାରିସ ଡନ୍ ମିଶନକୁ ଫଣ୍ଡିଂ କରୁଛନ୍ତି କୋଟିପତି ଶିଳ୍ପପତି ଜେରେଡ୍ ଆଇସେକମେନ୍ ଯିଏ କି ଦୁନିଆର ପ୍ରଥମ ପ୍ରାଇଭେଟ୍ ସ୍ପେସୱାକରେ ସାମିଲ ହୋଇଛନ୍ତି । ଜେରେଡ୍ ଆଇସେକମେନ୍ ହେଉଛନ୍ତି ସିଫ୍‌ଟଫୋର୍ ସିଇଓ । ମହାକାଶକୁ ଯିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଜେରେଡ୍ ଆଇସେକମେନ୍ ।

Comments are closed.