ଭୁବନେଶ୍ବର: ଯଦି ଆପଣଙ୍କୁ କୁହାଯାଏ ଯେ ଏକ ଗୋ ପ୍ରଜାତି ଯାହାର ଶରୀର କ୍ଷୁଦ୍ରତମ କିନ୍ତୁ ଏହାର କ୍ଷୀରର ସ୍ବାଦ କ୍ରିମ୍ ଠାରୁ ବି ଅଧିକ ମିଠା, ଆପଣ ବିଶ୍ବାସ କରିବେ କି ? ବିଶ୍ଵାସ ନହେଲେ ବି ଏହା କିନ୍ତୁ ସତ । ଆମ ଭାରତରେ ହିଁ ରହିଛି ଏଭଳି ପ୍ରଜାତି । ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାରୁ ଆସି ଚଳିତବର୍ଷ ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶାର ପହଞ୍ଚିଛି ବିଶ୍ବର କ୍ଷୁଦ୍ରତମ କୁଜ ଥିବା ଗାଈ- ପୁଙ୍ଗାନୁର ।
ଭୁବନେଶ୍ବରସ୍ଥିତ ବରମୁଣ୍ଡା ପଡ଼ିଆଠାରେ ଆରମ୍ଭ ହୋଇଥିବା ତିନି ଦିନିଆ ମତ୍ସ୍ୟ-ପ୍ରାଣୀ ସମାବେଶରେ ଅନ୍ୟତମ ଆକର୍ଷଣ ସାଜିଛି ବିଶ୍ବର ସବୁଠାରୁ କ୍ଷୁଦ୍ରତମ କୁଜ ଥିବା ଗୋ ପ୍ରଜାତି- ‘ପୁଙ୍ଗାନୁର’। ଏହା ଏକ ଛୋଟ ପ୍ରଜାତିର ଗୃହପାଳିତ ଗାଈ ଭାବେ ଘରେ ଘରେ ଖ୍ୟାତି ଅର୍ଜନ କରିଛି । ଏହି ଗାଈର ଉଚ୍ଚତା ୭୦-୯୦ ସେଣ୍ଟିମିଟର ହୋଇଥିବା ବେଳେ ଏହାର ଓଜନ ୧୧୫-୨୦୦ କିଲୋଗ୍ରାମ । ଏହା କମ୍ ଖାଦ୍ୟ ଆବଶ୍ୟକ କରିଥାଏ ଏବଂ ଉଭୟ ଶୁଷ୍କ ଓ ଉଷ୍ଣ ଜଳବାୟୁରେ ମଧ୍ୟ ଜୀବନଯାପନ କରିପାରେ । ଏହି ପ୍ରଜାତି ଭାରତୀୟ ଜଳବାୟୁ ସହ ଖାପ ଖୁଆଇ ରହିପାରିବ । ଏମାନେ ମୁଖ୍ୟତଃ ଶାନ୍ତ ସ୍ବଭାବର ଅଟନ୍ତି । ଏହି ପ୍ରଜାତି ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକ ଚେତନାର ପ୍ରତୀକ । ଏହି ଗୋ ପ୍ରଜାତି ଦୈନିକ ହାରାହାରି ୩.୫ ଲିଟର ଦୁଗ୍ଧ ପ୍ରଦାନ କରିଥାନ୍ତି । ଏହାର ଦୁଗ୍ଧରେ ଘିଅ ଅଂଶ ୮ ପ୍ରତିଶତ ରହିଛି । ବିଶ୍ବ ପ୍ରସିଦ୍ଧ ତିରୁପତି ଲଡ଼ୁ ପୁଙ୍ଗାନୁର ଗାଈର ଘିଅରୁ ପ୍ରସ୍ତୁତ ହୋଇଥାଏ ।
ସବୁଠୁ ବଡ କଥା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ମସିହା ଜାନୁଆରୀ ୧୪ ମକର ସଂକ୍ରାନ୍ତି ଅବସରରେ ତାଙ୍କ ବାସଭବନରେ ପୁଙ୍ଗାନୁର ଗାଈଙ୍କୁ ଆଦର କରିଥିଲେ । ଯାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ୍ ହୋଇଥିଲା । ଏହାପରେ ଏହି ଗାଈ ଲୋକଲୋଚନକୁ ଆସିଥିଲା । ଏହି ଗାଈ ଆଞ୍ଚଳିକ ପର୍ବ ପର୍ବାଣୀ, ଉତ୍ସବ ଓ ସମୃଦ୍ଧିର ପ୍ରତୀକ । ଏହି ଗାଇର କ୍ଷୀରରେ ମଧ୍ୟ ରହିଛି ଔଷଧୀୟ ଗୁଣ । ସେଥିପାଇଁ ଏହି ଗାଈର କ୍ଷୀରକୁ ସ୍ବର୍ଣ୍ଣିମ କ୍ଷୀର ବୋଲି କୁହାଯାଏ । ବାସ୍ତୁଶାସ୍ତ୍ର ଅନୁସାରେ ଏହି ଗାଇକୁ ଶୁଭ ବୋଲି ମାନିଥାନ୍ତି ଲୋକେ । ପ୍ରସିଦ୍ଧ ତିରୁପତି ବାଲାଜୀ ମନ୍ଦିରରେ ମଧ୍ୟ ଏହି ଗାଈର କ୍ଷୀର ଅର୍ପଣ କରାଯାଉଛି । ଗାଈର ଆକାର ଅତି ଛୋଟ ହୋଇଥିବାରୁ ଏହା ବେଡରୁମରୁ ଆରମ୍ଭ କରି ରୋଷେଇ ଘର ପର୍ଯ୍ୟନ୍ତ କେଉଁଠି ବି ସହଜରେ ରହିପାରିବ ।
Comments are closed.