Latest Odisha News

BREAKING NEWS

ରୂପି ସମସ୍ୟାକୁ ନେଇ ଚିନ୍ତିତ କି? ତେବେ ଆପଣାନ୍ତୁ ଏହି ସବୁ ଘରୋଇ ଉପାୟ

ଭୁବନେଶ୍ଵର: ଶୀତଦିନ ଆସିଗଲାଣି। ଶୀତ ଆସିଲେ ଅତ୍ୟଧିକ ଥଣ୍ଡା ହେତୁ ଅନେକ ପ୍ରକାରର ତ୍ୱଚା ଓ କେଶ ଜନିତ ସମସ୍ୟା ଦେଖାଦିଏ। ଏଥିସହ ଶୀତ ଦିନର ସବୁଠୁ ବଡ଼ ସମସ୍ୟା ହେଉଛି ରୂପି ବା ଡାଣ୍ଡ୍ରଫ୍ । ଦେଖିବାକୁ ଗଲେ ରୂପି ଏକ ସାଧାରଣ ସମସ୍ୟା । ହେଲେ ଶୀତଦିନେ ଏହା ଅଧିକ ପରିମାଣରେ ଦେଖାଦେଇଥାଏ। ଏଥିପାଇଁ ଲୋକେ ଅନେକ ଟଙ୍କା ଖର୍ଚ୍ଚ କରି ନାନା ପ୍ରକାରର ଉପାୟ କଲେ ବି ଏହି ସମସ୍ୟା ଏତେ ସହଜରେ ଭଲ ହୁଏ ନାହିଁ। ତେବେ ଚାଲନ୍ତୁ ଜାଣିବା କିପରି ଘରୋଇ ଉପଚାରରେ ଏହି ରୂପି ସମସ୍ୟାକୁ ସମ୍ପୁର୍ଣ୍ଣ ଭାବେ ଭଲ କରିହେବ।

ରୂପି ସମସ୍ୟା ଦୂର ପାଇଁ ନିମ ପତ୍ର ଖୁବ ଉପକାରୀ । ବହୁ ପୁରାତନ ସମୟରେ ଏହାକୁ ବ୍ୟବହାର କରାଯାଉଛି । ଏହାର ଖୁବ ଔଷଧୀୟ ଗୁଣ ମଧ୍ୟ ରହିଛି । ଏଥିରେ ଆଣ୍ଟି-ଫଙ୍ଗଲ୍‍ ଓ ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣ ରହିଛି । ଯାହା ରୂପି ସମସ୍ୟାକୁ ଦୂର କରିବାରେ ରାମବାଣ ଭଳି କାର୍ଯ୍ୟ କରେ । ରୂପି ଦୂର ପାଇଁ ନିମପତ୍ରକୁ ପେଷି ଦିଅନ୍ତୁ । ଏହାକୁ ୩୦ ମିନିଟ୍‍ ଯାଏଁ କେଶରେ ଲଗାଇ ରଖି କେଶକୁ ଧୋଇ ଦିଅନ୍ତୁ । ଘିକୁଆଁରୀରେ ଆଣ୍ଟି-ବ୍ୟାକ୍ଟେରିୟଲ ଓ ଆଣ୍ଟି-ଫଙ୍ଗଲ୍‍ ଗୁଣ ରହିଛି । ଏହା କେଶରୁ ରୂପି ଦୂର କରିବାକୁ ବେଶ ସହାୟକ ହୋଇଥାଏ । ଘିକୁଆଁରୀ ରସକୁ କେଶ ମୂଳରେ ଲଗାଇ ୧୫ ରୁ ୨୦ ମିନିଟ୍‍ ଯାଏଁ ରଖନ୍ତୁ । ଏହାପରେ କେଶକୁ ଧୋଇ ଦିଅନ୍ତୁ ।

ନଡିଆ ତେଲ କେଶ ପାଇଁ ଖୁବ ଉପକାରୀ । ରୂପି ଦୂର ପାଇଁ ନଡିଆ ତେଲରେ ଲେମ୍ବୁ ରସ ମିଶାଇ ୧୦ ରୁ ୧୫ ମିନିଟ୍‍ କେଶରେ ଲଗାଇ ରଖି ଧୋଇ ଦିଅନ୍ତୁ । ଏହା ରୂପି ସମସ୍ୟାକୁ ଦୂର କରିଥାଏ । କେଶରୁ ରୂପି ସମସ୍ୟାକୁ ଦୂର ପାଇଁ ଦହି ମଧ୍ୟ ବେଶ ଉପକାରୀ । ଦହିକୁ କେଶ ମୂଳରେ ଭଲ ଭାବେ ଲଗାଇ ଦିଅନ୍ତୁ । ୨୦ ରୁ ୨୫ ମିନିଟ ଯାଏଁ କେଶରେ ଲଗାଇ ରଖି ଏହାକୁ ଭଲ ଭାବେ ଧୋଇ ଦିଅନ୍ତୁ । ଏହା ଦ୍ୱାରା କେଶରୁ ରୂପି ଦୂର ହୋଇଥାଏ । ଏହାସହ କେଶ ରେଶମୀ ମଧ୍ୟ ହୋଇଥାଏ ।

Comments are closed.