ନୂଆଦିଲ୍ଲୀ: ସାପ ବିଷୟରେ କଥା ଉଠିଲେ ଅଧିକାଂଶ ଲୋକଙ୍କ ଶରୀରରେ କମ୍ପ ଆସିଯାଏ। କିନ୍ତୁ ଏହି ସବୁ ବିଷଧର ସାପ ମଧ୍ୟରେ ସବୁଠାରୁ ଭୟଙ୍କର ଓ ଶକ୍ତିଶାଳୀ ହେଉଛି କିଙ୍ଗ କୋବ୍ରା। ଏହା କେବଳ ଆକାରରେ ବଡ଼ ନୁହେଁ, ଗୋଟିଏ ଥର କାମୁଡ଼ାରେ ଦେଇପାରୁଥିବା ବିଷର ପରିମାଣ ପାଇଁ ମଧ୍ୟ ବିଖ୍ୟାତ। ଗୋଟିଏ ଥର କାମୁଡ଼ିଲେ କିଙ୍ଗ କୋବ୍ରା ୨୦୦ରୁ ୫୦୦ ମିଲିଗ୍ରାମ ପର୍ଯ୍ୟନ୍ତ ବିଷ ଇଞ୍ଜେକ୍ଟ କରିପାରେ। ଏତେ ବିଷ ଏକାଥରକେ ୨୦ ଜଣ ପ୍ରାପ୍ତବୟସ୍କ ମଣିଷ କିମ୍ବା ଗୋଟିଏ ପୂର୍ଣ୍ଣବୟସ୍କ ହାତୀକୁ ମଧ୍ୟ କେବଳ କିଛି ଘଣ୍ଟା ଭିତରେ ମାରିଦେଇପାରେ।
ବିଶ୍ୱର ସବୁଠାରୁ ଲମ୍ବା ବିଷଧର ସାପ
କିଙ୍ଗ କୋବ୍ରା ବିଶ୍ୱର ସବୁଠାରୁ ଲମ୍ବା ବିଷଧର ସାପ। ଏହାର ସାଧାରଣ ଲମ୍ବ ୩ରୁ ୪ ମିଟର ହୋଇଥାଏ, କିନ୍ତୁ କେତେକ ଦୁର୍ଲଭ ଘଟଣାରେ ୫.୮ ମିଟରରୁ ମଧ୍ୟ ଅଧିକ ଲମ୍ବା ହୋଇପାରେ। ରଙ୍ଗରେ ଗାଢ଼ ବାଦାମି କିମ୍ବା କଳା ହୋଇଥାଏ ଏବଂ ଶରୀରରେ ହାଲୁକା ରଙ୍ଗର ଧାର ଥାଏ। ବିପଦ ଅନୁଭବ କଲେ ଏହା ନିଜର ଲମ୍ବା ପତଳା ଫଣା ଫୁଲାଇ ଠିଆ ହୋଇଯାଏ, ଯାହା ଦେଖିବାକୁ ଅତ୍ୟନ୍ତ ଭୟଙ୍କର ଲାଗେ।
ଏହାର ବୈଜ୍ଞାନିକ ନାମ ହେଉଛି ଓଫିଓଫେଗସ୍ (Ophiophagus), ଯାହାର ଅର୍ଥ ହେଉଛି ‘ସାପ ଖାଉଥିବା’। ଅନ୍ୟ ସାପମାନେ ମୂଷା କିମ୍ବା ପକ୍ଷୀ ଖାଇଥାଆନ୍ତି, କିନ୍ତୁ କିଙ୍ଗ କୋବ୍ରା ଅନ୍ୟ ସାପମାନଙ୍କୁ (ଏପରିକି ନିଜ ପ୍ରଜାତିର ସାପକୁ ମଧ୍ୟ) ଶିକାର କରିଖାଏ।
ବିଷର ଭୟଙ୍କର ଶକ୍ତି
କିଙ୍ଗ କୋବ୍ରାର ବିଷ ଏକ ଶକ୍ତିଶାଳୀ ନ୍ୟୁରୋଟକ୍ସିନ। ଏହା ଶିକାରର ସ୍ନାୟୁତନ୍ତ୍ରକୁ ପୂରାପୂରି ବନ୍ଦ କରିଦିଏ। ବିଷ ପ୍ରଶିବା ପରେ ମସ୍ତିଷ୍କ ଓ ଗୁରୁତ୍ୱପୂର୍ଣ୍ଣ ଅଙ୍ଗମାନଙ୍କ ମଧ୍ୟରେ ସିଗ୍ନାଲ ବନ୍ଦ ହୋଇଯାଏ, ଶ୍ୱାସକ୍ରିୟା ବନ୍ଦ ହୋଇ ହୃଦ୍ଘାତ ହୋଇ ମୃତ୍ୟୁ ଘଟେ।
ଆଶ୍ଚର୍ଯ୍ୟଜନକ ଚିକିତ୍ସା ଗୁଣ
ଏହି ଭୟଙ୍କର ବିଷ କେବଳ ମାରାତ୍ମକ ନୁହେଁ, ଚିକିତ୍ସା କ୍ଷେତ୍ରରେ ମଧ୍ୟ ଅତ୍ୟନ୍ତ ମୂଲ୍ୟବାନ। ଗବେଷକମାନେ ଏହାର ବିଷରେ ଓହାନିନ୍ (Ohanin) ନାମକ ଏକ ବିଶେଷ ପ୍ରୋଟିନ୍ ଆବିଷ୍କାର କରିଛନ୍ତି, ଯାହା ମର୍ଫିନ୍ଠାରୁ ପ୍ରାୟ ୧୦୦ ଗୁଣ ଅଧିକ ଶକ୍ତିଶାଳୀ ଯନ୍ତ୍ରଣାନାଶକ ଭାବେ କାମ କରିପାରେ ଏବଂ ଏହାର କୌଣସି ନିଶାଦାୟକ ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। ତେଣୁ ଯେଉଁ ସାପକୁ ଦେଖିଲେ ଭୟରେ ଶରୀର ଥରି ଉଠେ, ସେହି କିଙ୍ଗ କୋବ୍ରା ଭବିଷ୍ୟତରେ ମଣିଷ ଜାତି ପାଇଁ ଏକ ବଡ଼ ଔଷଧ ମଧ୍ୟ ହୋଇପାରେ!